Latest Odisha News

BREAKING NEWS

କବିତା : ଅନ୍ତହୀନ ପରୀକ୍ଷା

ଡକ୍ଟର ଫକୀର ମୋହନ ନାହାକ

ଅସରନ୍ତି ପରୀକ୍ଷା ଏ ଚାଲିଛି ଚିରକାଳ                                 
ଦିନରାତି ସବୁ ମୁହୂର୍ତ୍ତରେ
ବିଶ୍ୱର କୋଣ ଅନୁକୋଣରେ
ବନ୍ଧା ପଡ଼ିଛନ୍ତି ଏଠି
ଅକ୍ଷାଂଶ ଦ୍ରାଘିମା ସବୁ
ପରୀକ୍ଷା ନିର୍ଘଣ୍ଟରେ ।

ଏମିତି ଏ ପରୀକ୍ଷା
ପରୀକ୍ଷାର୍ଥୀଠୁ ପରୀକ୍ଷକ ଯାଏଁ
ସଭିଙ୍କୁ କରୁଛି ପରୀକ୍ଷା
ମେଧା, ବୁଦ୍ଧି ବା ଜ୍ଞାନ ନୁହେଁ
ବଳ ବୀର୍ଯ୍ୟ ବିବେକ ରକ୍ତ ମାଂସ ମଜ୍ଜା
ନିଃଶ୍ୱାସ ପ୍ରଶ୍ୱାସ ନିଦ୍ରା
ତ୍ୟାଗ ତିତିକ୍ଷା ତନ୍ଦ୍ରା
ସମସ୍ତେ ପରୀକ୍ଷାର୍ଥୀ
ସଭିଏଁ ପରୀକ୍ଷକ ।

କେବେ ନିଃସଙ୍ଗରେ
କେବେ ନିର୍ବାସନରେ
ପଚାରି ବସୁଛି ପ୍ରଶ୍ନ
ପରୀକ୍ଷାର୍ଥୀ ପରୀକ୍ଷକ
ପରୀକ୍ଷା ନିୟନ୍ତ୍ରକ
ଆଉ ପ୍ରଶ୍ନକର୍ତ୍ତା ସମସ୍ତଙ୍କୁ ।

ଚକ୍ରବତ୍ ଘୂର୍ଣ୍ଣାୟମାନ
ଏ ପରୀକ୍ଷା ନିର୍ଘଣ୍ଟ
କେବେ କାହାକୁ ବି
ପଡ଼ିପାରେ ଡକରା
ହୋଇପାରେ ପ୍ରଶ୍ନ ପଚରା ।

ପ୍ରସ୍ତୁତ ଥାଅ ପୁରବାସୀ
ତୁମ ପ୍ରଶ୍ନିଳ ଦୃଷ୍ଟି
ତୁମକୁ ହିଁ ପ୍ରଶ୍ନ କରିପାରେ
ନିଃସଙ୍ଗତାରେ .. ନିର୍ବାସନରେ
ନିକ୍ଷେପି ପାରେ ।

ଏ ଚକ୍ର ଟାଣିନେବ କେବେ ନା କେବେ
ଜଣ ଜଣ କରି ସମସ୍ତଙ୍କୁ
ତିଷ୍ଠିଲେ ତରି ଯିବ
ନତିଷ୍ଠିଲେ ଅପସରି ଯିବ
ତିଷ୍ଠ ବା ନ ତିଷ୍ଠ
ତରିଯାଅ ବା ଅପସର
ପରୀକ୍ଷାରୁ .. ଚକ୍ରରୁ କିନ୍ତୁ
ପରିତ୍ରାଣ ନାହିଁ
ନିସ୍ତାର ନାହିଁ ।।

ବିଭାଗୀୟ ମୁଖ୍ୟ, ୟୁ.ଆଇ.ଏମ୍.ଏସ୍., ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ, ମୋହାଲି, ପଞ୍ଜାବ

Leave A Reply

Your email address will not be published.