କବିତା:ରକ୍ତ

ସୂର୍ଯ୍ୟସ୍ନାତ ତ୍ରିପାଠୀ

ନୂଆ ଓ ପୁରୁଣା ରକ୍ତ, ସବୁ ତୁମ ପାଇଁ
ପିଆଲା ପିଆଲା ରକ୍ତ, ସବୁ ତୁମ ପାଇଁ ।

ଆଣିଛି ମୁଁ ଛାତି ଚିରି ମଂତୁରା ମାଟିର
ଆଞ୍ଜୁଳା ଆଞ୍ଜୁଳା ରକ୍ତ, ସବୁ ତୁମ ପାଇ।

ଅନ୍ତିମ ଜୋକର ଶୋଷ ମେଣ୍ଟିଗଲା ପରେ
ଯେତିକି ବଳିଲା ରକ୍ତ, ସବୁ ତୁମ ପାଇଁ।

ଫୁଲ ଓ ଭଅଁର ଦୁହେଁ ମରି ସାରିଛନ୍ତି
ତାଙ୍କରି ଏ ଥଣ୍ଡା ରକ୍ତ, ସବୁ ତୁମ ପାଇଁ।

କାହାର ଏ ଇଚ୍ଛାପତ୍ର, କିଏ ଛାଡ଼ିଗଲା
ଭୂମି, ଭୂମା, ନିଆଁ, ରକ୍ତ – ସବୁ ତୁମ ପାଇଁ।

ପାଣି ମୁନ୍ଦେ ମିଳିଲାନି ଯେଉଁ ତୃଷାର୍ତ୍ତକୁ
ତା’ରି ଏ ସିଝା ରକ୍ତ, ସବୁ ତୁମ ପାଇଁ।

ଦୁନିଆର ସବୁଠାରୁ ନିରୀହ ଶିଶୁର
ଅଦୂଷିତ ମିଠା ରକ୍ତ, ସବୁ ତୁମ ପାଇଁ।

ଏତିକି, ହଁ, ଏତିକି ହିଁ ଛାଡିଯିବି ଦିନେ
କଲମ ଓ କଳା ରକ୍ତ, ସବୁ ତୁମ ପାଇଁ।