Latest Odisha News

BREAKING NEWS

ଏସିଆନ ଗେମ୍ସ: ଭାରତୀୟ କ୍ରୀଡା ପାଇଁ ସ୍ୱର୍ଣ୍ଣିମ ଶତକ…ଏହା କେବଳ ଆରମ୍ଭ

ଏସିଆନ ଗେମ୍ସରେ ଭାରତୀୟ ଆଥଲେଟ ସମ୍ପୂର୍ଣ୍ଣ ଦକ୍ଷତା ମୁତାବକ ପ୍ରଦର୍ଶନ କରିଛନ୍ତି । ଇସ ବାର ୧୦୦ ପାର ଟାର୍ଗେଟକୁ ସହଜରେ ହାସଲ କରି ନେଇ ସେମାନେ ଭାରତର ମାନ ବଢ଼ାଇଛନ୍ତି । ପ୍ରଥମ ଥର ପାଇଁ ଭାରତ ଏହି ମ୍ୟାଜିକ ନମ୍ବର ଛୁଇଁଛି । ଓଭରାଲ ଏହି ମ୍ୟାଜିକ ଫିଗର ଏ ପର୍ଯ୍ୟନ୍ତ ୪ଟି ଦେଶ ଛୁଇଁ ପାରିଛନ୍ତି । ଆମେ ନମ୍ବର ପଛରେ ରହିଥିବା ବେଳେ ଏଥିରେ କିନ୍ତୁ ଆଥଲେଟଙ୍କ ସମ୍ପୂର୍ଣ୍ଣ ଜୀବନ ବାଜିରେ ଲାଗିଥାଏ । ଏତେ ସହଜ ନୁହେଁ ଆନ୍ତର୍ଜାତୀୟସ୍ତରର ଏକ ବଡ ଟୁର୍ଣ୍ଣାମେଟରେ ପୋଡିୟମ ଚଢ଼ିବା । ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ସହ ୧୦୭ ପଦକ ହାସଲ କରି ଭାରତ ଶେଷ କରିଛି ଅଭିଯାନ । ୨୦୧୮ରେ ୭୦ ପଦକ ହାସଲ କରିଥିବା ଭାରତ ୫ ବର୍ଷ ମଧ୍ୟରେ ଏହାର ପଦକ ସଂଖ୍ୟା ବେଶ ବୃଦ୍ଧି କରିପାରିଛି । ଶ୍ରେୟର ଗଣିତ ଭିତରେ ପ୍ରବେଶ କଲେ ଆମେ ପଥଭ୍ରଷ୍ଟ ହେବା । ଏହାକୁ ସଫଳତାର ପ୍ରଥମ ସୋପାନ ବିବେଚନା କରି ଆଗକୁ ବଢ଼ିବାକୁ ହେବ ।

ଇକ୍ୟୁଷ୍ଟ୍ରେନ କ୍ରୀଡାର ଉଦାହରଣ ନିଆଯାଉ । ଜଣେ ରାଇଡର ଏହି କ୍ରୀଡାରେ ସଫଳତା ହାସଲ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ । ଭାରତ ଏଥର ଏହି ବିଭାଗରେ ପଦକ ହାସଲ କରିବା କମ କଥା ନୁହେଁ । ଏହା ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ । ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଏକ ଅବିଶ୍ୱସନୀୟ ସଫଳତା । ଏଥର ୬୨ ବର୍ଷୀୟ ରାଜୁ ଟୋଲାନୀ ବ୍ରିଜରେ ଭାରତକୁ ରୌପ୍ୟ ପ୍ରଦାନ କରିଥିବା ବେଳେ ୧୫ ବର୍ଷୀୟ ଅନହନ୍ତ ସିଂ ସ୍କ୍ୱାଶରେ ପଦକ ଜିତିଛନ୍ତି । ସବୁ ବର୍ଗର ସଫଳତା ନିଶ୍ଚିତ ଭାବେ ଭାରତୀୟ କ୍ରୀଡାକୁ ନୂତନ ଦିଗ ପ୍ରଦାନ କରିବ । ମହିଳା ସ୍ପିଡ ସ୍କେଟିଂରେ ଭାରତ ପାଇଁ ପଦକ ଜିତିଥିବା ପ୍ରତିଯୋଗୀଙ୍କ ବୟସ ହେଲା ୨୯, ୧୭, ୧୫, ୧୫ । ଯୁବ ପିଢ଼ୀଙ୍କ ଉଦ୍ୟମ ଭାରତକୁ ସଫଳତା ଦେଉଛି । ପୁରୁଷ ହକିରେ ସ୍ୱର୍ଣ୍ଣ ସହ ଅଲିମ୍ପିକ ଯୋଗ୍ୟତା ଖେଳାଳିଙ୍କ ମନୋବଳ ନିଶ୍ଚିତ ଭାବେ ବଢ଼ାଇବ ।

