Latest Odisha News

BREAKING NEWS

ରାଜସ୍ଥାନରେ କଂଗ୍ରେସକୁ ଖେଳାଉଛନ୍ତି ପାଇଲଟ!

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ଉଷ୍ମ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କୁ ଖୋଦ ନିଜ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ଟାର୍ଗେଟ କରି ସରକାରର ଅଡୁଆ ବଢ଼ାଇ ଦେଇଛନ୍ତି।

ଗୋଟିଏ ପଟେ ପାଇଲଟଙ୍କୁ ଦଳ ଚୁପ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଖୋଦ ନିଜ ଦଳର ନିର୍ବାଚିତ ପ୍ରତିନିଧି ମାନେ ଜଣଙ୍କ ପରେ ଜଣେ ଗେହଲଟଙ୍କ ଅଡୁଆ ବଢ଼ାଇ ଚାଲିଛନ୍ତି।

ପ୍ରଥମେ ବିଧାୟକ ଦିବ୍ୟା ମଦେରଣା ନିଜେ ସୁରକ୍ଷିତ ନ ଥିବା କହିଥିବା ବେଳେ ପରେ ପରେ ମନ୍ତ୍ରୀ ରାଜେନ୍ଦ୍ର ଗୁଢା ମହିଳା ସୁରକ୍ଷା ପ୍ରସଙ୍ଗ ନେଇ ଗେହଲଟ ସରକାରକୁ ଟାର୍ଗେଟ କରିଥିଲେ। ଯେଉଁ କାରଣ ପାଇଁ ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଛି।

ଏବେ ପୁଣି ଆଉଜଣେ ବିଧାୟକ ଖିଲାଡି ଲାଲ ବୈରବା ସରକାରକୁ ଟାର୍ଗେଟ କରିଛନ୍ତି। ଉଦୟପୁର ମନ୍ଥନରେ ଯାହା ସଂକଳ୍ପ ପାରିତ ହୋଇଥିଲା ତାହା ଲାଗୁ କରିବାକୁ ପଡିବ ବୋଲି ସେ କହିଛନ୍ତି।

ଯଦି କଂଗ୍ରେସ ଏବେଠୁ ସତର୍କ ନ ହେବ ତେବେ ଗୁଜୁରାଟ ଓ ବିହାର ଭଳି ଏଠାରେ କଂଗ୍ରେସ ଦୁର୍ବଳ ହେବ। ବୈରବା ପାଇଲଟ ଗୋଷ୍ଠୀର ସଦସ୍ୟ ଭାବେ ଜଣାଶୁଣା। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସଚିନ ପାଇଲଟ ଚୁପ ହେବା ପରେ ନିଜର ସମର୍ଥକ ମାନଙ୍କ ଦ୍ୱାରା ଗେହଲଟଙ୍କୁ ଟାର୍ଗେଟ କରୁଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେପଟେ ବିଜେପି ମଧ୍ୟ ଏଭଳି ମୌକାର ବେଶ ଫାଇଦା ଉଠାଇବା ଲକ୍ଷ୍ୟରେ ରହିଥିବା ଦେଖିବାକୁ ମିଳିଛି।

ରାଜସ୍ଥାନ ବିଜେପି ସଭାପତି ତଥା ସାଂସଦ ସି ପି ଯୋଶୀ ଗେହଲଟ ସରକାରକୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା କ୍ଷଣି ନିଯୁକ୍ତି ଘୋଟାଲାର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।

ମହିଳା ସୁରକ୍ଷା ଓ ମନ୍ତ୍ରୀ ରାଜେନ୍ଦ୍ର ଗୁଢା ଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ନେଇ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି ଯୋଶୀ। ସେପଟେ ଏହି ସମୟରେ ରାଜସ୍ଥାନରେ ମାୟାବତୀଙ୍କ ଏଣ୍ଟ୍ରି ହୋଇଛି।

ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ରାଜସ୍ଥାନ ରେ ଦମଦାର ଢଙ୍ଗରେ ଲଢ଼ିବ ବୋଲି କୁହାଯିବା ସହ ମାୟାବତୀ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି। ଗହଲଟ ସରକାରଙ୍କ ସର୍ବନିମ୍ନ ଆୟ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି ମାୟାବତୀ।

ରାଜସ୍ଥାନର ଦଳିତ ଭୋଟରଙ୍କୁ ବିଏସପି ଫୋକସ କରୁଛି। କଂଗ୍ରେସର ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା ପାଇଁ ଯେଉଁମାନେ ଉପଭୋକ୍ତା ସେମାନଙ୍କ ଉପରେ ମାୟାବତୀ ନଜର ପକାଇଛନ୍ତି।

ନିର୍ବାଚନ ପୂର୍ବରୁ ଗେହଲଟ ସରକାରର ଏହି ଯୋଜନା ଘୋଷଣା ଲୋକଙ୍କୁ ଲାଭ ଦେବା ବଦଳରେ ନିର୍ବାଚନ ଉଦେଶ୍ୟରେ କରାଯାଇଛି ବୋଲି କୁହାଯାଇଛି।

ରାଜସ୍ଥାନର କଂଗ୍ରେସ ଗଡ଼ ବୋଲି କୁହାଯାଉଥିବା ୬୦ ସିଟରେ ମାୟାବତୀ ପ୍ରାର୍ଥୀ ଦେବେ ବୋଲି ଚର୍ଚ୍ଚା ହେଉଛି। ତେଣୁ ବହୁ ଆକର୍ଷଣୀୟ ଯୋଜନା ସହ ସଚିନ ପାଇଲଟଙ୍କ ଅସନ୍ତୋଷକୁ ଥମାଇବାରେ ସକ୍ଷମ ହୋଇଥିବା କଂଗ୍ରେସ ଏବେ ଏସବୁକୁ କିଭଳି ମୁକାବିଲା କରିବ ତା ଉପରେ ନଜର।

Leave A Reply

Your email address will not be published.