Latest Odisha News

କବିତା : ଥୁକୁଲ

ସ୍ମୃତି ରଞ୍ଜନ ତ୍ରିପାଠୀ 

ଶବ୍ଦସବୁ ଏମିତି ବଦରାଗି
ମଝିରେ ମଝିରେ ଲୟ ହରେଇଲେ
ମୁଁ ଝୁଣ୍ଟେ ତା’ ମିଠା ତାଗିଦରେ
ଆହୁରି ନିବିଡ, ସଶକ୍ତ କରାଏ
ତା’ ଖୁସି ପାଇଁ କେତେ ପ୍ରଯତ୍ନରେ ଗଢେ
ଭାବର କୁଟୁମ୍ବ, ସଜେଇହୁଏ କୁହୁକ ବୀଣା
ଛାଏଁ ଛାଏଁ ଖଞ୍ଜିହେଇଯାଏ ଅଳଙ୍କାର
ଯାହାକୁ ନେଇ ଲେଖାହେବ
ନିଃଶବ୍ଦ ରାତିରେ କାହା ଠିକଣା।

ଦିନଯାକର ସାଉଁଟା କୁଟାକାଠିକୁ
ସେ ବସା କରେ, ବିଭୋର ହୁଏ
ଜୀଇଁଯାଏ କେଇ ମୁହୂର୍ତ୍ତ
ମୁଁ ସରି ସରି ଆସୁଥାଏ ଦୁଆତରୁ, ମୋହରୁ
ତା’ ପାପୁଲିରୁ…
ଧେତ..ଥାଉ ସେତିକି। ଥୁକୁଲ।।

ଧୈର୍ଯ୍ୟ।
ସବୁ ଏକଲାପଣ ର କ୍ଷତକୁ
ପ୍ରତି ରକ୍ତବିନ୍ଦୁରେ ଗୀତଟିଏ କରି
କ୍ଷଣକ୍ଷଣ ବଞ୍ଚୁଥିବା ଯୋଦ୍ଧାଟିଏ।
ଭାରି ଜିଦିଆ ସେ
ଯେତେ ଛଡେଇଲେ ବି ଛାଡେନି
ମୋ ଦେହରୁ ଅଭିନୟର ସଂଳାପ,
ସେଇ ଓଜନିଆ ଢଙ୍ଗ, ତା’ ଅଭିମାନୀ ରଙ୍ଗ।
ମୁଁ ପୁଣି ଝାଉଁଳେ, ନୀରବ ରୁହେ
ମୂଳ ଚରିତ୍ରକୁ ଫେରିବାକୁ
ଆଉ କେତେ ଘଡି ଯେ ବାକି
ଧେତ..ଥାଉ ସେତିକି। ଥୁକୁଲ।।

ସମ୍ମାନ।
ନିଜେ ଅଦୃଶ୍ୟରେ ସାରଥୀ ହୋଇ
ପରିଚିତଙ୍କ ମେଳରେ ଆତ୍ମଗୋପନ କରି
ହିତଶତ୍ରୁ ଙ୍କୁ ମାତ ଦେବା କଳା ବେଶ ଜାଣେ
କାହାକୁ ଆକାଶ କରି ନିଜେ ପାହାଡ଼ ହୁଏ
ମୁଁ ତା’ ବଡପଣରେ ସମର୍ପି ଦିଏ ନିଜକୁ
ତା’ରି ସତ୍ତା ନେଇ ଝରଣାଟିଏ ହୋଇ ବହିଯାଏ
ଦୂରକୁ ଦୂରକୁ।

ସେ ଅଭିମାନ କରେ, ଅପେକ୍ଷାରେ ଥାଏ
କେବେ ଅଭିନୟରୁ କାତି ଛଡେଇ
ପୁଣି ଫେରିବି ମୂଳ ଚରିତ୍ରକୁ,
ଦୁଆତରୁ ଇଡି ପଡିଥିବା ଜୀବନକୁ
ପୁଣି ଏକାଠି କରି ଫେରିଯିବି ତା’ ବସାକୁ।।

ଆଉ ପ୍ରେମ କଥା କହୁଛ
ଦେଖିଛ!
ମୁଁ ରକ୍ତ ହୋଇ ଝାଳେଇଲାବେଳେ
ଧେତ..ଲାଜେଇଗଲି ମୁଁ
ସେ ଆଉ ମୁଁ କିଏ କି ?
ଥାଉ..ଥୁ.କୁ.ଲ।। ଥୁକୁଲ।।

Leave A Reply

Your email address will not be published.