ନୂଆଦିଲ୍ଲୀ: ଦେଶବିଦେଶ କିମ୍ବା ରାଜ୍ୟରେ ସୀମା ବିବାଦ କୌଣସି ନୂଆ କଥା ନୁହେଁ। ଜମି ପାଇଁ ଅନେକ ଯୁଦ୍ଧ ହୋଇଛି । ଆଜି ମଧ୍ୟ ଅନେକ ଦେଶ ମଧ୍ୟରେ ସୀମାକୁ ନେଇ ତିକ୍ତତା ରହିଛି। ଭାରତ-ପାକିସ୍ତାନ ସୀମାରେ ପ୍ରାୟତଃ ‘ଜିରୋ ଲାଇନ୍’ ଓ ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ ଶବ୍ଦ ଶୁଣିବାକୁ ମିଳେ। କିନ୍ତୁ ଏହି ନୋ ମ୍ୟାନ୍ସ ଲ୍ୟାଣ୍ଡ ବାସ୍ତବରେ କ’ଣ? ଏହି ଜମି କାହାର ଏବଂ ସେଠାକୁ ଯିବା ଏତେ ବିପଦଜ୍ଜନକ କାହିଁକି?
ଦୁଇଟି ଦେଶର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଥିବା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ କୁହାଯାଏ। ଅନେକ କ୍ଷେତ୍ରରେ ଏହାକୁ ‘ଜିରୋ ଲାଇନ୍’ ବୋଲି ମଧ୍ୟ କୁହାଯାଏ, ବିଶେଷକରି ଭାରତ-ପାକିସ୍ତାନ ସୀମାରେ। ଏହି ଜମି ଉପରେ ସାଧାରଣତଃ କୌଣସି ଦେଶର ସିଧାସଳଖ ମାଲିକାନା ନଥାଏ। ବିଶେଷଜ୍ଞଙ୍କ ମତରେ, ଏହା କେବଳ ମାଲିକାନାବିହୀନ ଜମି ନୁହେଁ, ବରଂ ଦୁଇ ଦେଶ ମଧ୍ୟରେ ଏକ ‘ବଫର ଜୋନ୍’ ଭାବେ କାମ କରେ, ଯାହା ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ।
ଜିରୋ ଲାଇନ୍ ହେଉଛି ସେହି ପ୍ରକୃତ ସୀମା, ଯେଉଁଠାରେ ଦୁଇ ଦେଶର ସୀମା ପରସ୍ପର ସାମ୍ନାସାମ୍ନି ଥାଏ। ଭାରତ-ପାକିସ୍ତାନ ସୀମାର ଅନେକ ସ୍ଥାନରେ ଏହା ସ୍ପଷ୍ଟ ଭାବେ ଚିହ୍ନିତ ହୋଇଥାଏ। ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (LoC) ନିକଟରେ ଏହି ଅଞ୍ଚଳ ଆହୁରି ସମ୍ବେଦନଶୀଳ। ଏଠାରେ ଉଭୟ ଦେଶର ସୁରକ୍ଷା ଚୌକି ମୁହାଁମୁହିଁ ଥାଏ ଏବଂ ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖାଯାଏ।
ନୋ ମ୍ୟାନ୍ସ ଲ୍ୟାଣ୍ଡରେ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ। ଏହି ଅଞ୍ଚଳରେ ପ୍ରାୟତଃ ସୀମା ଉତ୍ତେଜନା, ଗୁଳିବିନିମୟ ଓ ସାମରିକ କାର୍ଯ୍ୟକଳାପ ଘଟିଥାଏ। ଭାରତ ପକ୍ଷରେ BSF (Border Security Force) ଏବଂ ପାକିସ୍ତାନ ପକ୍ଷରେ ପାକିସ୍ତାନ ରେଞ୍ଜରସ୍ (Pakistan Rangers) ୨୪ ଘଣ୍ଟା କଡ଼ା ପହରା ଦେଇଥାନ୍ତି। ଅନେକ ସମ୍ବେଦନଶୀଳ ସ୍ଥାନରେ ବାରୁଦୀ ସୁରଙ୍ଗ, ଅତ୍ୟାଧୁନିକ ନଜରଦାରି ଉପକରଣ ଏବଂ ସାମରିକ ଚୌକି ରହିଥାଏ।
ସେଥିପାଇଁ ବିନା ଅନୁମତିରେ ଏହି ଅଞ୍ଚଳକୁ ପ୍ରବେଶ କରିବା କେବଳ ଆଇନ ଉଲ୍ଲଂଘନ ନୁହେଁ, ବରଂ ଜୀବନ ପାଇଁ ମଧ୍ୟ ଅତ୍ୟନ୍ତ ବିପଦଜନକ। ଗୋଟିଏ ଛୋଟ ଭୁଲ୍ ମଧ୍ୟ ବଡ଼ ଦୁର୍ଘଟଣା କିମ୍ବା ଜୀବନହାନିର କାରଣ ହୋଇପାରେ। ସେହିକାରଣରୁ ବିଶ୍ୱର ପ୍ରାୟ ସମସ୍ତ ସମ୍ବେଦନଶୀଳ ସୀମାଞ୍ଚଳରେ ନୋ ମ୍ୟାନ୍ସ ଲ୍ୟାଣ୍ଡକୁ ସବୁଠାରୁ ସୁରକ୍ଷିତ ଓ ନିୟନ୍ତ୍ରିତ ଅଞ୍ଚଳ ଭାବେ ଗଣାଯାଏ।