Latest Odisha News

BREAKING NEWS

ରେଳ ବଜେଟ୍‍ କମିବା ଚିନ୍ତାର କାରଣ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସବୁଠାରୁ କମ୍‍ ରେଲଲାଇନ୍‍ ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟ୍‍ରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି । ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍‍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଲାଭଜନକ ହେବାକୁ ଥିବା ଗୋପାଳପୁର–ସମ୍ବଲପୁର ପ୍ରସ୍ତାବିତ ରେଳଲାଇନ୍‍କୁ ଓଡିଶା ପକ୍ଷରୁ ସ୍ୱାଗତ କରାଯାଉଛି । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ସରିବା ଆବଶ୍ୟକ । ଡକ୍ଟର ପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଅଂଶଧନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ସ୍ଥାନରେ ନୂତନ ପ୍ରକଳ୍ପ ଘୋଷଣା ହୋଇନାହିଁ ।

ପୁରୀ–କୋଣାର୍କ, ବରଗଡ–ନୂଆପଡା, ଯାଜପୁର–ଆରଡି–ଧାମରା, ଚକୁଳିଆ–ବୁରାମରା, ଗୁଣୁପୁର–ଥେରୁବାଲି (ନୂଆ ଲାଇନ୍‍) ଆଦି ପାଇଁ ରାଜ୍ୟ ସରକାର ସହାୟତା ଲାଗି ପ୍ରତିଶ୍ରୁତି ଦେଇଥିଲେ । ତେଜସ୍‍ ଏକ୍ସପ୍ରେସ୍‍ ଭଳି ରେଳ ଚଳାଚଳକୁ ବିଜେଡି ସ୍ୱାଗତ କରିଥିବାବେଳେ ଓଡିଶାରେ ଏଭଳି ରେଳଗାଡି ଚଳାଇବାକୁ ଡକ୍ଟର ପାତ୍ର ମତ ଦେଇଛନ୍ତି । ସେହିଭଳି ବରାଦ ଅର୍ଥ ଯେଭଳି ଠିକଣା ସମୟରେ ଖର୍ଚ୍ଚ ହେବ ଏବଂ ବିଳମ୍ବିତ ହେଉଥିବା ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ ଭିତ୍ତିରେ ସରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ବିଜେଡି ମୁଖପାତ୍ର କହିଛନ୍ତି।

।

Comments are closed.