Latest Odisha News

BREAKING NEWS

ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ

ପୁରୀ: ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚତା ସାଢ଼େ ୩ ଫୁଟ ଏବଂ ଓଜନ ୩ କିଲୋଗ୍ରାମରୁ ଅଧିକ ହେବ। ଗୁରୁବାର ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଶୋଭାଯାତ୍ରା ପାଇଁ ମଙ୍ଗଳଗିରି ତୋରଣ ଖୋଜିବା ବେଳେ ଏଭଳି ଘଟଣା ପଦାକୁ ଆସିଛି । ଏହି ମୂଲ୍ୟବାନ ତୋରଣକୁ ନେଇ ଦେବୋତ୍ତର ବିଭାଗ ଅଧିକାରୀ କେଉଁଠି ରଖୁଛନ୍ତି ନା ମଠ ଟ୍ରଷ୍ଟବୋର୍ଡ ଜିମାନିମାରେ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ନିଖୋଜ ତୋରଣର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଶେଷଥର ପାଇଁ ୨୦୧୨ ରାମାନୁଜ ଜୟନ୍ତୀରେ ତାହାକୁ ଦେଖିବାକୁ ମିଳିଥିଲା।

ପ୍ରତ୍ୟେକ ବର୍ଷ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ରାମାନୁଜଙ୍କ ଅଷ୍ଟଧାତୁ ମୂର୍ତ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିକ୍ରମା କରି ଥାଆନ୍ତି । ମୂର୍ତ୍ତି ଉପରେ ମଙ୍ଗଳଗିରି ତୋରଣ ଶୋଭା ପାଇଥାଏ। ଖୋଜାଖୋଜି ପରେ ତୋରଣ ନମିଳିବାରୁ ଜାଣିଶୁଣି ରାମାନୁଜାଚାର୍ଯ୍ୟଙ୍କୁ ଆଉ ଶୋଭାଯାତ୍ରାକୁ ବାହାର କରାଯାଉ ନାହିଁ। ରାମାନୁଜାଚାର୍ଯ୍ୟଙ୍କ ସୁନା ପ୍ରଲେପ ଯୁକ୍ତ ବିରଳ ଅଷ୍ଟଧାତୁ ମୂର୍ତ୍ତି ସୁରକ୍ଷିତ ରହିଛି। ତେବେ ଏହି ତୋରଣ ସୁନାର ହୋଇଥିବା କୁହାଯାଉଥିବା ବେଳେ ଏମାର ମଠ ର ଅନ୍ତରାଣୀ ଟ୍ରଷ୍ଟ ସଦସ୍ୟ କହିଛନ୍ତି ଘଟଣାର ତଦନ୍ତ ହେବ। ଏହା ପିତ୍ତଳ ଥିଲା ସୁନାର ନୁହେଁ।

ତେବେ ଗତ 2011 ମସିହାରେ 522 ଖଣ୍ଡ ରୂପା ଇଟା ଓ 2021 ରେ 45 ଖଣ୍ଡ ରୁପା ଇଟା ଉଦ୍ଧାର ହୋଇ ଥିଲା ଏମାର ମଠ ରୁ । ଏହା ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ଥିଲା । ପୁରୀ ରେ ସବୁଠୁ ଧନିଶାଳୀ ମଠ ଭାବେ ଏମାର ମଠ ବେଶ ଜଣାଶୁଣା । ପୁଣି ମଠ ରୁ ମୂଲ୍ୟବାନ ତୋରଣ ଗାଏବ ଘଟଣା ଏବେ ଏମାର ମଠ କୁ ଚର୍ଚ୍ଚା ପରିସରକୁ ଆଣିଛି । ଏ ନେଇ ବର୍ତ୍ତମାନ ଟ୍ରଷ୍ଟର ଅଧକ୍ଷ ନାରାୟଣ ରାମାନୁଜ ଦାସ ମହାରାଜ କହିଛନ୍ତି, ମୋତେ ଦାୟିତ୍ୱ ମିଳିବାପରଠୁ ପ୍ରଭାକୁ ହସ୍ତାନ୍ତର କରାଯାଇନାହିଁ। ତେଣୁ ଏ ବାବଦରେ ପୂର୍ବତନ ମହନ୍ତ ହିଁ ସଠିକ ତଥ୍ୟ ଦେଇପାରିବେ। ଏହି ପ୍ରଭାଟି ସୁନା ନଥିଲା। ଏହା ଦକ୍ଷିଣ ଭାରତର ଛଣା ପିତ୍ତଳ ଥିଲା ବୋଲି ସେ କହିଛନ୍ତି।

Comments are closed.