Latest Odisha News

BREAKING NEWS

ଗଳ୍ପ : ପ୍ରକୃତ ବାନ୍ଧବୀ

ଗୌରାଙ୍ଗ ପଟେଲ

ଗୋଟିଏ ଦେଶୀ ପାଉଚ, ପାଞ୍ଚ ଟଙ୍କିଆ ମିକ୍ସଚର ପକେଟ, ଗୋଟେ ପାଣି ପାଉଚ ଆଉ ଗୋଟିଏ ଡିସ୍ପୋଜେବଲ୍ ଗ୍ଲାସ। ସହଜ ସୁଲଭ ତାରିକାରେ ମଦ ପିଆ।

ଦିନକୁ କେତେଥର କେଜାଣି କିନ୍ତୁ ଯେତେବେଳେ ଦେଖିଲେ ସେନକା ଆଗ ପଛହେଇ ଢଳି ଢଳି ଚାଲୁଥାଏ। ଘର ପରିବାରର ହାଲ ତାର ଦାୟିତ୍ୱ ସେ ଜାଣେନା। କେତେବେଳେ ଗୀତ ଗାଉଥିବତ କେତେବେଳେ ତା ପତ୍ନୀ ଝରାକୁ ଅପ୍ରିତୀକର ଗାଳି କରୁଥିବ।

କି ଦିନ କି ସନ୍ଧ୍ୟା, ପାହାଡ ତଳ ସାହିଟାକୁ ଯେତେବେଳେ ଯାଏ ଗୋଟେ ଦୁଇଟା ମଦ୍ୟପ ନମୁନା ସାଙ୍ଗରେ ଦେଖାହେବ ନିଶ୍ଚୟ।

ଝରା ପ୍ରାୟ ଅସୁସ୍ଥ ରହୁଥିଲା। ମାତାଳ ସେନକା ଓ ଅସୁସ୍ଥ ଝରା। ଦି’ଟା ଦିଅର, ଶାଶୁ, ଶଶୁର ତା ଉପରକୁ ଝରାର ଦେଢ ବର୍ଷର ପୁଅଟିଏ।

ବିଧିର ବିଡମ୍ବନା, ଝରାର ଜୁଆନ ସ୍ଵାମୀଟା ଚାଲିଗଲା। ଝରାର ଦହଗଞ୍ଜ କହିଲେ ନସରେ। ସ୍ୱାମୀ ଥିଲାବେଳେ ଝଗଡାଝାଟି ହେଉଥିଲା କିନ୍ତୁ ଝରା ଉପରେ ଆକ୍ଷେପ ସେତିକି ପଡୁନଥିଲା। ଏବେକିନ୍ତୁ ତା ନୀତିଦିନିଆଁ ଜୀବନ ଦୁର୍ବିସହ ହୋଇ ପଡିଛି। ସେ ଅଲକ୍ଷଣୀ, ପୁଅକୁ ଖାଇଗଲା, ଏମିତି କେତେ କଣ ଲାଞ୍ଛନା ତା ଉପରେ କଷାଘାତ ହେଲା। ସହିପାରିଲାନି ସେ। ଦିନେ ଝରାର ବାପା ଆସି ତାକୁ ଡାକିନେଇଗଲେ। ଦୁଃଖରେ ହେଉପଛେ ଝରା ଏବେ ତା ବାପଘରେ ସୁରକ୍ଷିତ ଅଛି।

ସେଇ ଗାଁରେ ଜମିଦାର ଘରର ଝିଅ ପ୍ରିୟା। ଏଇ ହାଲରେ ଘରକୁ ଆସିଥିଲା ମା, ବାପା ସାଙ୍ଗରେ ଦେଖା କରିବାପାଇଁ କାରଣ ଅଳ୍ପଦିନ ପରେ ସ୍ୱାମୀ ଭାନୁଙ୍କର ଆସିବାର ଅଛି। ତାପରେ ଦିଲ୍ଲୀ ଚାଲିଯିବେ। ମାଠୁ ପ୍ରିୟା ଜାଣିପାରିଲା ତା ପିଲାଦିନର ସାଙ୍ଗ ଝରା, କେମିତି ଦୁଃଖରେ ଅଛି । ପ୍ରିୟା ଓ ଝରା ଏକାସାଙ୍ଗରେ ପଢୁଥିଲେ। ଝରାର ବାପା ପ୍ରିୟାଘରେ ଗୋତି ଶ୍ରମିକ ଭାବେ କାମ କରୁଥିଲେ। ଖୁବ ବିଶ୍ୱାସୀ ଏବଂ ପରିଶ୍ରମୀ।

ମାଟ୍ରିକ ଫେଲ ହେବାପରେ ଝରା ଆଉ ଚେଷ୍ଟା କରିନି ପାଠ ପାଇଁ। ଜଣେ କନ୍ଟ୍ରାକ୍ଟର୍ ର ମଜୁରୀଆ ଦଳରେ ମିଶି ନିତି କାମକରେ। ସେତେବେଳୁ ସେନକା ସହ ତାର ଘନିଷ୍ଠତା କ୍ରମେ ଲଭ ମ୍ୟାରେଜ୍ ରେ ପରିଣତ ହେଲା।

