Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରିବେ ରେଲୱେ ସୁରକ୍ଷା କମିଶନର

ଭୁବନେଶ୍ୱର: ବାହାନଗା ବଜାର ଷ୍ଟେସନରେ କେମିତି ହେଲା ଦୁର୍ଘଟଣା ? କେଉଁ ପରିସ୍ଥିତିରେ ଟ୍ରାକ୍ ବଦଳାଇ ମାଲବାହୀ ଉପରେ ଚଢ଼ି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ? ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ କାହିଁକି ଓ କାହା ଭୁଲ୍ ପାଇଁ ଏତେ ବଡ଼଼ ଅଘଟଣ ଘଟିଲା ତାର କାରଣ ଖୋଜା ଚାଲିଛି ।

ଶୁକ୍ରବାର ରାତିରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାର ତଦନ୍ତ କରିବେ ଦକ୍ଷିଣ ପୂର୍ବ ରେଳପଥର ରେଲୱେ ସୁରକ୍ଷା କମିଶନର । ଆସନ୍ତାକାଲି ସୋମବାର ସକାଳ ୯ଟାରେ ରେଲୱେ ସୁରକ୍ଷା କମିଶନର ତଦନ୍ତ ଆରମ୍ଭ କରିବେ । ୬ ତାରିଖ ମଙ୍ଗଳବାର ଖଡ଼଼ଗପୁରସ୍ଥିତ ସାଉଥ୍ ଇନଷ୍ଟିଚ୍ୟୁଟକୁ ଯିବେ ।

Railway Safety Commissioner To Hold Statutory Probe Into Odisha Train Crash From Tomorrow

ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ୍ କରମଣ୍ଡଳ ଏକ୍ସପ୍ରେସ୍ ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣା ନେଇ ଆଲୋଚନା କରିବେ । ଦୁର୍ଘଟଣା ନେଇ କୌଣସି ସୂଚନା ଥିଲେ ରେଳଯାତ୍ରୀ, ଜନସାଧାରଣ ରେଲୱେ କମିଶନଙ୍କୁ ଜଣାଇ ପାରିବେ ବୋଲି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ସିଗନାଲରେ ତ୍ରୁଟି ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ଆଜି ଦିଲ୍ଲୀରେ ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ କାହା ଭୁଲ୍ ପାଇଁ ଅଘଟଣ ଘଟିଲା ? ଇଣ୍ଟରଲକିଂରେ ସମସ୍ୟା ଥିଲା ନା ସିଗନାଲରେ ତ୍ରୁଟି ଥିଲା ? ସମସ୍ତ ଦିଗରୁ ତଦନ୍ତ କରାଯାଉଛି ଏବଂ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଛି ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାନଗା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଥିଲେ । କହିଥିଲେ, ଦୁର୍ଘଟଣା ପାଇଁ ଯେଉଁମାନେ ବି ଦାୟୀ ହୋଇଥିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଶୁକ୍ରବାର ଘଟିଥିବା ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା କରାଯାଉଥିବା ବେଳେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟେ ମେଡିକାଲରେ ଆହତଙ୍କୁ ଭେଟିଛନ୍ତି । ସେପଟେ ଚିହ୍ନଟ ହୋଇ ପାରି ନଥିବା ମୃତଦେହର ଫଟୋକୁ ସରକାର ୱେବସାଇଟରେ ଅପଲୋଡ୍ କରିବା ସହ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି । ମୃତଦେହକୁ ପଠାଇବା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.