Latest Odisha News

BREAKING NEWS

ସନେଟ : ଶୁଭ୍ର ବିଳାସିନୀ

ଅନୀତା ପାଣି 

ନୂଆ ଆଶା ନେଇ ମୁକୁଳିତ ମନେ ପାଖୁଡା ଦେଇଛି ମେଲି,
ନବୀନ ସୁଷମା ଭରି ଅଙ୍ଗେ ଅଙ୍ଗେ ପବନରେ ଖେଳ ଦୋଳି।
ଅଳସେ ବିଳସେ ଚହଟାଏ ଦିଗ ସରସ ସୁରଭି ବାସେ,
ନରମ ନୟନେ ପଥିକ ମାନସ କିଣି ପାର ମଧୁ ହାସେ ।

ଶୁଭ୍ର ପିଆଲାରେ ମାଦକତା ଭରା ନିଖିଳ ନିରେଖି ଝୁମେ ?
ବନ ବିଥିକାର ବିଳାସିନୀ ବଧୂ କୁଞ୍ଜମଲ୍ଲୀକା ଗୋ ତୁମେ ।
ସୁଖ ସରାଗର ଅନୁରାଗ ବୁଣି ସୁରୋଭିତ କର ଧରା,
ନିକୁଞ୍ଜ କାନନେ ଲତାର ମଣ୍ଡପେ ମନଜିଣା ରୂପ ତୋରା ।

ପ୍ରିୟତମା ଗଭା ଗଜରାରେ ତୁମେ ବେଶୀ ଲାଗ ଆପଣାର,
ହୀରା ନୀଳା ରତ୍ନ ତୁଳନା ନୁହଁଇ ତୁମ ପ୍ରୀତି ଉପହାର ।
କୋମଳ ସ୍ବଭାବେ ଅଙ୍ଗିକାର କର ଜୀବନେ ଯେତିକି ଝଡ,
ତଥାପି ତୁମେ ଗୋ ନିରାଶ ନ ହୋଇ ପ୍ରଭାତୀ ବନ୍ଦନା ପଢ ।

ତୁମ ଆଗମନୀ ସ୍ବାଗତିକା ପାଇଁ ସଜାଏ ମୁଁ ଅର୍ଘ୍ୟଥାଳୀ,
ସମର୍ପି ଦେଇଛ ପ୍ରାଣର ପୁଲକ ବିଭୁଅଙ୍ଗେ ଗଳାମାଳୀ ।

ସାଉଥ୍ ବଲଣ୍ଡା, ତାଳଚର, ୮୩୨୭୭୦୫୯୭୦

Comments are closed, but trackbacks and pingbacks are open.