Latest Odisha News

BREAKING NEWS

ପାଠ୍ୟପୁସ୍ତକ ତ୍ରୁଟି: ୩ ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଆଭାସ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତ୍ରୁଟି ପାଇଁ କେଉଁ ଅଧିକାରୀ/ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ତିନି ଜଣିଆ ଟିମ ତଦନ୍ତ କରିବେ। ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟାଯାଇଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ପାଠ୍ୟପୁସ୍ତକରେ କେତେକ ପ୍ରିଣ୍ଟିଂ ଭୁଲ୍ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏପରି ତତ୍ପରତା ପ୍ରକାଶ କରିଛନ୍ତି।

୭ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ ଏବଂ କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ/ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ପିଲାଙ୍କ ପାଠପଢ଼ାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ତ୍ରୁଟି ସଂଶୋଧନ ନେଇ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଶିକ୍ଷାବର୍ଷ ପାଇଁ ପ୍ରକାଶିତ ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେତେକ ବହିରେ ମୁଦ୍ରଣ ଜନିତ ତ୍ରୁଟି ରହିଯାଇଛି। ଏହି ଭୁଲ୍ ସୂଚନା ଯୋଗୁଁ ଛାତ୍ରଛାତ୍ରୀମାନେ ଯେପରି ବିଭ୍ରାନ୍ତ ନହୁଅନ୍ତି, ସେଥିପାଇଁ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ବହିର କେଉଁ ସ୍ଥାନରେ କଣ ଭୁଲ୍ ଅଛି ଏବଂ ତାର ପ୍ରକୃତ ସଂଶୋଧିତ ରୂପ କଣ ହେବ, ସେନେଇ SCERT ଏକ ନିର୍ଦ୍ଦିଷ୍ଟ ଶୁଦ୍ଧିପତ୍ର ବା ସୂଚୀପତ୍ର ଜାରି କରିଛି।

Leave A Reply

Your email address will not be published.