Latest Odisha News

ମହାରାଣୀ ଏଲିଜାବେଥଙ୍କ ଅନ୍ତେଷ୍ଟିକୁ ପୁଟିନଙ୍କୁ ନିମନ୍ତ୍ରଣ କରାଯାଇନାହିଁ

ଲଣ୍ଡନ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିମନ୍ତ୍ରଣ କରିନାହିଁ ବ୍ରିଟେନ୍ । ମହାରାଣୀ ଏଲିଜାବେଥଙ୍କ ଅନ୍ତେଷ୍ଟିକୁ ସବୁ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଋଷ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇନାହିଁ  । ପୁଟିନଙ୍କ ପାଇଁ ଏହା ଘୋର ଅପମାନ ହୋଇଥିଲେ ମଧ୍ୟ ଋଷ ପକ୍ଷରୁ କିଛି କୁହାଯାଇନାହିଁ ।  ସେପ୍ଟେମ୍ବର ୧୯ରେ ମହାରାଣୀ ଏଲିଜାବେଥ-୨ୟଙ୍କ ରାଜକୀୟ ଅନ୍ତେଷ୍ଟି କରାଯିବ । ଏଥିପାଇଁ ବିଶ୍ବର ସବୁ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଡକାଯାଇଛି । ଭାରତର ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ମଧ୍ୟ ବ୍ରିଟେନ ଗସ୍ତ କରିବେ । କିନ୍ତୁ ଋଷିଆକୁ ନିମନ୍ତ୍ରଣ କରାଯାଇନାହିଁ ।

କୁହାଯାଉଛି କି ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ବ୍ରିଟେନ ଏପରି ନିଷ୍ପତ୍ତି ନେଇଛି । ଆମେରିକା, ବ୍ରିଟେନ ସହ ଅନେକ ଦେଶ ରୁଷ ସହ ସମ୍ପର୍କ ଛିନ୍ନ କରିଛନ୍ତି ଓ ଆର୍ଥିକ କଟକଣା ଲଗାଇଛନ୍ତି । ତେବେ  ମହାରାଣୀଙ୍କ ମୃତ୍ୟୁ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିଟେନକୁ ନିଜର ଶୋକ ସଂଦେଶ  ପଠାଇଥିଲେ । ସେତେବେଳେ ଆଶା କରାଯାଉଥିଲା ପୁଟିନଙ୍କୁ ନିମନ୍ତ୍ରଣ କରାଯିବ । କିନ୍ତୁ ଶେଷ ରିପୋର୍ଟ ଅନୁସାରେ ପୁଟିନକୁ ନିମନ୍ତ୍ରଣ ପଠାଯାଇନଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସେହିପରି ୟୁକ୍ରେନ ବିରୋଧୀ ଯୁଦ୍ଧରେ ବେଲାରୁଷ ରୁଷକୁ ସହାୟତା କରୁଥିବାରୁ ଏହି ଦେଶକୁ ମଧ୍ୟ ନିମନ୍ତ୍ରଣ କରିନାହିଁ ବ୍ରିଟେନ । ଖାଲି ଋଷ ଏବଂ ବେଲାଋଷ ନୁହେଁ  ୬ଟି ଦେଶକୁ ଏଥିପାଇଁ ନିମନ୍ତ୍ରଣ ପତ୍ର ପଠାଯାଇନଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ସେସବୁ ଦେଶ ହେଉଛି ଆଫଗାନିସ୍ତାନ, ରୁଷ, ବେଲାରୁଷ, ମିଆଁମାର, ଭେନିଜୁଏଲା ଓ ସିରିଆ । ଏସବୁ ଦେଶର ରାଜନୈତିକ ପରିସ୍ଥିତି କୁ ନେଇ ବ୍ରିଟେନ ଅସନ୍ତୁଷ୍ଟ ଅଛି । ଏହା ସହ ୩ଟି ଦେଶକୁ ନିମନ୍ତ୍ରଣ ପଠାଯାଇଥିଲେ ବି ରାଷ୍ଟ୍ରମୁଖ୍ୟଙ୍କୁ ଡକାଯାଇନାହିଁ । କେବଳ ରାଷ୍ଟ୍ରଦୂତଙ୍କ ପାଇଁ ନିମନ୍ତ୍ରଣ ପଠାଯାଇଛି । ସେସବୁ ଦେଶ ହେଉଛି ଉତ୍ତରକୋରିଆ, ଇରାନ ଓ ନିକାରାଗୁଆ ।

ସେପଟେ ଆଜିଠୁ ଉଜବେକିସ୍ତାନରେ ଆରମ୍ଭ ହୋଇଛି ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଆଞ୍ଚଳିକ ସୁରକ୍ଷା ବ୍ଲକ୍ ଶିଖର ସମ୍ମିଳନୀ। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବି ଏଥିରେ ଯୋଗଦେଇଛନ୍ତି । ପୁଟିନ ନିମନ୍ତ୍ରଣ ନେଇ ଏଠାରେ କିଛି କହୁଛନ୍ତି କି ନାହିଁ ତାହା ଆଉ କିଛି ସମୟ ପରେ ଜଣାପଡିବ ।

Leave A Reply

Your email address will not be published.