Latest Odisha News

BREAKING NEWS

ଆର୍‌ବିଆଇ-ଭୁବନେଶ୍ୱର ପକ୍ଷରୁ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼: ଭାରତୀୟ ରିଜର୍ଭ ବ୍ୟାଙ୍କ-ଭୁବନେଶ୍ୱର କାର୍ଯ୍ୟାଳୟ ତରଫରୁ ଅକ୍ଟୋବର ୨୭ ତାରିଖ ଦିନ ନୟାଗଡ଼ ଜିଲ୍ଲାରେ ଏକ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ(ଏଫଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆର୍ଥିକ ସାକ୍ଷରତା ଓ ସଚେତନତାର ଆବଶ୍ୟକତା ଏବଂ ଏ ଦିଗରେ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ।

ଆରବିଆଇ ମହାପ୍ରବନ୍ଧକ ଅନିତା ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଆଇଏଏସ୍ ରବୀନ୍ଦ୍ରନାଥ ସାହୁ, ଏସବିଆଇ ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ଝା, ଲିଙ୍ଗରାଜନାୟକ, ଏସ୍ଏଲବିସି ସହାୟକ ମହାପ୍ରବନ୍ଧକ, ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମହାପ୍ରବନ୍ଧକ ବାସୁଦେବ ରାଉତ ରାୟ, ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହାପରେ ଶ୍ରୀମତୀ ପଟ୍ଟନାୟକ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ କରିବା ସହ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସମ୍ପର୍କରେ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ସାଧାରଣ ଜନତାଙ୍କ ଭଳି ବିଭିନ୍ନ ଟାର୍ଗେଟ୍ ଗ୍ରୁପରୁ ପ୍ରାୟ ୧୪୦ ଜଣ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର ବିଭିନ୍ନ ବିଭାଗ ଯଥା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ବିକାଶ ବିଭାଗ, ନିର୍ଗମ ବିଭାଗ, ପର୍ଯ୍ୟବେକ୍ଷଣ ବିଭାଗ, ଏକୀକୃତ ବ୍ୟାଙ୍କିଙ୍ଗ ବିଭାଗ ଏବଂ ପଭୋକ୍ତା ଶିକ୍ଷଣ ଏବଂ ସୁରକ୍ଷାକକ୍ଷର ମିଳିତ ପଦକ୍ଷେପରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।

ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ବ୍ୟାଙ୍କିଙ୍ଗ୍, ନିବେଶ, ବୀମା, ପେନସନଠାରୁ ଆରମ୍ଭ କରି ବିଭିନ୍ନ ଆର୍ଥିକ ଉତ୍ପାଦ, ସଞ୍ଚୟ, ଆୟ ବ୍ୟୟ ବଜେଟ୍, ଡିଜିଟାଲ ପେମେଣ୍ଟର ବିଭିନ୍ନ ଉପାୟ, ସାମାଜିକ ସୁରକ୍ଷା ଯୋଜନା ଯଥା ପିଏମଜେଜେବିୱାଇ, ପିଏମଏସବିୱାଇ, ଏପିୱାଇ, ଶିକ୍ଷା ଋଣ ଏବଂ ବିଦ୍ୟା ଲକ୍ଷ୍ମୀ ୱେବ୍ ପୋର୍ଟାଲ, ଏସଏଚଜି ଋଣ, କେବଳ ଆନୁଷ୍ଠାନିକ ଆର୍ଥିକ ସଂସ୍ଥାରୁ ଆବଶ୍ୟକତା ଅନୁଯାୟୀଋଣ ନେବା ଏବଂ ଠିକ୍ ସମୟରେ ଋଣ ପରିଶୋଧ କରିବା ଆଦି ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ। ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ବିଷୟରେ ସଚେତନ କରାଇବା ସହିତ ମୁଦ୍ରାଗୁଡିକର ଲିଗାଲ ଟେଣ୍ଡର, ବ୍ୟାଙ୍କ ମାନଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା ଏବଂ ୨୦୦୦ ଟାଙ୍କା ନୋଟ୍ ବିନିମୟ ପରେ ସଦ୍ୟତମ ନିର୍ଦ୍ଦେଶାବଳୀ ସମ୍ପର୍କରେ ଅବଗତ କରାଯାଇଥିଲା।

ଏହା ବ୍ୟତୀତ ପଞ୍ଜିସ୍କିମ୍ ଓ ଡିଜିଟାଲ୍ ଲେଣ୍ଡିଂ ଆପ୍ ଠକେଇ ସମେତ ବିଭିନ୍ନ ପ୍ରକାର ସାଇବର ଠକେଇ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଟିଏମ୍ ପିନର ଗୋପନୀୟତା ବଜାୟ ରଖିବା ସହ କୌଣସି ବ୍ୟାଙ୍କ ଆକାଉଣ୍ଟ/ ଏଟିଏମ୍/ କାର୍ଡ ସମ୍ବନ୍ଧୀୟ ସୂଚନା କାହାକୁ ଫୋନରେ ସେୟାର ନକରିବାକୁ ଅଂଶଗ୍ରହଣକାରୀଙ୍କୁ ସଚେତନ କରାଯାଇଥିଲା। ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରାସଙ୍ଗିକ ଲିଫ୍ଲେଟ୍ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅଡିଓ ଏବଂ ଭିଜୁଆଲ ବିଷୟବସ୍ତୁ ମଧ୍ୟ ବ୍ୟବହାର କରାଯାଇଥିଲା। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧିକାରୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.