Latest Odisha News

BREAKING NEWS

କବିତା : ଅଶୀବର୍ଷର ଗପ

ବୀରେନ୍ଦ୍ର ନାୟକ 

ଜେଜେମାଆ
ଭାଗ୍ଯ କଣ କହିଲୁ ?
ସେ କହିଲା
ବୋଉ ନିଇତି ନେସୁଥିବା ଗୋଟେ ଭଙ୍ଗା ଚୁଲି !
ମୁଣ୍ଡେଇଥାଏ ଗୋଟେ ପୃଥିବୀ
କୁହୁଳୁଥାଏ କିଛି କଥା ଆଉ ନଥା
ଭାଜି ହୁଏ ପୋଡିହୁଏ କିଛି ଭୂଲ୍ ଆଉ ଠିକ୍।
ଏଇତକରେ ସରେନିରେ ଗୋଟେ ଭାଗ୍ଯ

ଆଛା !!
ଆଉ କଣ କହୁନୁ ତାହେଲେ ?
ହୋଉ ଶୁଣୁ ,
ରାତିଟେ ପ୍ରସ୍ଫୁଟିତ ହୁଏ
ରାଜତ୍ବ,ସିଂହାସନ, ଆଉ
ସ୍ବର୍ଣ୍ଣ ମୁକୁଟର ସ୍ବପ୍ନ ନେଇ,
ହେଲେ !!
ସକାଳଟେ ଅତର୍କିତ ଆସେ
ଚଉଦ ବର୍ଷର ବନବାସ ପାଇଁ ।

ଏତିକିରେ ରୋକି ନଥିଲା
ଗୋଟେ ଅଶୀ ବର୍ଷିଆ ଓଠ
କହିଲା !!
ଶୁଣୁ ଅଙ୍ଗେ ନିଭା କଥା
ମୁଁ ହେଲି ଆକ୍ତା ମାକ୍ତା !!
ଗୋଟେ ଫଟା ପାଦ,ଶୁଖିଲା ତଣ୍ଟି
ଧସେଇ ଆସିଥିଲା ଅଠର, ମୁଣ୍ଡା ହିଡ ଡେଇଁ
ଦୁଇ ଢୋକ ପାଣି ତୋରାଣି ପାଇଁ ।
ପଖାଳ କଂସାରେ ହିଁ ଅଟକିଥିଲା ହାତ
ଠିକ୍ ସାତବର୍ଷ ତଳେ !!!

ଏ ଭାଗ୍ଯ
କାହାର ଶେଷ ସ୍ପର୍ଶ
କାହାର ମୃଦୁ ହସ
କାହାର କଟକର ସନ୍ଧ୍ଯା
କାହାର ସାରା ଜୀବନ ବନ୍ଧ୍ୟା
ଏମିତି ଅନେକ କିଛି କହୁ କହୁ
ସେ ସାରିଦେଇଥିଲା ଗୋଟେ ଅଶୀ ବର୍ଷର ଗପ !!

ଓଠ ସିନା ବୁଜି ହେଲା
ଡାଏରୀର ଶେଷ ଫର୍ଦ୍ଦ ପରି
ଦୁଇଧାର ଲୁହ କିନ୍ତୁ ଟାଣୁନଥିଲେ
ଶେଷ ପୂର୍ଣ୍ଣଛେଦ !
ଓଃ ସରୁନଥିଲା ଗୋଟେ
ଦୀର୍ଘଶ୍ବାସର କାହାଣୀ !!

ଅତା, ସୁକିନ୍ଦା, ଯାଜପୁର

Leave A Reply

Your email address will not be published.