Latest Odisha News

BREAKING NEWS

ତିନିରଥରେ ସମ୍ପନ୍ନ ହେଲା ଅଧରପଣା ନୀତି

ପୁରୀ: ରଥଯାତ୍ରା ମହୋତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ପାରମ୍ପରିକ ନୀତିକାନ୍ତି ମାଧ୍ୟମରେ ପାଳିତ ହେଉଛି । ଆଜି ସନ୍ଧ୍ୟାରେ ସମ୍ପନ୍ନ ହୋଇଛି ଗୁରୁତ୍ୱପୂର୍ଣ୍ଣ ଅଧରପଣା ନୀତି । ଗତକାଲି ସୁନାବେଶରେ ଦର୍ଶନ ଦେବା ପରେ ଆଜି ଶ୍ରୀଜୀଉମାନଙ୍କ ଏହି ଅଧରପଣା ନୀତି ସମାପ୍ତ ହୋଇଛି ।

ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଥିଲା ଅଧରପଣା ନୀତି ଲାଗି ପ୍ରକ୍ରିୟା । ଶ୍ରୀଜୀଉମାନଙ୍କ ଲାଗି ୯ଟି ବଡ଼ ମାଟି ହାଣ୍ଡିରେ ନିର୍ମିତ ପାତ୍ର ପ୍ରସ୍ତୁତ ହୋଇ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା । ତିନୋଟି ରଥ ଉପରେ ପାଳିଆ ମହାସୁଆର ମାନେ ଏହି ଦିବ୍ୟ ପଣା ଭୋଗକୁ ପ୍ରସ୍ତୁତ କରିଥିଲେ । ରଥରେ ପତ୍ରିବଡୁ, ଗରାବଡୁ ଏବଂ ସୁଆରବଡୁ ସେବକମାନେ ପୂଜାକର୍ମ କରିବା ପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାର କରିଥିଲେ ।

ତାଳଧ୍ୱଜ ରଥରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ଅଧରପଣା ଅର୍ପଣ କରାଯିବା ପରେ ସେବକମାନେ ପଣା ହାଣ୍ଡି ଭାଙ୍ଗିଦେଇଥିଲେ ।

ଅଧିକ ପଢନ୍ତୁ: ରଥ ଉପରେ କାହିଁକି ଭାଙ୍ଗି ଦିଆଯାଏ ମହାପ୍ରଭୁଙ୍କ ଅଧରପଣା ହାଣ୍ଡି !

ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ପଣା ଅର୍ପଣ କରାଯିବା ପରେ ପଣା ହାଣ୍ଡିକୁ ସେବକମାନେ ଭାଙ୍ଗି ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ରଥଯାତ୍ରାରେ ନିୟୋଜିତ ହେଉଥିବା ଏହି ରଥ ତିନୋଟିରେ ରହିଥିବା ସମସ୍ତ ପାଶ୍ୱର୍ ଦେବାଦେବୀମାନଙ୍କ ସମେତ ଚଣ୍ଡି ଚାମୁଣ୍ଡା ଏବଂ ଅଶରୀରୀମାନେ ଏହି ପଣା ହାଣ୍ଡି ଭଙ୍ଗାଯିବା ପରେ ଗ୍ରହଣ କରି ତୃପ୍ତ ହୋଇଥାଆନ୍ତି ।

ଅଧିକ ପଢନ୍ତୁ: କ୍ୟାମେରା ଲେନ୍ସରେ ମହାପ୍ରଭୁଙ୍କ ‘ବାହୁଡ଼ା ଯାତ୍ରା’…

ଆସନ୍ତାକାଲି ନୀଳାଦ୍ରି ବିଜେ ନୀତି ପାଳନ କରାଯିବା ପରେ ଶ୍ରୀଜୀଉମାନେ ଶ୍ରୀମନ୍ଦିରସ୍ଥିତ ରତ୍ନସିଂହାସନକୁ ବାହୁଡ଼ି ଯିବେ ।

ଅଧିକ ପଢନ୍ତୁ: କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

Leave A Reply

Your email address will not be published.