Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ମୁକାବିଲାରେ ୨ଟି କୀର୍ତିମାନ ସ୍ଥାପନ କଲେ ରୋହିତ

ଲକ୍ଷ୍ନୌ: ଦିନିକିଆ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଅବସରରେ ଭାରତର ଅଧିନାୟକ ରୋହିତ ଶର୍ମା ୨ଟି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ୪୮ ରନ କରିଥିବା ବେଳେ ଆନ୍ତର୍ଜାତୀୟ କ୍ରିକେଟରେ ୧୮୦୦୦ ରନ ପୂର୍ଣ୍ଣ କରିଥିଲେ । ପଂଚମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି । ରୋହିତ ଦିନିକିଆରେ ୧୦୪୭୦, ଟେଷ୍ଟରେ ୩୬୭୭ ଓ ଟି୨୦ରେ ୩୮୫୩ ରନ କରିଛନ୍ତି । ସେ ୪୫ ଶତକ ଓ ୯୮ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୩୪୩୫୭ ରନ ସହ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ବିରାଟ କୋହଲି (୨୬୧୨୧ରନ), ରାହୁଲ ଡ୍ରାଭିଡ(୨୪୨୦୮ ରନ)ଓ ସୌରଭ ଗାଙ୍ଗୁଲି(୧୮୫୭୫ ରନ) ଯଥାକ୍ରମେ ଦ୍ୱିତୀୟରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଛନ୍ତି ।

ଏହା ବ୍ୟତୀତ ସେ ୧୦୦ ମ୍ୟାଚରେ ଭାରତର ନେତୃତ୍ୱ ମଧ୍ୟ ନେଇଛନ୍ତି । ସେ ୭ମ ଭାରତୀୟ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ, ମହମ୍ମଦ ଆଝାରୁଦ୍ଦିନ, ବିରାଟ କୋହଲି, ସୌରଭ ଗାଙ୍ଗୁଲି, କପିଳ ଦେବ ଓ ରାହୁଲ ଡ୍ରାଭିଡ ଏହି କୀର୍ତିମାନ ସ୍ଥାପନ କରି ସାରିଛନ୍ତି । ବିଶ୍ୱ କ୍ରିକେଟରେ ୫୦ତମ ଖେଳାଳି ଭାବେ ୧୦୦ ମ୍ୟାଚରେ ଜାତୀୟ ଦଳର ନେତୃତ୍ୱ ନେଇଛନ୍ତି । ରୋହିତଙ୍କ ନେତୃତ୍ୱରେ ଭାରତ ୭୩ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୨୩ଟିରେ ପରାଜିତ ହୋଇଛି ।

Leave A Reply

Your email address will not be published.