ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପୁରୀ ଅଭିମୁଖେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଯାଉଥିବା ବେଳେ, ଏହାର ଫାଇଦା ଉଠାଇବାକୁ ସକ୍ରିୟ ହୋଇଉଠିଛନ୍ତି ସାଇବର ଅପରାଧୀ। ତେବେ ଶ୍ରଦ୍ଧାଳୁମାନେ ଯେପରି କୌଣସି ଠକେଇର ଶିକାର ନହୁଅନ୍ତି, ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୀରେ ହୋଟେଲ୍ ବୁକିଂ ବାହାନାରେ ଲୋକଙ୍କୁ ଲୁଟୁଥିବା ୧୨୧ଟି ନକଲି ୱେବସାଇଟ୍କୁ ଚିହ୍ନଟ କରାଯାଇ ପୋଲିସ ପକ୍ଷରୁ ସେଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବ୍ଲକ୍ କରିଦିଆଯାଇଛି।
ରଥଯାତ୍ରା ସମୟରେ ପୁରୀରେ ରହିବା ପାଇଁ ରୁମ୍ର ଭାରି ଚାହିଦା ରହିଥାଏ। ଏହି ସୁଯୋଗକୁ ହାତଛଡ଼ା ନକରି ସାଇବର ଠକମାନେ ପୁରୀର ବିଭିନ୍ନ ନାମୀଦାମୀ ହୋଟେଲ୍, ଗେଷ୍ଟ୍ ହାଉସ୍ ଏବଂ ଧର୍ମଶାଳାର ନାମ ଓ ଲୋଗୋ ବ୍ୟବହାର କରି ଅବିକଳ ନକଲି ୱେବସାଇଟ୍ ପ୍ରସ୍ତୁତ କରିଥାନ୍ତି। ଇଣ୍ଟରନେଟ୍ରେ କମ୍ ଦାମ୍ରେ ରୁମ୍ ବୁକିଂର ଲୋଭ ଦେଖାଇ ଅନ୍ଲାଇନ୍ ମାଧ୍ୟମରେ ଆଡଭାନ୍ସ ଟଙ୍କା ନେଇଯିବା ହେଉଛି ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଏନେଇ ପୂର୍ବରୁ ଏକାଧିକ ଅଭିଯୋଗ ଆସିବା ପରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଏବଂ ସାଇବର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତନ୍ନ ତନ୍ନ ଯାଞ୍ଚ ଆରମ୍ଭ କରିଥିଲେ। ସାଇବର ପାଟ୍ରୋଲିଂ ଜରିଆରେ ଏଭଳି ୧୨୧ଟି ସନ୍ଦିଗ୍ଧ ପୋର୍ଟାଲ୍କୁ ଠାବ କରାଯାଇ ନିଷ୍କ୍ରିୟ କରାଯାଇଛି।
ଏହି ସଫଳ ଅପରେସନ୍ ପରେ ଓଡ଼ିଶା ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଏକ ଆଡଭାଇଜରୀ ବା ସତର୍କତାମୂଳକ ପରାମର୍ଶ ଜାରି କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ଅନ୍ଲାଇନ୍ରେ କୌଣସି ହୋଟେଲ୍ ବୁକ୍ କରିବା ପୂର୍ବରୁ ତାହାର ଆଧିକାରିକ ୱେବସାଇଟ୍ ୟୁଆର୍ଏଲ୍ କୁ ଭଲଭାବେ ଯାଞ୍ଚ କରନ୍ତୁ।
ଗୁଗଲ୍ ସର୍ଚ୍ଚରୁ ମିଳୁଥିବା ଯେକୌଣସି ଅଜଣା ମୋବାଇଲ୍ ନମ୍ବର କିମ୍ବା ହ୍ୱାଟସ୍ଆପ୍ରେ କଥା ହୋଇ ବ୍ୟକ୍ତିଗତ ୟୁପିଆଇ ଆଇଡି ମାଧ୍ୟମରେ ଟଙ୍କା ପଠାନ୍ତୁ ନାହିଁ।
ହୋଟେଲର ସଠିକତା ଜାଣିବା ପାଇଁ କେବଳ ପ୍ରାମାଣିକ ଆପ୍ଲିକେସନ୍ ବା ଟ୍ରାଭେଲ୍ ପୋର୍ଟାଲ୍ର ସାହାଯ୍ୟ ନିଅନ୍ତୁ ଏବଂ କଷ୍ଟମର ରିଭ୍ୟୁ ପଢ଼ନ୍ତୁ।
ଯଦି କୌଣସି ବ୍ୟକ୍ତି ଏଭଳି ସାଇବର ଠକେଇର ଶିକାର ହୁଅନ୍ତି, ତେବେ ତୁରନ୍ତ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ ରେ କଲ୍ କରିବାକୁ କିମ୍ବା ଜାତୀୟ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ରେ ଅଭିଯୋଗ ଦାୟର କରିବାକୁ ପରାମର୍ଶ ଦିଆଯାଇଛି।