୧୮ ବର୍ଷୀୟା ଈଶା ସିଂ ଶୁଟିଂରେ ୪ ପଦକ ଜିତିଥିବା ବେଳେ ୩୭ ବର୍ଷୀୟ ସୌରଭ ଘୋଷାଲ ଏସିଆନ ଗେମ୍ସରେ ଓଭରାଲ ୯ ପଦକ ହାସଲ କରିଛନ୍ତି । କମ୍ପାଉଣ୍ଡ ତୀରନ୍ଦାଜରେ ଭାରତ ୫ରୁ ୫ ସ୍ୱର୍ଣ୍ଣ ହାତେଇ ନେଇଛି । ଶୁଟିଂରେ ଶିଫଟ କୌର ୫୦ ମିଟର ୩ପି ଇଭେଂଟରେ ବିଶ୍ୱ ରେକର୍ଡ ସ୍ୱର୍ଣ୍ଣ ଜିତିଛନ୍ତି । ବ୍ୟାଡମିଂଟନ ସିଙ୍ଗଲ୍ସରେ ଏଚଏସ ପ୍ରଣୟଙ୍କ ପ୍ରଦର୍ଶନ ପରେ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିଲେ । ପ୍ରଦର୍ଶନ ଓ ଫାଇନାଲରେ ପୁରୁଷ ସ୍କ୍ୱାଶ ଟିମ ପାକିସ୍ତାନ ଟକ୍କର ଦେବା ସବୁ ଭାରତୀୟଙ୍କ ଛାତି ଚଉଡା କରିଥିଲା । କବାଡିରେ ସଫଳତା ବଜାୟ ରହିଥିବା ବେଳେ କ୍ରିକେଟରେ ଭାରତଠାରୁ ସ୍ୱର୍ଣ୍ଣ ବ୍ୟତୀତ କିଛି ଆଶା କରାଯାଉ ନଥିଲା । ଆଉ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତି ନ ଥିଲେ ତାହା ଆମକୁ ଅପମାନ ହୋଇଥାନ୍ତା । ତେବେ କିଶୋର ଜେନାଙ୍କ ପ୍ରଦର୍ଶନ ଓଡିଶାବାସୀଙ୍କ ମନରେ ଯେଉଁ ଆନନ୍ଦ ପ୍ରଦାନ କରିଛି ତାହା ଅନେକ ଯୁବ ଖେଳାଳି ସୃଷ୍ଟି କରାଇବାରେ ସହାୟ ହେବ ।

ସୁତୀର୍ଥ ଓ ଆହିୟା ମୂର୍ଖାଜୀଙ୍କ ଟିିଟିରେ ପଦକ ଭାରତୀୟ କ୍ରୀଡା ଇତିହାସ ଶ୍ରେଷ୍ଠ ସ୍ଥିତିରେ ଅଛି ବୋଲି ପ୍ରମାଣିତ କରିଛି । ରୋଇଂରେ ଭାରତ ୫ ପଦକ ଜିତିଛି । ଭାରତୀୟ ଆର୍ମଡ ଫୋର୍ସରେ ଯୋଗଦେବା ପରେ ଏମାନେ ରୋଇଂ ଶିଖିଥିଲେ । ଅଳ୍ପ ଦିନରେ ଆନ୍ତର୍ଜାତୀୟ ପଦକ ଜିତି ଦକ୍ଷତା ପ୍ରଦର୍ଶନ କରିପାରିଛନ୍ତି । ଥରେ ଚିନ୍ତା କରନ୍ତୁ ଆରମ୍ଭରୁ ଯଦି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ସୁବିଧା ମିଳିଥାନ୍ତା ତେବେ ସେମାନେ କେତେ ବାଟ ଯାଇଥାନ୍ତେ ।

ଏବେ ବି ସମୟ ଅଛି ଆଗେଇବା ପାଇଁ…ମାତ୍ର ବୟସ ପ୍ରତିବନ୍ଧକ ସାଜିବ । ରେସଲିଂରେ ଭାରତ କେବେ ବି ନିରାଶ ହୋଇନି । ଅନେକ ବିବାଦ ସତ୍ୱେ ଭାରତୀୟ ରେସଲରମାନେ ପଦକ ଜିତିବା ପ୍ରବୃତି ଛାଡି ନାହାନ୍ତି । ସେପାକଟାକ୍ରୋ ଓ ଉଶୁ କ୍ରୀଡାରେ ଭାରତ ପଦକ ଜିତିବ ବୋଲି କେହି କେବେ ଭାବୁ ନ ଥିଲେ । ଏବେ ବି ଅନେକ କ୍ରୀଡାପ୍ରେମୀ ଏହି କ୍ରୀଡା ବିଷୟରେ ଭଲ ଭାବେ ଅବଗତ ନ ଥିବେ । ଆମକୁ ସେମାନଙ୍କୁ ଷ୍ଟାର କରିବାକୁ ପଡିବ । ନାଗୋୟା ୨୦୨୬ରେ ଆମେ ଆହୁରି ଆଗକୁ ଯିବା ପାଇଁ ଉଦ୍ୟମ କରିବା ।

ଯେଉଁ ୧୦୦ ପଦକ ପାଇଁ ଆମକୁ ୧୩ ଦିନ ଲାଗିଥିଲା..ଚୀନ ୩ ଦିନରେ ଏହାକୁ ହାସଲ କରି ନେଇଥିଲା । ଚୀନ ସହିତ କୌଣସି ତୁଳନା ଏଠାରେ କରାଯାଉନି…କିନ୍ତୁ ଭାରତୀୟ କ୍ରୀଡାପ୍ରେମୀ ପାରଦର୍ଶୀ ହେବାକୁ ପଡିବ । ନିର୍ଦ୍ଦିଷ୍ଟ କ୍ରୀଡାକୁ ଛାଡି ଦେଇ ଯେଉଁ ଦିନ ସବୁ ଆଥଲେଟଙ୍କୁ ଉପଯୁକ୍ତ ସମ୍ମାନ, ପ୍ରୋତ୍ସାହନ ମିଳିବ ଭାରତ ବହୁତ ଆଗରେ ଥିବ….ଆଉ ତ୍ରିରଙ୍ଗା ଫର ଫର ହୋଉ ଉଡୁଥିବ । ଏଥର ନାଗୋୟାରେ ହେବ ଭେଟ ।

Leave A Reply

Your email address will not be published.