Latest Odisha News

BREAKING NEWS

ମେ ୧୦ରେ ଘଣ୍ଟା ପ୍ରତି ୮୦-୯୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ସକାଳ ୮ଟା ୩୦ରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ କେନ୍ଦ୍ର ବା ଆଇଏମଡି ଏହି ସୂଚନା ଦେଇଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ ଏବଂ ୮ ତାରିଖ ସନ୍ଧ୍ୟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଆଇଏମଡି କହିଛି । ଆସନ୍ତା ୧୦ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳର ପଶ୍ଚିମ-ମଧ୍ୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି।

ହେଲେ ଏହି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ ବା ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନି। ସେହିପରି ଓଡ଼ିଶାରେ ଏହାର ପ୍ରଭାବ କେମିତି ରହିବ ତାହା ମଧ୍ୟ ସ୍ପଷ୍ଟ ହୋଇନି। ତେଣୁ ପରବର୍ତ୍ତୀ ସମୟରେ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିବ ବୋଲି ସୂଚନା ରହିଛି।

ଆଇଏମଡି କହିଛି, ମେ’ ୬ରୁ ୭ ତାରିଖ ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ରହିପାରେ।

ସେହିପରି ଆସନ୍ତାକାଲି ମେ ୭ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ଓ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫-୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ମେ ୮ ତାରିଖରେ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୫୫-୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ମେ ୯ ତାରିଖରେ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବହିବ। ମେ ୧୦ରେ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୮୦-୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ତିନି ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛି ଆଇଏମଡି ।

Leave A Reply

Your email address will not be published.