ରାମକୃଷ୍ଣ
ବୁଝି ହେଉନି
ମୁଁ ଖେଳୁଛି ଶବ୍ଦକୁ
ନା ଶବ୍ଦ ଖେଳୁଛି ମତେ
କିଏ କାହାର ଅକ୍ତିଆରରେ
ଏଡ଼େ ସୁରକ୍ଷିତ ଶବ୍ଦର ବିଶାଳ ଦୁର୍ଗ
ସମୁଦ୍ର କୂଳର ବାଲିଘର ପରି ଧୋଇନିଏ
ନୀରବତାର ଢେଉ
ମୁଁ ନିର୍ବାକ ଛିଡ଼ା ହୋଇ ରହେ
ମୋର ନଥିବା ପଣରେ।
କଳ୍ପନାର ଦୁର୍ଭେଦ୍ୟ ପିରାମିଡ ଭିତରେ
ସତେବା ଅମରତ୍ବ ଭୋଗୁଥାଏ ମୋର ଶବ
ଅଟକାଇ ରଖିଥାଏ ସମୟର ସଂତ୍ରାସକୁ
କିନ୍ତୁ କେତେକାଳ !
ବୁଝି ହେଉନି
ଶବ୍ଦର ସିଢିରେ ମୁଁ ଆରୋହଣ କରୁଛି
ନୀରବତାର ଶିଖର
ନା ଶବ୍ଦର କବଚରେ ସଂରକ୍ଷିତ ରଖୁଛି ନିଜକୁ
ନୀରବତାରେ ନଶ୍ଚିହ୍ନ ହେବାର ଭୟରୁ।
ଉର୍ଣ୍ଣନାଭ ପରି
ବନ୍ଦୀ ହେଉନି ତ ନିଜେ ନିଜର ଜାଲରେ
କେଉଁ ଝଡ଼କୁ ବା ଅଟକାଇ ହେବ
ଭୋକର ବଳୟରେ।
ବୁଝି ହେଉନି
ମୋର ଚକ୍ରବ୍ୟୁହରେ ଶବ୍ଦ
ନା ମୁଁ ଶବ୍ଦର ଚକ୍ରବ୍ୟୁହରେ।
ରାମ କୃଷ୍ଣ