ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଜିଲ୍ଲାପାଳଙ୍କ ସହ ଏସ୍ ଇସିଙ୍କ ଭିଡିଓ ବୈଠକ। ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ପ୍ରଶାସନ ସହ ଜଡ଼ିତ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ବୈଠକରେ ୨୦୨୭ ମସିହାର ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଥିବା ଖସଡ଼ା ଭୋଟର ତାଲିକା, ନିର୍ବାଚନୀ ପ୍ରକ୍ରିୟା, ପ୍ରଶାସନିକ ପ୍ରସ୍ତୁତି ଏବଂ ବିଭିନ୍ନ ଲଜିଷ୍ଟିକ୍ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି।
SIR ସରିବା ପରେ ରାଜ୍ୟରେ ଭୋଟର ତାଲିକା ପ୍ରସ୍ତୁତି ହେବ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ହେବ ଭୋଟର ତାଲିକା। ଏନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ। ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି ହେବ। ଡୋର ଟୁ ଡୋର ସର୍ଭେ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ମାସ ୩୧ ତାରିଖ ସୁଦ୍ଧା ଏନେଇ ଟିମ୍ ଗଠନ କାର୍ଯ୍ୟ ସରିବ। ଟିମ୍ରେ BLO, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ।
ସେହିପରି ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ସାମାନ୍ୟ ବିଳମ୍ବ ହୋଇପାରେ। ଆଜିର ବୈଠକରେ ପୁରୁଣା ବାଲଟ ବକ୍ସ ମରାମତି କରାଯିବା ନେଇ ନିଷ୍ପତ୍ତି ହୋଇଛି। ଆମେ ମଧ୍ୟ କିଛି ନୂଆ ବାଲଟ ବକ୍ସ କ୍ରୟ କରିଛୁ ବୋଲି କହିଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ।
ରାଜ୍ୟ ନିର୍ବାଚନ କମିଶନଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳମାନଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆବଶ୍ୟକ ଦିଗ ନିର୍ଦ୍ଦେଶ ଦେଇଥିବା ବେଳେ, ସମସ୍ତ କାର୍ଯ୍ୟକୁ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି । ଆଗାମୀ ସ୍ଥାନୀୟ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ ଏହି ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।