ସଂଘମିତ୍ରା ରାଏଗୁରୁ
ଧାରେ ଆଶା
ବର୍ଷା ହେଲାପରେ
ଫର୍ଚ୍ଚା ଦିଶେ ଆକାଶ
କେବେ ହୁତୁହୁତୁ ନିଆଁରେ ଜଳିଯାଏ ସବୁ
କେବେ ତରଲୁଥିବା ଆଖିରେ
ପୃଥିବୀଟେ ଝାସ ଦେବାକୁ ବାଧ୍ୟ
ତଥାପି ଥାପିବାକୁ ପଡେ
ଭରସାର ପାଦ ପ୍ରତିଟି ରାସ୍ତାରେ
ଭରସାକୁ ଆଖି ମୁଦି ଭରସା କରିବା
ମରିଯାଇପାରେ
କେଉଁ ଏକ ଅଜବ ଛକରେ
ସେଇଠି ଦିଗ ନିର୍ଣ୍ଣୟର ନିଷ୍ପତ୍ତି
ସମ୍ପୂର୍ଣ୍ଣ ନିଜସ୍ୱ
ତୁମେ ମାନିପାର ଅବା ନମାନିପାର
ଋତୁ ଠୁ ବି ଶୀଘ୍ର ଏଠି ବଦଳେ ମଣିଷ
ହଠାତ ଚାଲିଯାଇପାରେ କେହି
ତୁମର ସମସ୍ତ ଭଲପାଇବାକୁ ପଛରେ ପକେଇ
ହଠାତ ଅଚିହ୍ନା ଅଜଣା କେହି
ଥାପୁଡେଇ ପିଠି
ଧରିନେଇପାରେ ହାତ
ଯିବା-ଆସିବାର ଘଡିସନ୍ଧି ମୂହୁର୍ତ୍ତରେ
ଟିକେ ବି ଏପଟ ସେପଟ ନୁହେଁ
ନିକିତିରେ ବରାବର ପ୍ରେମର ଭାଗମାପ
ଧାରେ ଆଶା
ନିଶା ହେଲାପରେ
ସାମ୍ନାରେ
ଡାଇରି
କଲମ
ଆଉ
ଚିରୁଡାଏ ରାତିର କୁହୁକ
ଲେଖିବାକୁ କେବଳ ଏତିକି–
କାଲି ଯିଏ କହୁଥିଲା”ତୁମେ ମୋର ସବୁକିଛି”
ଆଜି ମୁଁ ତାକୁ ପଚାରୁଛି “ତୁମେ କ’ଣ ମୋର” ??