Latest Odisha News

BREAKING NEWS

ଗଳ୍ପ : ମଣିଷ ପଣିଆ 

କୌସ୍ତୁଭ ମାନ୍ନା 

ଅତ୍ୟନ୍ତ କଡା ନିରାପତ୍ତା ଓ ଜାକଜମକରେ ନିର୍ବାଚନୀ ସଭା ଶେଷ ହେଲା। ନେତା, ମନ୍ତ୍ରୀ, ସମର୍ଥକ, ମାଇକବାଲା, ଲାଇଟବାଲା ଓ ସ୍ବାଗତ ସମର୍ଦ୍ଧନାକାରି ଦଳ ସମସ୍ତେ ନିମିଷକ ମଧ୍ୟରେ ସେଇ ସ୍ଥାନ ଛାଡ଼ି ନିଜ ନିଜ କାମରେବାହୁଡ଼ିଲେ। ରହିଗଲା, କେବଳ ନେତା ବକ୍ତା ଶୂନ୍ୟ ଖାଲି ଚେୟାର ଓ ସୁସଜ୍ଜିତ ପେଣ୍ଡାଲ। ଆଉ ରହିଗଲା ପେଣ୍ଡାଲ ସାମ୍ନାରେ ଶ୍ରୋତା ଗ୍ୟାଲେରୀକୁ ଘେରିଥିବା କେତୋଟି ବାଉଁଶ। ପୁରା ଜନଶୂନ୍ୟ ।

ଆରେ! ଏ କଣ ଦେଖୁଛି ମଣିଷ ଆକୃତିର କଙ୍କାଳ ସାର୍ ଜୀବଗୁଡ଼ିକ ହଠାତ୍ ଚାରିଆଡୁ ଶ୍ରୋତାଙ୍କ ଗ୍ୟାଲେରୀ ଭିତରକୁ ପ୍ରବେଶ କରିବାକୁ ଝଡ଼ ବେଗରେ ଛୁଟି ଆସୁଛନ୍ତି କାହିଁକି ? ଆକୃତିରୁ ମାନେ ହୁଏ, ଏମାନଙ୍କ ମଧ୍ୟରେ ବୟସର ତାରତମ୍ୟ ରହିଛି ; ମାତ୍ର ଶାରୀରିକ ଗଠନ, ପୋଷାକ ପରିଚ୍ଛଦକୁ ଦେଖିଲେ ମନେ ହୁଏ ନାହିଁ ଯେ , ଏମାନେ ବି ମଣିଷ ! ଏମାନେ ଯେପରି ଭିନ୍ନ ଏକ ପୃଥିବୀରୁ ଆସିଥିବା ଜୀବ! ମୁଖମଣ୍ଡଳ ଓ ଚାହାଁଣୀ ଦେଖିଲେ ମନେହୁଏ, ଦଳେ ବେପରୁଆ, ଦାମ୍ଭିକ ଅପେକ୍ଷାରତ ସୈନିକ; ଜୀବନ ଯୁଦ୍ଧ ରେ ହାରିବାର ଲେଶ ମାତ୍ର ନାହିଁ। ବିଗୁଲ ବାଜିଲେ ଯୁଦ୍ଧ କ୍ଷେତ୍ରକୁ ଡେଇଁ ପଡ଼ିବେ, ଏଭଳି ପ୍ରାଣ ଚାଞ୍ଚଲ୍ୟରେ ଭରପୁର ! ସଭା ଶେଷ ହେବା ସଙ୍ଗେ ସଙ୍ଗେ ଯେପରି ବିଗୁଲ୍ ବାଜି ଉଠିଲା ଆଉ ସେମାନେ ସେଇ ସ୍ଥାନଟିକୁ ଦଖଲ କରିନେଲେ।

ଆଉ ତାପରେ, ଚାଲିଲା ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା । ସଭାକୁ ଆସିଥିବା ବାବୁ ଭାୟା ମାନଙ୍କର ପରିତ୍ୟକ୍ତ ଉଚ୍ଛିଷ୍ଟ , ପାଣି ବୋତଲ ଓ କାଗଜ ଠୁଙ୍ଗା ଗୋଟେଇବାରେ ; ଏପରି କି ତାଙ୍କ ନିଜ ନିଜ ମଧ୍ୟରେ କଳି, ମାର୍ ପିଟ୍ ଓ ଛଡ଼ା ଛଡି ହେଉଥିଲା। ଦୃଶ୍ୟଟି ଦେଖିଲେ ମନେହେବ ଯେପରି ମଇଳା ସଫା କରିବା ଏହି ମହାନ ଦାୟିତ୍ଵଟି କେବଳ ସେମାନଙ୍କର ! ସେମାନେ ନିଃସଙ୍କୋଚରେ ମହା ଆନନ୍ଦରେ ଅପରିଷ୍କାର କରିଥିବା ମଇଳା ଗୁଡାକୁ ଉଠାଇ ନେଇ ନିଜ ନିଜ କାନ୍ଧରେ ବୋହିଥିବା ବ୍ୟାଗ ଭିତରେ ସାଇତି ରଖୁଥିଲେ।

