Latest Odisha News

କବିତା:ସୂତାଖିଏରେ ସମ୍ପର୍କ

ସୁଜାତା ମହାପାତ୍ର

ଜଙ୍ଗଲୀ ଝରଣାରେ ବୁହାଇଦେଲି କିଛି
ନିଷ୍ଠୁର ଖରା,
ନିଜ ପାଇଁ ସାଇତିଥିବା କିଛି
ସୁନିଶ୍ଚିତ ଛାଇ!
ଖାଲି ହାତରେ ପାର କରିବାକୁ ହେବ
ଏବେ ଏକ ସୁଦୀର୍ଘ ମରୁରାସ୍ତା
ତଥାପି ଚାଲିଛି, ଚାଲିବି

ଦର ଓଦା ଆଖି ଓ ଶୁଖିଲା ଓଠରେ ।

ନା ତୃଷ୍ଣା ନା ତୃପ୍ତି
ସବୁକିଛି ତ ଛାଡି ଆସିଛି
ଜୀବନ ଦୋଛକି ରେ,
ଛାଇ ଆଲୁଅର ମଝାମଝି
ଠିକ ସେହି ବତୀଖୁଣ୍ଟ ତଳେ

ତୁ’ ମୁଁ’ ଭୋଗିଥିବା କାନ୍ଦ କାନ୍ଦ ପିଲାଦିନର
ଧୂଳି ବାଲି ଘରେ ।

ତୁ ଅନ୍ଧାରକୁ ନିଜର କଲୁ
ମୁଁ ପିଠିରେ ବୋହି ଆଣିଲି ମୋ ଆଲୁଅ
ତୁ ମୋ ଛାଇକୁ ଆଡ ହେଲୁ
ଆମେ ଗଢ଼ିନେଲେ ଭିନ୍ନ ଭିନ୍ନ ମହଲ ।

ତୋର ମୋର ଖୋଜିବାରେ ବା କଣ ଥାଏ ଯେ’!!

ଭଙ୍ଗା କାଚର ଟୁକୁରା ଟୁକୁରା
ପ୍ରତିବିମ୍ବ ଭିତରେ
ମୁଁ ତୋତେ’ ଖୋଜୁଛି
ନା ତୁ ମୋତେ!
କେବଳ ରକ୍ତାକ୍ତ ମୁହୂର୍ତ୍ତ ମାନେ ହିଁ ସାକ୍ଷୀ ।

ସୂତା ଖିଏ ତ’,
କୋଉ ବଞ୍ଚାଇପାରେ ସମ୍ପର୍କ!!

ଶବ୍ଦ ସବୁ ପାଣିଫୋଟକା ସାଜିବା ଆଗରୁ
ପାଣିଫାଟିଯାଏ ରକ୍ତ ଆମ ନିଷ୍ଠୁରତାରେ ।
ଛାତି ତଳେ ରୁଗ ରୁଗ କିଛି ଅହର୍ନିଶି ଜଳୁଥାଏ
ଜାଳୁଥାଏ ଶୀତଳ ଅନ୍ତର୍ଦାହରେ

ରକ୍ତର ରଙ୍ଗ କଣ ଏତେ ପାଣିଚିଆ !

ବିନା ବିଶ୍ୱାସରେ ତୁ ଗଢିଥିଲୁ ଯେଉଁ ସମ୍ପର୍କ
ଧୂଳିସାତ ହେଲା ପ୍ରଥମ ଝଡ଼ରେ
ଏବେ ଈଶ୍ୱରଙ୍କୁ ଖୋଜୁଛୁ
ସଜାଡ଼ିବାକୁ ସେ ନୀଡ଼ !

ହୁଏତ ସେ ବି ନିର୍ବାସନରେ !

ବହୁତ କିଛି ଗଢିବାକୁ ଚାହିଁ
ଭାଙ୍ଗିଛୁ କେବଳ
କେବେ ନିଜକୁ
ଆଉ କେବେ,
ନିଜ ଚାରିପାଖର
ସୁନେଲି ପୃଥିବୀକୁ

କେବେ ଥରେ ଭରସାଟେ ତ ଗଢି ଦେଖ
ହୁଏତ ପାଇଯିବୁ ଈଶ୍ୱରଙ୍କୁ !!

 

Comments are closed.