ଘୋଷ ଯାତ୍ରା ପରମ୍ପରାରୁ ସୃଷ୍ଟି ହେଉ ନୂତନ ପରମ୍ପରା

ଏଥର ଘୋଷ ଯାତ୍ରା
ଭକ୍ତ ଶୂନ୍ୟ ବଡ଼ ଦାଣ୍ଡ
ସେବାୟତ ଶୂନ୍ୟ ରଥ
ପରମ୍ପରା ଭିତରେ ଘୋଷ ଯାତ୍ରା
ହେଲେ ଏହି କଥା କେହି କହିଲେନି, ବୋଧେ ମହାପ୍ରଭୁଙ୍କ ଇଚ୍ଛା ମୋ ଦ୍ୱାରା ପରି ପ୍ରକାଶ ହଉ। ହୁଁ ଅଳିଆ, ଆବର୍ଜନା, ପାଣି ପାଉଚ, ମୂତ୍ର, ହଜି ଯାଇଥିବା ଚପଲ ଅବା ଜୋତା ବିହୀନ ରଥଯାତ୍ରାର ପରମ୍ପରା ସମ୍ଭବତଃ ଆରମ୍ଭ ହେଲା କହିଲେ କିଛି ଭୁଲ ହେବନାହିଁ ।
ଏଥର ଘୋଷ ଯାତ୍ରାରେ ଭକ୍ତ ନଥିଲେ, ଆଉ ସେବାୟତ ମାନେ ରଥ ଉପରେ ଦଣ୍ଡାୟମାନ ଅପେକ୍ଷା ବଡ଼ଦାଣ୍ଡକୁ ଓହ୍ଲାଇ ତିନି ରଥକୁ ଖାଲି ପାଦରେ ଟାଣି ଟାଣି ଶ୍ରୀ ଗୁଣ୍ଡିଚା ମନ୍ଦିର ଶରଧାବାଲିରେ ପହଞ୍ଚାଇ ଦେଇଥିଲେ।
ହେଲେ ବିଗତ ବର୍ଷ ଭଳି ଏଥର ନା ମହାପ୍ରଭୁଙ୍କ ଆଗରେ ଭିଡ଼ କଲେ ନା ଲୋକ ମାନଙ୍କ ମଧ୍ୟରେ ସେବାୟତଙ୍କ ପ୍ରତି ଆକ୍ରୋସ ଭାବ ଥିଲା ବରଂ ସବୁ ମହଲରେ ଏଥର ସେବାୟତ ମାନଙ୍କୁ ଉତ୍ସାହିତ କରାଯାଉଛି।
ବିଗତ ଦିନରେ ବଡ଼ ଦାଣ୍ଡରେ ଗହଳି ଚହଳ ହଉଥିଲା, ଜେତେ ଆଧ୍ୟାତ୍ମିକ ଭାବ ଭିଡରେ ଦିଶେ ତା’ଠାରୁ ଅଧିକ ଭୟାନକ ଦୃଶ୍ୟ ଦେଖିବାକୁ ମିଳେ। ଯେତେବେଳେ ରଥ ବଡଦାଣ୍ଡରେ ସନ୍ଧ୍ୟା ହବା ମାତ୍ରେ ବିଭିନ୍ନ ସ୍ଥାନରେ ଅଟକି ଯାଏ, ଏବଂ ଭକ୍ତ ମାନେ ନିଜ ନିଜ ଗନ୍ତବ୍ୟ ସ୍ତଳକୁ ଭକ୍ତି ସହିତ ଫେରିଯାଇଥାନ୍ତି, ସେତେବେଳେ ବଡଦାଣ୍ଡର ଦୃଶ୍ୟ ଖାଲି କୁଢ଼ କୁଢ଼ ଅଳିଆ ଆବର୍ଜନା ଏବଂ ଏହା ମଧ୍ୟରେ ମହାପ୍ରଭୁଙ୍କ ରଥ ଦଣ୍ଡାୟମାନ ହୋଇଥାଏ।
ଏହି କୁଢ଼ କୁଢ଼ ଅଳିଆ ଆବର୍ଜନା ମଧ୍ୟରେ ଯେତେବେଳେ ଦେଖେ ଦଣ୍ଡାୟମାନ ତିନି ରଥ ସେତେବେଳେ ମୋ ଭକ୍ତି ଭାବନାରେ ଆଘାତ ଆସେ, ଆଉ ଏହି ଆଘାତ ମୋ ମନରେ ଆଲୋଡନ ସୃଷ୍ଟି କରିବା ସ୍ୱାଭାବିକ, କାରଣ ପୁରୀ ସହର ସହିତ ମୋର କେବଳ ଆଧ୍ୟାତ୍ମିକ ନୁହେଁ ବରଂ ମୋ ପଢ଼ିଥିବା ପାଠ ଓ କାର୍ଯ୍ୟ ମଧ୍ୟ ସଂଶ୍ଲିଷ୍ଟ ଏବଂ ଏହି ସହରର ଯୋଜନା ପ୍ରସ୍ତୁତ କରିବାର ମୋତେ ଦିନେ ସୁଯୋଗ ମିଳିଥିଲା ଯାହା ମୁଁ ବିନା ମୂଲ୍ୟରେ କରିଥିଲି । ଆଶା କରିଥିଲି ଏହି ଯୋଜନା ଯାହା ଲୋକଙ୍କ ମଧ୍ୟରୁ ଆବିର୍ଭାବ ହୋଇଥିଲା, ତାହା ଶଙ୍ଖ କ୍ଷେତ୍ରକୁ ନୂତନ ଦିଗଦର୍ଶନ ଦେଇପାରିଛି।
