ରଥ ଉପରେ କାହିଁକି ଭାଙ୍ଗି ଦିଆଯାଏ ମହାପ୍ରଭୁଙ୍କ ଅଧରପଣା ହାଣ୍ଡି !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭେଦ କରିବା ଛାର ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ । ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ମଧ୍ୟ ବିରଳ । ଏହିପରି ନୀତିକାନ୍ତି ଅନ୍ୟ କେଉଁ ଦେବାଦେବୀଙ୍କ ମନ୍ଦିରରେ ସାଧାରଣତଃ ଦୃଶ୍ୟମାନ ହୋଇନଥାଏ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରକୃତରେ ବୀର ଓଡ଼ିଆ ଧର୍ମପ୍ରାଣ ଜାତିର ଅସ୍ମିତାର ପ୍ରତୀକ । ରଥଯାତ୍ରା ମହୋତ୍ସବରେ ଅଧରପଣା ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।

ସାଧାରଣତଃ ଶୁଣାଯାଏ ରଥଉପରେ ଏହି ଅଧରପଣା ନୀତି ୪୫୦ ବର୍ଷ ପୂର୍ବରୁ ପ୍ରଚଳିତ ହୋଇ ଆସୁଛି । ପୂର୍ବରୁ ରଥଯାତ୍ରା ଉତ୍ସବରେ ଦଶମୀ, ଏକାଦଶୀ ଏବଂ ଦ୍ୱାଦଶୀ ତିଥିରେ ଏହି ନୀତି ପାଳିତ ହେଉଥିଲା, ମାତ୍ର ଏବେ ସୁନାବେଶ ପରଦିନ ଅର୍ଥାତ୍ କେବଳ ଗୋଟିଏ ଦିନ ହିଁ ପାଳିତ ହୋଇ ଆସୁଛି ।

ତିନି ରଥ ଉପରେ ତିନୋଟି ଲେଖାଏଁ ଲମ୍ବା ପଣା ହାଣ୍ଡି ସେବାୟତ ମାନେ ରଖିଦିଅନ୍ତି । ଶ୍ରୀଜୀଉମାନଙ୍କ ଅଧର ପର୍ଯ୍ୟନ୍ତ ଲମ୍ବା ହୋଇଥିବାରୁ ଏହି ହାଣ୍ଡି ଗୁଡ଼ିକୁ ଅଧରପଣା ହାଣ୍ଡି କୁହାଯାଇ ଥାଏ । ଏହି ନୀତିକାନ୍ତିକୁ ମଧ୍ୟ ଅଧରପଣା ନୀତି କୁହାଯାଏ । ତେବେ ଏହି ଅଧରପଣାକୁ ରଥାରୂଢ ତିନିଠାକୁରଙ୍କୁ ସେବାୟତମାନେ ସମର୍ପଣ କରିବା ପରେ ହାଣ୍ଡି ଗୁଡ଼ିକୁ ଭାଙ୍ଗି ଦେଇଥାଆନ୍ତି ।

କଥିତ ଅଛି ଏହି ଅଧରପଣାକୁ ସାଧାରଣ ବ୍ୟକ୍ତି ବିଶେଷ ବା ଶ୍ରଦ୍ଧାଳୁ ଗ୍ରହଣ କରିବା କଥା ନୁହେଁ । କାରଣ ହାଣ୍ଡି ଭାଙ୍ଗିଦେବା ପରେ ଅଦୃଶ୍ୟରେ ରହିଥିବା ତେତିଶି କୋଟି ଦେବାଦେବୀ, ଚଣ୍ଡି ଚାମୁଣ୍ଡା, ପ୍ରେତ ଲୋକରେ ବାସ କରୁଥିବା ଅଶରୀରୀମାନେ  ହିଁ ମହାପ୍ରଭୁଙ୍କ ଏହି ଭୋଗକୁ ଗ୍ରହଣ କରି ନିଜକୁ ଧନ୍ୟ ମନେ କରିଥାଆନ୍ତି ।

ଅଧିକ ପଢନ୍ତୁ: ସୁନାବେଶରେ ଝଟକିଲେ ତିନିଠାକୁର

ପ୍ରେତମାନେ ମୁକ୍ତି ଲାଭ କରିଥାଆନ୍ତି ମହାପ୍ରଭୁଙ୍କର ଏହି ପଣା ସେବନ କରି । ବର୍ଷ ବର୍ଷ ଧରି ପ୍ରେତମାନେ ଅପେକ୍ଷା କରି ରହିଥାଆନ୍ତି ଏହି ଅଧରପଣା ଗ୍ରହଣ କରିବା ଲାଗି ।ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ ।

ଅଧିକ ପଢନ୍ତୁ: କେବେ ଓ କାହିଁକି ମହାପ୍ରଭୁ ସୁନାବେଶରେ ଦିଅନ୍ତି ଦର୍ଶନ !

ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି ।

ଏହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ଥାଏ।

ଅଧିକ ପଢନ୍ତୁ: କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ପାଣି ଆଣିଥାଆନ୍ତି। ଏହି ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିଥାଆନ୍ତି। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯାଇଥାଏ।

ଅଧିକ ପଢନ୍ତୁ: ଘୋଷ ଯାତ୍ରା ପରମ୍ପରାରୁ ସୃଷ୍ଟି ହେଉ ନୂତନ ପରମ୍ପରା

ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭାଙ୍ଗି ଦିଆଯାଇଥାଏ ।