ରବି ପଣ୍ଡା
ହଳଦୀ ରଙ୍ଗରେ ରଙ୍ଗା କିଏ ଇଏ ନୂଆ ରଙ୍ଗବତୀ
ଶୀତୁଆ ସକାଳେ ପିନ୍ଧି ହସେଇ ହଳଦିଆ ପାଟ
କଅଁଳ ଖରାକୁ ପୁଏଁ, ଶିଶିରରେ ଭିଜାଏ ତା’ ଛାତି
ହାଲକା ପଵନେ ହଲେ ପାଟଶାଢ଼ୀ ସବୁଜ ପଣତ।
ଶୀତ ସହ ମିତ ବସି ଗୀତ ଗାଏ ମନ ଫୁଲାଣିଆ
ସହଜେ ସୁନ୍ଦରୀମାନେ ଥା’ନ୍ତି ଟିକେ ଅଧିକ ଫୁଲେଇ
ଏମିତିଏ ଗିରିତଳ ଜଙ୍ଗଲିଆ ଜାଗାଟାତ ଭାରି ନିଛାଟିଆ
ସେଥିପାଇଁ ନିଧଡକେ, ନିଜକୁ ସେ ନେଇଚି ସଜେଇ।
ଛବିଟିଏ ପରି ତୋରା,ସତରେ ତା’ ଆଦିଗନ୍ତ ଶୋଭା
ଦେଖିଦେଲେ ମନ ଭରିଯାଏ, ଆଖିରେ ତ ପଡେନା ପଲକ
ମୁଣ୍ଡିଆ ପାହାଡ ଦି’ଟା ପ୍ରତିଦ୍ବନ୍ଦ୍ବୀ ପରି ହାଙ୍କୁଥାନ୍ତି ଅବା
କିଏ ତୁହି ପରଦେଶୀ, ଆସିଛୁକି ସାଜିବୁ ନାୟକ!
ସଇରିଣୀ ନାରୀପରି, ଛଳବତୀ କହେ ଅଳ୍ପ ଅଳ୍ପ ହସି
ମୁଁ’ କା’ର ଏକା ନୁହେଁ, ସଭିଙ୍କ ପ୍ରେୟସୀ, ମୋ’ନାମ ଅଳସୀ।