Latest Odisha News

BREAKING NEWS

କବିତା : ବସନ୍ତର ଦୀର୍ଘଶ୍ୱାସ

ସାଧନା ପଣ୍ଡା 

କିଛି ଛାଇ ,
କିଛି ଖରାର ଜୀବନ
ମୁନ୍ଦାଏ ଶୀତଳତା
କିଛି ଛାଇରେ ବିଶ୍ରାମ
ଅଟକି ଯାଏ ପ୍ରାଣ କିଛି କ୍ଷଣ….. !

ଥକି ପଡେ ପାଦ ,
ଝାଉଁଳି ଯାଏ ହୃଦ ,
ଶିଝିଯାଏ ପିଠି ,
ଶୁଖିଯାଏ ତଣ୍ଟି ,
ଲଟକେ ଜୀବନ ;
ଖୋଜିଲା ଖୋଜିଲା ଭାବନେଇ
ଥକି ପଡେ ପଲକ ତଳର ଆଖି … !

ନ ଥିବାର ଖାଲି ପଣରେ
କେତେ ଯେ ସୁଖ
ଏଇ ନଥିବା ପଣରେ ବି ଜୀଇଁ ହୁଏ…
ସବୁଥର ଭଳି ;
ଗଛର ଶାଖାକୁ ଫେରେ ନି ମଳୟ… !
ତିକ୍ତତା ଆବୋରି ବସେ
ଛାତି ବଖରାକୁ
ଖୋଜି ବୁଲେ ନିଛାଟିଆ ଅପରାହ୍ନ ;
ଏ’ ଜୀଇଁବାରେ
କି’ ମାନେ ଅଛି କହତ ?

ଲୋଡା ନାହିଁ ତମ ଦରଦ ପଣର ଆଶିଷ ,
ତମ ଉଷ୍ମତା ର ପରଶ ……
କେଉଁଠାରେ ହଜି ଗଲା
ଟିକିଏ ଆଶ୍ୱାସନା ଓ ଭରସା ?
ମଞ୍ଜ ଥରା ପୌଷ ରାତିରେ
ଖୋଜୁଥିବା ଶବ୍ଦଟି
ଦିଏ ନାହିଁ ଧରା ……!

କ୍ଳାନ୍ତ ବସନ୍ତର ଦୀର୍ଘ-ଶ୍ୱାସ
ଖୋଜି ବୁଲେ ହୋଇ ଇତସ୍ତତଃ
ଅଳନ୍ଧୁ ଝାଡି , ଚାଲେ ସନ୍ତର୍ପଣେ
ଯନ୍ତ୍ରଣାର ସେ’ ଭଙ୍ଗା ଭଙ୍ଗା
ନିଦାଘ ଫାଙ୍କରେ !

ପାଦେ ପାଦେ ଆଗାଏ
ଫେରିବାର ରାସ୍ତା ଯାଏ ଭୁଲି
ଆଡମୁହାଁ ଶୂନଶାନ୍ ନଈର ବାଙ୍କରେ
ନିଏ ନିର୍ଣ୍ଣାୟକ ମୋଡ
ଦିଶେ ଖାଲି ଗୋଡି ବାଲି
ଦରଦୀ ଛାତିର ହାଡ !

ଭାବି ଭାବି ଇଡି ଯାଏ
ପ୍ରାପ୍ତିର ପିଆଲା
ଜୀବନକୁ ଏକାନ୍ତରେ ଖୋଜୁ ଖୋଜୁ
ମୋହ ଠାରୁ ଫେରାଇ ନିଏ ମୁହଁ
ମାଡି ଆସେ ନିର୍ଜନତା ,
ଗ୍ରୀଷ୍ମ ତାତିର ରଙ୍ଗଶାଳାରେ
ଛିଣ୍ଡିପଡେ ସମ୍ପର୍କ ,
ଆଉ ଯେତେ ଆତ୍ମୀୟତା !!

ଥକି ଯାଏ ପାଦ
ଅସରନ୍ତି ରାସ୍ତା
ବେଦନାକ୍ତ ସମୟର
ନାଗଫେଣୀ ଛାୟା…..
ମୁହଁ ସଞ୍ଜ ବେଳେ
ଚିତେଇ ପଡେ ରାତି
ଘାଇଲା ହୁଏ ଦେହ ମାୟା
ଯାହା କହିପାରେନା ଯାଏ ରହି
ମୋ’ ଝର୍କା ପାଖ ଛାତିରେ
ଲଟକି କରତି ଯାଏ ଛାତି !!

ପଲକେ ଦିଶେ ନାହିଁ ବ୍ୟଥା
କେହି ବି କହନ୍ତିନି ‘ ଆହା’… !
ଶୁଖେ ନାହିଁ ହୃଦୟର ଘାଆ
ଦିଅନ୍ତି ଚୂନ ର ପ୍ରଲେପ ,
ପ୍ରଚ୍ଛଦର କ୍ଷତ ଚିହ୍ନେ
ଲେଖା ଥାଏ କାହା ନାଁ !!
କ୍ଳାନ୍ତ ବସନ୍ତର ଦୀର୍ଘ-ଶ୍ୱାସେ
ଜୀବନ ଖୋଜଇ ରାହା ।।

Leave A Reply

Your email address will not be published.