ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
‘ବ୍ୟାକରଣ’କୁ କରି ଆଳ
‘ବାକ୍ୟରଣ’ରେ ହେଲେ ଭୋଳ
ଚଳଇ କଥା କଟାକଟି
ସ୍ବଭାଷା ହୁଏ ଛାଟିପିଟି
ଭାଷୀଏ ହୋଇଲେ ସ୍ବାଧୀନ
ଭାଷାର ଉନ୍ନତି ବିଧାନ
ସମୃଦ୍ଧି, ବିକାଶ, ବର୍ଧନ
ହୁଅଇ ଆପେ ସୁସଂପନ୍ନ
ଯାହା ଅଧିକ ପ୍ରଚଳିତ
ତାହା ହୋଇଲେ ବ୍ୟବହୃତ
ଭାଷାଟେ ପାରେ ଆଗେ ବଢ଼ି
ରହେନି ସ୍ବସ୍ଥାନରେ ପଡ଼ି
ବ୍ୟାକରଣ ବର୍ଣିତ ସୂତ୍ର
କେବେ ନ ହୁଏ ଭାଷାମଂତ୍ର
ବର୍ଧନଶୀଳ ଏକ ଭାଷା
ପରିବର୍ତିତ କରେ ଦଶା
ଏ ସତ୍ୟ କରିଲେ ସ୍ବୀକାର
ମନରୁ ଦୂର ହୁଏ ଡର
ବ୍ୟକ୍ତି ହୋଇଲେ ଭାଷାସକ୍ତ
ଭାଷାକୁ କରଇ ଉନ୍ନତ
ବହୁଭାଷୀ ଅଟେ ଏ ଦେଶ
ସମନ୍ବୟ ହିଁ ସୁବିକାଶ
ଘଟାଇ ପାରିବ ସର୍ବତ୍ର
ସ୍ବଭାଷା ନୁହେ ଏକମାତ୍ର
ଭାଷା ହେଲେ ହେଁ ଭିନ୍ନ ଭିନ୍ନ
ଏକ ହୋଇଲେ ଲୋକ ମନ
ସଂଭବ ଅସାଧ୍ୟ ସାଧନ
ଏ ନୁହେ ତୁଚ୍ଛା ଅନୁମାନ
ସର୍ବଭାଷାକୁ ସମଭାବ
ମିଳିଲେ ବଢ଼ଇ ସଦ୍ଭାବ
ଭାଷାବଳି ହୋଇଲେ ଦୃଢ଼
ଲଂଘିବେ ବାଧକ ପାହାଡ଼
ବ୍ୟାକରଣ କି ଅଭିଧାନ
ନୁହଂତି ଭାଷାର ବଂଧନ
ପରିବର୍ତନ ଘନଘନ
ଅଟଇ ଜୀବଂତ ଲକ୍ଷଣ