ସେମାନଙ୍କ ମଧ୍ୟରୁ ଛଅ ସାତ ବର୍ଷର ଛୋଟ ପିଲାଟିଏ । ଯିଏ କି ସବୁ ଅଇଁଠା ପତ୍ରକୁ ଚାଟି ପକାଉଥିଲା ଏବଂ ଗୋଟେ ଗୋଟେ ପାଣି ବୋତଲ ଗୋଟେଇ ବଳକା ପାଣିକୁ ଅନ୍ୟ ଏକ ବୋତଲରେ ସଂଗ୍ରହ କରିବାରେ ଲାଗି ପଡ଼ିଛି। ପୁଣି, ମନ ହେଲେ ସେଇ ବୋତଲରୁ ପାଣିକୁ ମୁହଁ ଲଗେଇ ପିଉଛି। ପିଲାଟି କିନ୍ତୁ ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ ଅଲଗା। ତାର ସେଇ ଗୋଟେ ବୋତଲ ପାଣି ଛଡ଼ା ଆଉ କିଛି ତା’ ହାତରେ ନଥିଲା। ବାଉଁଶ ଘେରା ଶ୍ରୋତା ଗ୍ୟାଲେରୀ ଏ ମୁଣ୍ଡରୁ ସେମୁଣ୍ଡ ଯାଏଁ ଏଭଳି ଏକ ଧୂସର ଜୀବମାନଙ୍କର ଦୃଶ୍ୟ ! ନାଚି କୁଦି ପଡିଆଟା ଯାକ ଘୁରି ବୁଲୁଥିବା ସେଇ ପିଲାଟି କିନ୍ତୁ ଚାହୁଁ ଚାହୁଁ କୁଆଡ଼େ ଉଭାନ ହୋଇଗଲା। ସେଇ ପିଲାଟି ଆଉ ନିର୍ଦ୍ଧିଷ୍ଟ ଘେରା ଭିତରେ ନାହିଁ।

କିଛି ସମୟ ପରେ ଦେଖାଗଲା, ଅନତି ଦୂରରେ ଗଛ ମୂଳେ ବସିଥିବା ଜଣେ ଷାଠିଏ , ସତୁରି ବର୍ଷର ବୃଦ୍ଧାକୁ ଧରିଥିବା ପାଣି ବୋତଲଟିଏ ବଢାଇ ଦେଇ କହୁଛି, ” ବୁଢ଼ୀ ମା ‘ ତୁ ପାଣି ପିଇବୁ? କୁଆଡେ ଆସିଥିଲୁ ? ବୁଢ଼ୀ ମା ‘ ତୁ ଏଠି କାହିଁକି ବସିଛୁ?” ଏଭଳି ଅନେକ ଅନେକ ?

କୋହକୁ ଚାପି ରଖି ବୁଢ଼ୀ କହିଲା, ” ଆଉ କହ ନାରେ ବାପା, ମନ୍ତ୍ରୀ, ଏମ ଏଲ୍ ଏ ଆସୁଛନ୍ତି ଶୁଣି ଏଇ ସଭାକୁ ଆସିଥିଲି, ଭାବିଥିଲି ସଭାରେ ଶୁଣିବି ! ଆଉ ଆମ ଗାଁର ଅଜୁକୁ କହି ମୋର ଭତ୍ତା କଥାଟା ନେତାଙ୍କ କାନରେ ପକାଇ ଦେବି। ମାତ୍ର କିଛି ହେଲା ନାହିଁ ବାପା ; ଭତ୍ତା କଥା ଦୁରେ ଥାଉ, ମୋତେ ଟିକିଏ ଶୁଣିଥିବା ଲୋକଙ୍କ ପାଖରେ ବସେଇ ଦେଲେ ନାହିଁ। ଆଉ ତାପରେ ! ହେଲେ ଜାଣିଛୁ ବାବୁ, ମନ୍ତ୍ରୀ ଏମ ଏଲ ଏ ବହୁତ୍ ବହୁତ ଭଲ କଥା କହିଲେ। ଜାଣେ ନା ସେମାନେ କଣ କଣ କରିବେ ! ଆଉ ତୁ କୁଆଡେ ବାବୁ” । ପିଲାଟି ଦୂରରେ ଥିବା ଗୋଟେ ପୋଲକୁ ହାତ ଦେଖାଇ କହିଲା – ମୁଁ ତ ସେଇ ପୋଲ ତଳେ ରୁହେ। ସେଇଟା ହିଁ ମୋ ଘର। ତୁ ଚାଲୁନୁ ଦେଖିବୁ, ମୋ ଘର କେତେ ସୁନ୍ଦର।” ଶୁଣିଲା ବେଳେ ବୁଢ଼ୀର ଆଖି ଛଳ ଛଳ ହୋଇ ଯାଉଥିଲା ; ପିଲାଟିକୁ ପଚାରିଲା “ଆଉ ତୋର କିଏ ଅଛି ବାବୁ?” ଆଉ କିଏ ! ନା, କେହି ନାହିଁ। ମୁଁ ଏକା ! ବୁଢ଼ୀର ଆଖିରୁ ଲୁହ ଧାର ବାଧା ମାନିଲା ନାହିଁ। ପିଲାଟି କହିଲା, ” ନିଏ ଆଉ ଟିକିଏ ପାଣି ପିଇବୁ ଯଦି ପିଇ ନିଏ, ମୁଁ ଘରକୁ ଯିବି।”

ବୁଢ଼ୀ ଅସ୍ପଷ୍ଟ ଭାବରେ କଣ ଗୁଡ଼ାଏ କହି ପିଲାଟି ମୁଣ୍ଡରେ ହାତ ଆଉଁଶି ଦେଇ କହିଲା ” ହଁ ରେ ବାପା ଯା, ଭଲରେ ରୁହ!”

Leave A Reply

Your email address will not be published.