ସମ୍ଭବତଃ ଅନ୍ୟ କାରଣ ହୋଇପାରେ ବର୍ଷର ବହୁ ସମୟରେ ମୁଁ ପୁରୀ ଆଉ ଜଗନ୍ନାଥଙ୍କ ପାଖକୁ ସାଇକେଲରେ ଆସିବା ଏବଂ ମହାପ୍ରଭୁଙ୍କୁ ଦୁରରୁ ରଥରେ ଦେଖିବା ଏବଂ ଭାବରେ କଥା ହେବା । ମନ୍ଦିର ଭିତର ଶୃଙ୍ଖଳିତ ନଥିବାରୁ ବିଗତ କିଛି ବର୍ଷ ମୋର ବଡଦାଣ୍ଡରେ ଦେଖା ସାକ୍ଷାତ ହୁଏ । ଆଉ ମୋତେ ସବୁବେଳେ ତିନି ରଥରେ ମୋଟର ବିହୀନ ମହାପ୍ରଭୁଙ୍କ ଯାତ୍ରା ଲାଗେ ଯେମିତି ଆମ ଭିତରେ କିଛି ସମର୍କ ଅଛି ଯାହା ସାଇକେଲ ଏବଂ ରଥ ମଧ୍ୟରେ ଜଣା ପଡିଯାଉଛି, ତେଣୁ ଯାହା ମୋର ଅନୁଭୂତି ତାହା ମୋଟର ଚାଳିତ ଯାନରେ ଆସିଥିବା ଭକ୍ତ ମାନଙ୍କଠାରୁ ଭିନ୍ନ । ଯେପରି ଅଳିଆ ଆବର୍ଜନା ମଧ୍ୟରେ ରଥାରୁଢ଼ ମହାପ୍ରଭୁଙ୍କ ଯାତ୍ରା ମୋତେ ପସନ୍ଦ ନୁହେଁ।

ଅଧିକ ପଢନ୍ତୁ: ଘୋଷଯାତ୍ରା ଓଡ଼ିଆ ସ୍ୱାଭିମାନର ପ୍ରତୀକ…

ଘୋଷଯାତ୍ରାରେ ରାତ୍ରର ମଧ୍ୟ ପ୍ରହରେ ଅବା ବ୍ରହ୍ମ ମୁହୂର୍ତ୍ତରେ ବଡ଼ ସିଂହାର ବେଶରେ ରଥରେ ଦେଖିବା ଏବଂ ନିଜେ ସାଇକେଲରେ ଥିବା ଏକ ନିଆରା ଅନୁଭୂତି ଯାହା ଚଳିତ ବର୍ଷ କଟକଣା ଯୋଗୁ ହୋଇପାରିଲାନି। ଦେଖିବାକୁ ଗଲେ ବିଗତ କିଛି ବର୍ଷ ହେବ ମୁଁ ଭୁବନେଶ୍ୱରରୁ ନନ୍ଦିଘୋଷ ରଥ ଟଣା ହବା ପରେ ଘରେ ଖେଚଡ଼ି ଗ୍ରହଣ କରି, ସନ୍ଧ୍ୟାରେ କୋଣାର୍କ, ସମୁଦ୍ର କୁଳ ବାଟ ହୋଇ ପୁରୀ ବଡ଼ଦାଣ୍ଡରେ ପହଞ୍ଚେ ସାଇକେଲରେ, ପ୍ରାୟ ମଧ୍ୟ ରାତ୍ରରେ ସେତେବେଳେ ବଡଦାଣ୍ଡ ରେ ଏତେ ଭିଡ଼ ନଥାଏ ବରଂ ମହାପ୍ରଭୁଙ୍କ ସହିତ ଦୁରରୁ ଭାବର ଆଦାନ ପ୍ରଦାନ ହୋଇଯାଏ । ଆଉ ତାପରେ ପୁଣି ସାଇକେଲରେ ଫେରି ଆସେ ପ୍ରାୟତଃ ଦେଢ଼ ସହ କିଲୋମିଟର ପେଡାଲ କରି ସୁର୍ଯ୍ୟ ଉଦୟ ହବା ଆଗରୁ ପହଞ୍ଚିଯାଉ ଭୁବନେଶ୍ୱରରେ।
