Latest Odisha News

BREAKING NEWS

ରାସ୍ତା କଡ଼ରେ ମଳ ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଗୋଲାପ ଦେଉଛି ଆସ୍କା ଏନଏସି

ବ୍ରହ୍ମପୁର: ନିଜ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ସରକାରୀ ଅଧିକାରୀମାନେ ଅନେକ ପ୍ରକାରର ପଦକ୍ଷେପ ନେଇଥାନ୍ତି। କିନ୍ତୁ ଗଞ୍ଜାମ ଜିଲା ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ)ଙ୍କ ଉଦ୍ୟମକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା।

ରାସ୍ତା କଡ଼ରେ ମଳ ତ୍ୟାଗ କରୁଥିବା ଲୋକମାନଙ୍କୁ ସଚେତନ କରିବା ପାଇଁ ଗାନ୍ଧୀଗିରି ବାଟକୁ ଆପଣାଇଛନ୍ତି। ସେମାନଙ୍କୁ ଗୋଲାପ ଫୁଲଟିଏ ଦେଇ ରାସ୍ତା କଡ଼ରେ ମଳ ତ୍ୟାଗ ନକରିବା ପାଇଁ ପରାମର୍ଶ ଦେଉଛନ୍ତି।

ଆସିକା ଏନ୍‌ଏସିରେ ରହିଛି ୧୮ଟି ୱାର୍ଡ। କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‌ ସହରକୁ ସଫା ସୁତରା ରଖିବା ଦିଗରେ ପଦକ୍ଷେପ ନେଇଛନ୍ତି।

ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ଠାରୁ ଆରମ୍ଭ କରି ପରିମଳ ପାଇଁ ବ୍ୟାପକ ଅନୁଦାନ ଖର୍ଚ୍ଚ କରାଯାଉଛି। କିନ୍ତୁ ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିନାହିଁ । ଘରେ ପାଇଖାନା ଥିଲେ ମଧ୍ୟ ଲୋକମାନେ ରାସ୍ତା କଡ଼ରେ ମଳ ତ୍ୟାଗ କରୁଛନ୍ତି ।

କାର୍ଯ୍ୟନିର୍ବାହୀ ଅଧିକାରୀ ବେଜ୍‌ଙ୍କ କହିବାନୁଯାୟୀ, ସହରର ଗଣ୍ଡପଲ୍ଲୀ ଏବଂ ପାକେଲାପଲ୍ଲୀ ଅଞ୍ଚଳରେ କିଛି ଲୋକ ରାସ୍ତା କଡ଼ରେ ମଳ ତ୍ୟାଗ କରୁଛନ୍ତି। ଦୁର୍ଗନ୍ଧରେ ସେହି ଅଞ୍ଚଳରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ସେଠାରେ ଗୋଟିଏ ଶୌଚାଳୟ ରହିଛି । ହେଲେ ତାହାକୁ ବ୍ୟବହାର କରୁନାହାନ୍ତି ।

ଉକ୍ତ ଅଞ୍ଚଳରେ ଜେଲ୍‌ ରହିଛି । ରାସ୍ତାରୁ ବାହାରୁଥିବା ଦୁର୍ଗନ୍ଧରେ ଜେଲ୍‌ର ଅନ୍ତେବାସୀମାନେ ମଧ୍ୟ ଅସୁବିଧାର ଶିକାର ହେଉଥିଲେ । ଏଣୁ ଗତ ରବିବାର ଠାରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ସକାଳୁ ସକାଳୁ ଉକ୍ତ ଅଞ୍ଚଳକୁ ପରିଦର୍ଶନରେ ଯାଉଛି । ଯେଉଁ

ମାନେ ରାସ୍ତା କଡ଼ରେ ମଳ ତ୍ୟାଗ କରୁଛନ୍ତି, ସେମାନଙ୍କୁ ଗୋଲାପ ଫୁଲ ଦିଆଯାଉଛି । ସେମାନଙ୍କୁ ସଚେତନତା କରାଯାଉଛି । ଏହାର ସୁଫଳ ମିଳୁଛି । ମାତ୍ର ଦୁଇ ଦିନ ଭିତରେ ଝାଡ଼ା ଫେରୁଥିବା ଲୋକମାନଙ୍କ ସଂଖ୍ୟାରେ ଦୃତ ହ୍ରାସ ଘଟିଛି ।

ଆଗାମୀ ଦିନରେ ସହରର ସବୁ ୱାର୍ଡରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବେଜ୍‌ ପ୍ରକାଶ କରିଛନ୍ତି। ଏନ୍‌ଏସିର ପରିମଳ ବିଶେଷଜ୍ଞ ଦୀପ୍ତିମୟୀ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରୁଛନ୍ତି।

Leave A Reply

Your email address will not be published.