ପୁରୀ: ତୁଟିଲା ବିବାଦ, ଚାଲିଲା ରଥକାମ। ରଥଖଳା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବ ପରି ପୁଣି ଥରେ ରଥଖଳାରେ ଆରମ୍ଭ ହେଲା ତିନି ରଥର ନିର୍ମାଣ କାର୍ଯ୍ୟ। ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଉନ୍ନୟନ ପ୍ରଶାସକଙ୍କ ସହ ଆଲୋଚନା ପରେ ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ। ପ୍ରଶାସନିକ ପ୍ରତିଶ୍ରୁତି ପରେ ରଥ ମହାରଣାମାନଙ୍କ ଖେଇକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଟଳିଛି। 58 ଦିନରେ ଆଜି ପ୍ରାୟ ତିନି ଘଣ୍ଟା ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ପରେ ପୁଣି ଥରେ ଚଳଚଞ୍ଚଳ ହୋଇଛି ରଥଖଳା। ମହାରଣା ମାନଙ୍କର ଦୁଇ ଦାବିକୁ ମାନିବାକୁ ପ୍ରତିଶ୍ରୁତି ପରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ହୋଇ ନିଷ୍ପତ୍ତି ପରେ ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିବ କହିଛନ୍ତି ବିଶ୍ୱକର୍ମା ମହାରଣା। ଦାବି ନମାନିଲେ ଆଗକୁ ମଧ୍ୟ କାର୍ଯ୍ୟ ବନ୍ଦ୍ କରିବାକୁ ଚେତାବନୀ ଦେଇଛନ୍ତି ତିନି ରଥର ମୁଖ୍ୟ ମହାରଣା। ତେବେ ତିନି ରଥର ମୁଖ୍ୟ ମହାରଣାଙ୍କୁ ଗତ 15 ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ନୋଟିସକୁ ନେଇ ହୋଇଥିଲା ବିବାଦ। ନୋଟିସ ଅନୁଯାୟୀ 4 ଫୁଟ ଲମ୍ବ ଓ 3 ଫୁଟ ଗୋଲେଇରୁ ଉର୍ଦ୍ଧ୍ବ ଗୋଟା ଓ ସାଇଜ କାଠ ମୁଖ୍ୟ ମହାରଣା ମାନେ ପ୍ରଶାସନରୁ ଧାର୍ଯ୍ୟ ମୂଲ୍ୟ ବିନିମୟରେ ହସ୍ତାନ୍ତର କରିବେ ବୋଲି ଉଲ୍ଲେଖ ହୋଇଥିଲା। 4 ଫୁଟରୁ କମ୍ କାଠକୁ ଇଛା କଲେ ମହାରଣା ମାନେ ପ୍ରାପ୍ୟ ହିସାବରେ ଗ୍ରହଣ କରିବେ କିମ୍ବା ମୂଲ୍ୟ ବିନିମୟରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିପାରିବେ ବୋଲି ଉଲ୍ଲେଖ ରହିଥିଲା।
ଉପରୋକ୍ତ ମାପର କାଠ ନେବା ପୂର୍ବରୁ ତତ୍ତ୍ଵାବଧାରକ ଓ ଅମିନଙ୍କ ଅନୁମତି ନେବାକୁ ନୋଟିସରେ ଉଲ୍ଲେଖ ରହିଥିଲା। ତେବେ ଯେ କୌଣସି ମାପର ଚିରଟ କାଠ, ଖେଇ ବା ପ୍ରାପ୍ୟ ହିସାବରେ ନେବାକୁ ଜିଦ୍ ଧରିଥିଲେ ତିନି ରଥର ମୁଖ୍ୟ ମହାରଣା ସେବକ। ତେବେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ନିଆଯିବ ନିଷ୍ପତ୍ତି । 4 ଫୁଟ ଲମ୍ୱ ଓ 3 ଫୁଟ ଗୋଲେଇ କାଠକୁ ନେବ ଶ୍ରୀମନ୍ଦିର ପ୍ରଶାସନ। ବଦଳରେ ମହାରଣାମାନେ ତାହାର ମୂଲ୍ୟ ନେଇପାରିବେ। ସ୍ଵତ୍ଵଲିପି ଉଲଙ୍ଘନ ନେଇ ରଥଖଳାରୁ ଅଭିଯୋଗ ଆସିବା ପରେ ଏଭଳି ନୋଟିସ ଜାରି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆସିବା ପରେ ଆଲୋଚନା ହୋଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ରଥ ବିଶ୍ୱକର୍ମାଙ୍କ ଅଭିଯୋଗ ଅନୁଯାୟୀ ରଥ ନିର୍ମାଣ ତତ୍ତ୍ୱାବଧାରକଙ୍କ ବିରୋଧରେ ଅଭିଯୋଗ ଆସିଛି। ସେ ତାଙ୍କ କାର୍ଯ୍ୟ ଠିକ୍ ଭାବରେ କରୁନଥିବା ଅଭିଯୋଗ ହୋଇଛି। ତାକୁ ତାଙ୍କ କାର୍ଯ୍ୟରୁ ହଟାଇବା ପାଇଁ ମହାରଣା ମାନେ ଦାବି କରିଛନ୍ତି। ଏହା ଉପରେ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି କହିଛନ୍ତି। ଆଲୋଚନା ପରେ ପୁଣି ଥରେ ରଥ ନିର୍ମାଣ କାର୍ଯ୍ୟ ସ୍ୱାଭାବିକ ହୋଇଛି।