ହେଲେ ଏହି ବର୍ଷ ବଡ଼ଦାଣ୍ଡରେ ତିନି ରଥ ଗଡୁଥିବା ଏବଂ ତାଙ୍କ ମଧ୍ୟରେ ଥିବା ଦୂରତ୍ୱ ଗଣମାଧ୍ୟମରେ ଦେଖି ଲାଗିଲା ଯେପରି ଦେଶର ରାଜଧାନୀରେ ଗଣତନ୍ତ୍ର ଦିବସରେ କାଳ୍ପନିକ ମେଢ଼ ମାନେ ଚଳ ପ୍ରଚଳ କରୁଛନ୍ତି। ହେଲେ ମନରେ ଗୋଟେ ପ୍ରଶ୍ନ ଆସିଲା ଭବିଷ୍ୟତରେ ଏମିତି ଭକ୍ତ ବିହୀନ ଅବା ଅଳ୍ପ କିଛି ଭକ୍ତଙ୍କୁ ନେଇ ରଥଯାତ୍ରା କରା ଗଲେ ଅସୁବିଧା କୋଉଠି ରହିବ ବରଂ ସମାଜରେ ଏକ ସୁନ୍ଦର ପରମ୍ପରା ସୃଷ୍ଟି ହୋଇପାରିବ, ଯାହା ବହୁ ଦିନ ହେଲା ଅବହେଳିତ ହୋଇ ରହିଛି କହିଲେ କିଛି ଭୁଲ ହେବନାହିଁ, ଯାହାର ସମୟ ବର୍ତ୍ତମାନ ଏହି ମହାମାରୀ ପରିସ୍ଥିତି ସୃଷ୍ଟି କରିଛି।
ଯେପରି ଯେଉଁମାନେ ମନ୍ଦିର ପ୍ରଵେଶ କରି ପାରିବେନି, ବୟସ୍କ ଲୋକ, ଇତ୍ୟାଦିଙ୍କୁ ସୁରକ୍ଷିତ ଭାବେ ଦର୍ଶନ କରାଇବା ଏବଂ ଅନ୍ୟମାନେ ଗଣତନ୍ତ୍ର ଦିବସ ପ୍ୟାରେଡ଼ ଦେଖିଲା ଭଳି ଗ୍ୟାଲେରୀରେ ବସି ଦର୍ଶନ କରିବାର ସୁଯୋଗ ନେଇପାରିବେ। ଆଉ ଗୋଟେ ଦିଗ ହଉଛି ଏଥର ଘୋଷଯାତ୍ରା ଲାଗିଲା ଯେପରି ଏହା କେବଳ ପୁରୁଷ ମାନଙ୍କ ଉତ୍ସବ, କାରଣ ନା କେହି ମହିଳା ଥିଲେ ବଡ଼ଦାଣ୍ଡରେ, ନା କେହି ନୃତ୍ୟ ପରିବେଷଣ କରୁଥିଲେ, ନା କେହି କାର୍ଯ୍ୟ ନିର୍ବାହ କରୁଥିଲେ। ଏହା ସମାଜ ପାଇଁ ଗୋଟେ ଭଲ ସଂକେତ ନୁହେଁ ଯାହା ଉପରେ ମଧ୍ୟ ତର୍ଜମା ଆବଶ୍ୟକ। ହୁଏତ ଆଗାମୀ ବାହୁଡା ଯାତ୍ରାରେ ଶ୍ରୀ ମନ୍ଦିର ପ୍ରଶାସନ ସେବାୟତଙ୍କ ସହିତ ଆଲୋଚନା କରି ସେବାୟତଙ୍କ ପ୍ରରିବାରର ମହିଳା ସଦସ୍ୟ ମାନଙ୍କୁ ଦର୍ପ ଦଳନ ରଥ ଭିଡିବାକୁ ଉତ୍ସାହିତ କରାଗଲେ ଜଗନ୍ନାଥ ସଂସ୍କୃତି ସମାଜକୁ ଏକ ନାରୀ ସଶସ୍ତିକରଣ ବାର୍ତ୍ତା ଘୋଷ ଯାତ୍ରା ମାଧ୍ୟମରେ ସମାଜକୁ ଦେଇ ହେବ।
ଆଉ ସମୟ ସହିତ ଭକ୍ତଗଣ ମଧ୍ୟ ନିଜର ଦାୟିତ୍ୱ ବୁଝିପାରିବେ ଏବଂ ସରକାର ମଧ୍ୟ ଏଦିଗରେ ଧ୍ୟାନ ଦେଇ ପାରିବେ। ମହାପ୍ରଭୁଙ୍କୁ ବଡଦାଣ୍ଡରେ ରଥରେ ଅଳିଆ ଆବର୍ଜନା  ଭିତରେ ଟାଣି ଟାଣି ନେବାକୁ ପରମ୍ପରା କହିବା ନା ଏକ ସୁନ୍ଦର ପରିବେଶ ମଧ୍ୟରେ ରଥ ଗଡ଼ିବା ଦରକାର ଏହାର ସମ୍ଭବତଃ ସମୟ ଆସିଛି ତର୍ଜମା କରାଯିବା ଦରକାର।
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।