Latest Odisha News

BREAKING NEWS

ଗଳ୍ପ : ତୋ ପାଇଁ ଗପ ଟିଏ

ସୁନୀତା ପ୍ରଧାନ 

କେହି ଯଦି ମୋତେ ପ୍ରେମ ଗଳ୍ପ ଲେଖିବାକୁ କୁହେ ମୁଁ ସିଧା ମନା କରିଦିଏ।ମୁଁ କୁହେ ମୋ ଦେଇ ସେ ପ୍ରେମ ଗପ ଫପ ଲେଖା ହୋଇ ପାରିବ ନାହିଁ।
କିନ୍ତୁ ଜାଣିଚୁ ଆଜି ୩୦ବର୍ଷ ପରେ କେବଳ ତୋରି ପାଇଁ ହିଁ ମୁଁ ଲେଖୁଛି ଏ ଗପ!!!

ମାନସୀ ରାୟ।ମାନୀ,ମାନୁ, ମନି କିଏ କଣ ଡାକେ ତୋତେ।କିନ୍ତୁ ତୁ ମୋ ମନର ମାନସୀ ହୋଇ ରହିଗଲୁ ଚିରଦିନ ପାଇଁ
ଆଜି ହଠାତ୍ ଏତେ ବର୍ଷ ପରେ ତୋ କଥା ଭାଙ୍ଗି ନ ପାରି ଲେଖୁଛି ଏ କାହାଣୀ।ତୋତେ ଏଇଟା ଗପ ଲାଗିପାରେ କିନ୍ତୁ ଏଇଟା ତୋ ପ୍ରତି ମୋର ପ୍ରକୃତ ପ୍ରେମ।
ଜୀବନର ଏହି ବୟସରେ ତୁ ମୋତେ ଘୃଣା କରିବୁ କିମ୍ବା ପରିତ୍ୟାଗ କରିବୁ ମୋର ଡର ନାହିଁ।କାରଣ ଯେଉଁ ଦିନ ତୁ ଆମ ସହର ଛାଡ଼ି ଚାଲିଗଲୁ ସେଦିନ ଯେତିକି କଷ୍ଟ ପାଇଥିଲି ତା ଠାରୁ ହୁଏ ତ ଆଉ ଅଧିକା କଷ୍ଟ ଲାଗିବନି।
ତୋ କଥା ଭାବି ଦେଲେ ମନ ଭିତରେ ସୁପ୍ତ ଥିବା ପ୍ରେମ ପକ୍ଷୀଟି ଜାଗ୍ରତ ହୋଇ ଉଠୁଛି ଅଚାନକ।ମୋ ନିରୁଧିଷ୍ଠ କିଶୋର ମନଟିର ପ୍ରେମ ପକ୍ଷୀଟି ଡେଣା ଝାଡି ଖୋଜି ବୁଲୁଛି ତୋ ଠିକଣା।

ମନେ ଅଛି ତୁ ଯେବେ ଆମ ସହରକୁ ଆସିଥିଲୁ ମୁଁ ଆଉ ତୁ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।ତୁ ଆମ ଇଂଲିଶ ସାରଙ୍କ ଭାଣିଜି ।ସ୍କୁଲର ସବୁ ପିଲାଠାରୁ ତୋର ସବୁଠୁ ଭଲ ପାଠ ହୁଏ।ସେତେବେଳେ ୟୁନିଫର୍ମ ନଥିଲା।ତେଣୁ ତୁ ସବୁବେଳେ ଭିନ୍ନ ଭିନ୍ନ ରଙ୍ଗର ଭିନ୍ନ ଭିନ୍ନ ଫ୍ରକ ପିନ୍ଧି ଆସୁ।ତୁ ଟିକେ ବଡ଼ ଘର ର ଝିଅ ଥିଲୁ।ତେଣୁ ତୋ ବେଶ୍ ଭୂଷାରେ ଆଭିଯାତ୍ୟ ବେଶ୍ ବାରି ହୋଇ ଯାଉଥିଲା।
ସେତେବେଳେ ତୋ ବୟସର ସବୁ ଝିଅ ୟୁ କଟ, ବବ୍ କଟ କରି ଚୁଟି ରଖୁଥିବାବେଳେ ତୁ ଦୁଇଟି ଲମ୍ବା ବେଣୀ ପାରୁଥିଲୁ।
ତୋ ଅଣ୍ଟା କୁ ଯାଏଁ ପଡୁଥିବା କଳା ଘୁମର୍ ଚୁଟିର ପ୍ରେମରେ ଯେ କେହି ପଡ଼ିଯିବା ସ୍ଵାଭାବିକ।
ଆଉ ତୋ ପୋଟଳ ଚିରା ଆଖିର ଚାହାଣୀ ସମସ୍ତଙ୍କୁ ପାଗଳ କରିଦେଉଥିଲା।
ଆମେ ସମସ୍ତେ ତୋ କଥା ରେ ମଜି ଯାଉଥିଲୁ।କାରଣ ତୁ କି ସୁନ୍ଦର ଭାବେ କଥା କହୁଥିଲୁ।ଯେତେବେଳେ ଆମେ ସବୁ ତୁଇ, ମୁଇ, ଇଟା ,ଶିଟା, କିନ୍ତି ,ଇନ୍ତି ଆମ କୋରାପୁଟ ଭାଷା କହୁଥିଲୁ ତୁ ତୋ ମିଠା ମିଠା ସ୍ୱରରେ କଣ କାହିଁକି ଏମିତି ସେମିତି କହିଲା ବେଳକୁ ଆମେ ବୋଧ ହୁଏ ସମସ୍ତେ ତୋତେ ଚାହୁଁଥାଉ।ତୋ କଥାରେ ବୋଧେ ମହୁ ଝରୁଥିଲା।।
ସ୍କୁଲ୍ ଯାକର ସମସ୍ତ ପୁଅ ଓ ଝିଅଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲୁ ତୁ।