ପ୍ରିୟା ବି. ଏସସି. , ବି. ଏଡ.। ବାହା ପରେ ସ୍ବାମୀ ସହ ଦିଲ୍ଲୀରେ ରହିଲା। ସେଠି ସିଏ ଚାକିରୀ କରେ ଓ ତା ସ୍ବାମୀ ଚନ୍ଦ୍ରଭାନୁ ଦିଲ୍ଲୀ ୟୁନିଭରସିଟିରେ ପ୍ରଫେସର ।

ପ୍ରିୟା ମନରେ ଉଦବେଳନ ସୃଷ୍ଟି କରିଥିଲା ଝରା ପ୍ରତି ସମୟ ଚକ୍ରର ପ୍ରଭାବ ସବୁ। ସେ ମନସ୍ଥ କଲା, ଝରା ଓ ତା ପୁଅକୁ ସାଙ୍ଗରେ ଦିଲ୍ଲୀ ନେଇଯିବା ପାଇଁ। ବାପା ମାଙ୍କୁ ପ୍ରିୟା ତା ମନକଥା ଖୋଲି କହିଲା। ଝିଅର ଅନୁକମ୍ପା ପାଇଁ ପ୍ରିୟାକୁ ତା ବାପା ମା ଆଶୀର୍ବାଦ ଦେଲେ।
ଯେତେବେଳେ ପ୍ରିୟା ଓ ତା ବାପା ଯାଇ ଝରାର ଘରେ ଦିଲ୍ଲୀ ଯିବାର ପ୍ରସ୍ତାବଟା ଦେଲେ, ଝରା ନିର୍ବାକ୍ ହୋଇ ସବୁ ଶୁଣୁଥିଲା ।

ଝରା ଘରେ ରାଜି ହେଲେ। ପ୍ରିୟା କଥାଟା ଭାନୁକୁ ଜଣାଇଲା। ସମ୍ମତି ବି ମିଳିଗଲା। ଆଗକୁ ଠିକ ରହିବ, ପ୍ରିୟା ମନେ ମନେ ଭାବୁଥିଲା। ତା ପୁଅ ପ୍ରଥମକୁ ଗୋଟିଏ ସାଙ୍ଗ ମିଳିଯିବ। ଦେଖା ରେଖା କରିବା ପାଇଁ ଝରା ତ ରହିବହିଁ।

ପ୍ରିୟା ସପରିବାର ଦିଲ୍ଲୀ ପହଞ୍ଚିଗଲା ଝରା ଓ ତା ପୁଅ ମୋହିତକୁ ସାଙ୍ଗରେ ନେଇ।

ପ୍ରଥମ ଓ ମୋହିତ ଉଭୟେ ଦୁଇ ତିନି ମାସର ସାନ ବଡ ହେବେ। ଭାଇ ଭାଇ ପରିକା ଲାଗୁଛନ୍ତି। ଜମି ଯାଇଛନ୍ତି। ସାଙ୍ଗରେ ଉଠିବା ବସିବା ଖାଇବା ପିଇବା। ପ୍ରିୟା ଓ ଭାନୁ କର୍ମମୟ ଜୀବନରେ ବ୍ୟସ୍ତ। ଝରା ଘର କାମ ସବୁ ସମ୍ଭାଳି ନେଉଛି। କେମିତି ବର୍ଷଟିଏ ବିତିଗଲା ଜଣାପଡିଲାନି।

ଅଚାନକ ଦିନେ ଝରା ସିରିଅସ ହୋଇଗଲା। ପ୍ରିୟା ତାକୁ ବଡ ହସ୍ପିଟାଲରେ ଦେଖାଇଲା। ଟେଷ୍ଟ ପରେ ଜଣାପଡିଲା ଝରାର ଲିଭର ଖରାପ ହେଇ ହେଇ ଆସୁଛି। ଅଳ୍ପ ଦିନର ଅତିଥି ସିଏ। ପ୍ରିୟା କୋହ ସମ୍ଭାଳି ପାରୁନଥାଏ। ଝରା ଠଉରାଇ ନେଲା। ସେ ପ୍ରିୟାକୁ କହିଲା, ଆଲୋ ଏଟା ମୋ ପୁରୁଣା ରୋଗପରା !

ଦିନେ ଝରା ପ୍ରିୟା କୁ ନେହୁରା ହୋଇ କହିଲା, ପ୍ରିୟା “ମୋ ପୁଅକୁ ପାଇଲୁ”!

ପ୍ରିୟା ଝରାକୁ ଜାବୁଡି ଧରି କାନ୍ଦିଲା। ଝରା ଆଖିରୁ ଅନର୍ଗଳ ଅଶ୍ରୁର ଧାରା ବହି ଚାଲିଥାଏ।

କିଛିଦିନ ପରେ ଝରା ଆଖି ବୁଜିଦେଲା। ପିଲା ଦିନର ସାଙ୍ଗକୁ ହରେଇ ଦୁଃଖିତ ହେଲା ପ୍ରିୟା କିନ୍ତୁ ତାର ଶେଷ ସନ୍ତକ ପୁଅକୁ ସେଇଦିନୁ ନିଜର କରିନେଇ ପ୍ରକୃତ ବାନ୍ଧବୀର ପରିଚୟ ଦେଲା ।

ଲଙ୍କାହୁଡା, ସୁନ୍ଦରଗଡ 

Leave A Reply

Your email address will not be published.