ରଞ୍ଜିତା ରାଣୀ ହୋତା
ଲୁହରେ ବତୁରା ମୋ ଚିଠିକୁ ମାଆ ପଢ଼ିବୁ କି ଥରଟିଏ
ପକାଇବୁ ମନେ ଦିନଟିଏ ପାଇଁ ହେଲାଣି ବରଷଟିଏ ।
ଫେରିବା ପଥକୁ ଚାହିଁଥାଉ ମୋର କେତେ ଆକୁଳତା ନେଇ
ମୋ ପାଖରୁ ଆଜି କେତେ ଦୂରେ ତୁହି କେମିତି ପାରିଛୁ ରହି ?
କେତେ ଯେ ଅକୁହା କଥା ଅଛି ପୁଣି ବ୍ୟଥାରାଜି ବୁକୁତଳେ
ତୋ ବିନା କାହାକୁ କହିତ ହୁଏନି ସହି ହେଉନାହିଁ ତିଳେ।
ତାରା ଦଳେ ଅବା ଗଗନେ ପବନେ କେଉଁଠି ରହିଲୁ ଯାଇ
ଖୋଜେ ଏ ନୟନ ଝୁରଇ ମରମ କାହିଁ ତତେ ପାଉନାହିଁ।
ଆଦର ତୋହର ଆଦ୍ୟ ଆଷାଢ଼ ସିଞ୍ଚିତ ମାଟିଗନ୍ଧ
ପରଶେ ପୀୟୂଷ ଝରାଇ ତୋଳିଛୁ ମୋର ଏ ଜୀବନ ଛନ୍ଦ
ଭୁଲାଇ ଦେଇଛୁ ସକଳ ଯାତନା ମଥାକୁ ଆଉଁଷି ମୋର
ଜୀବନଦୀପ ମୋ ଉହାଡ଼ କରିଛୁ ଯୁଗ୍ମ ହାତରେ ତୋର।
ଶୁନ୍ୟ ଲାଗଇ ତୋର ବିନା ସବୁ ବୁଝି ବୁଝୁନାହିଁ ମନ
ଅସରନ୍ତି ଏଇ ପ୍ରତୀକ୍ଷାର ସତେ କେବେ ହେବ ଅବସାନ।