ଯେଉଁ ଦିନ ଇଂରାଜୀ ପିରିଓଡ ରେ ଏସେପ୍ଟ କୁ ମୁଁ ଏକସେପ୍ଟ ବୋଲି ପଢିଲି । ସାର ବାରମ୍ବାର କହିବା ସତ୍ୱେ ମୁଁ ଏକ୍ସସେପ୍ଟ ବୋଲି କହୁଥିଲି।ତୁ ଠିଆ ହୋଇ ଯେତେବେଳେ ଏସେପ୍ଟ ବୋଲି ପଢିଲୁ ସାରଙ୍କ କହିବା ଅନୁସାରେ ତୁ ମୋତେ କାନ ମୋଡ଼ି ମାରିଥିଲୁ।

ଓଃ!!!ସେଦିନ ତୋ ପ୍ରତି ମୋ ମନରେ ଯେଉଁ ରାଗ ଓ ଘୃଣା ଭାବ ଭରି ଗଲା ମୁଁ ଅନେକ ଦିନ ଯାଏଁ ସେହି ଅପମାନକୁ ଭୁଲି ନଥିଲି।
ତେଣୁ,ସେଦିନ ଜାଣିଶୁଣି ତୋ ଖାତାରେ ଗୋଟେ ପାନ ପତ୍ର ଆଙ୍କି ଦେଇଥିଲି।ୟାର ମାନେ କଣ ସେତେବେଳେ ଜାଣି ନଥିଲି।କିନ୍ତୁ ଦଶମ ଶ୍ରେଣୀର ଜଣେବଡ଼ ଭାଇଙ୍କ ଖାତାରୁ ଏ ପାନପତ୍ର ଚିତ୍ର ବାହାରିବା ଦେଖି ସର୍ ଙ୍କ ଠାରୁ ଖୁବ୍ ମାଡ ଖାଇଥିଲେ ସେ।ତେଣୁ ମୁଁ ଭାବିଲି ତୁ ବି ମାଡ ଖାଇବୁ!!!

କିନ୍ତୁ ତୁ ବୋଧେ ଜାଣିଦେଲୁ!!

ତୁମ ମାମୁଁଙ୍କ ଘରକୁ ଆମେ କେତେଜଣ ଟ୍ୟୁସନ ପଢିବାକୁ ଯାଉ।ତୁ ବି ଆମ ସାଙ୍ଗରେ ବସି ପଢି।ସେଦିନ କେହି ନଥିଲେ।ସେତିକିବେଳେ ତୁ ମୋତେ କହିଥିଲୁ ଏମିତି କାହା ଖାତା ପତ୍ର ରେ କିଛି ଲେଖିବା ଉଚିତ୍ ନୁହେଁ।ମୁଁ କଣ ମୋ ନିଜ ଇଚ୍ଛାରେ ତୋତେ ବାଡେଇଛି।ମାମୁଁ କହିଲେ ବୋଲି ସିନା।ନହେଲେ ମୋ ହାତ କେମିତି ଯାଆନ୍ତା ତୋତେ ମାରିବାକୁ କହିଲୁ!!!

ବାସ୍ ସେହିଦିନ ଠାରୁ ତୋ ପ୍ରତି ମୋର କେମିତି ଗୋଟିଏ ଅଲଗା ଅନୁରାଗ ସୃଷ୍ଟି ହେଲା।ତୁ ଦିନେ ସ୍କୁଲ୍ ନ ଆସିଲେ ମୋ ମନ ଆଦୌ ପଢାରେ ଲାଗେନା।କାହିଁକି କେଜାଣି ସମସ୍ତଙ୍କ ଠାରୁ ତୁ ମୋତେ ବେଶୀ ମନେ ପଡ଼ୁଥିଲୁ।ତୋ ମୁହଁ ତ ହସ ତୋ ଆକଟ ସବୁ କିଛି।ମୁଁ ଜାଣି ନଥିଲି ଏଇଟା ପ୍ରେମ କି ଭଲ ପାଇବା କି ଆକର୍ଷଣ।କିନ୍ତୁ ତୁ ମୋତେ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଭଲ ଲାଗୁଥିଲୁ।

ମୁଁ ତୁମକୁ କେବେ ଭଲ ପାଏ ଓ ଆଇ ଲଭ୍ ୟୁ ବୋଲି କେବେ କିଏ କାହାକୁ କହି ନଥିଲୁ କି କେବେ କେହି କାହାକୁ ଛୁଇଁ ନଥିଲୁ କି ତୋତେ ମୁଁ କେବେ ନିରୋଳା ମୁହୂର୍ତ୍ତରେ ଜଡାଇ ଧରିବାର ଚେଷ୍ଟା କରିନାହିଁ ତଥାପି ତୁ ମୋ ଭିତରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ସାରିଥିଲୁୂ।

ମୋ ମନରେ ତୋ ପାଇଁ ଅଙ୍କୁରୋଦଗମ୍ ହୋଇଥିବା ପ୍ରେମର ଗଛଟିରେ ଏବେ ବି ସତେଜ ଫୁଲ ଭର୍ତି ହୋଇ ରହିଛି ।ନହେଲେ ଆଜି ଯାଏ ତୋ ପ୍ରେମର ସୁରଭି ଏବେବି ତାଜା ହୋଇ ମୋର ମନ ପ୍ରାଣ ହୃଦୟ କୁ ବାସ୍ନାମୟ କରି ରଖନ୍ତ। !!!

ସେହି ବର୍ଷ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ସରିବା ପରେ ପରେ ହଠାତ୍ ଦିନେ ଆମ ସମସ୍ତଙ୍କୁ ଚମକେଇ ଚାଲିଗଲୁ ନିଜ ଗାଁ କୁ। ନା ପୂର୍ବରୁ କିଛି ଜଣେଇ ଥିଲୁ ନା ପରେ କିଛି ଖବର ଦେଲୁ।

ତାପରେ ବେଶ୍ କିଛିଦିନ ମୁଁ ତୋତେ ଝୁରି ହେଲି ।ତୋ ଅନୁପସ୍ଥିତି ମୋ ପାଇଁ ଅସହ୍ୟ ଥିଲା।ମୁଁ ଜାଣି ନଥିଲି ଏଇଟା ପ୍ରେମ ନା ତୋ ପାଇଁ ମୋ ଆକର୍ଷଣ?
ତା ପରଠାରୁ ଆଜି ଯାଏ ତୋତେ ଖୋଜିଛି ସବୁଠି ଏକ ପାଗଳ ଭଅଁର ପରି।ତୋ ଆଖି ତୋ ହସ ଲମ୍ବା ବେଣୀ ମୋଆଖି ଆଗରେ ଘୁରି ବୁଲୁଛି ଏକ ଚଳ ଚଞ୍ଚଳ ପ୍ରଜାପତି ପରି।

ତା ପରେ ମୋ ପାଠ ପଢା ,ଚାକିରୀ ଏହାରି ଭିତରେ ଅନେକ ଖୋଜିଛି ତୋତେ କିନ୍ତୁ ପାଇନି । ଇଂଲିଶ ସାରଙ୍କୁ କେମିତି ପଚାରି ପାରିଥାନ୍ତି ମାନସୀ କୋଉଠି ? ନା ସାହସ ହୁଏନି କି ପଚାରିଲେ ଅସଭ୍ୟ ବୋଲି ଭାବି ନେବେ ସେ ଭୟରେ କେବେ ପଚାରି ପାରେନି?

ଏମିତି ରେ ମୋ ବିବାହ ହୋଇଗଲା।ତୁ ଏଇଟା ସଂଯୋଗ କହିପାରୁ କି ଆଉ କଣ କିନ୍ତୁ ମୋ ସ୍ତ୍ରୀର ନାଆ ବି ମାନସୀ ଥିଲା।ତୋ ଭଳି ଶ୍ୟାମଳୀ ନଥିଲା ସେ ଗୋରା ତକ୍ ତକ୍ ଦେହ।ତୋ ଭଳି ଅଣ୍ଟା ଯାଏ ଲମ୍ବି ନଥିଲା ତା ଚୁଟି।
ବେକ ଯାଏଁ ପଡ଼ିଥିବା ଚୁଟିକୁ ସଯତ୍ନରେ ବେକ୍ କ୍ଲିପ୍ ଦ୍ଵାରା ବାନ୍ଧି ରଖିଥାଏ ସେ । ତୋ ଭଳି ବଡ଼ବଡ଼ ଆଖି ନଥିଲା କି ସେ ଆଖିରେ ସେ ଚାହାଣି ନଥିଲା।
କିନ୍ତୁ ମୁଁ ତାକୁ ମାନସୀ ବୋଲି ଡାକି ପାରେ ନା।ଖାଲି ତୋ ଚେହେରା ମନେ ପଡ଼ିଯାଏ ବୋଲି।
ମୁଁ ତାକୁ ପ୍ରୀତି ବୋଲି ଡାକେ। ତାକୁ ସ୍ତ୍ରୀ ର ସମସ୍ତ ଅଧିକାର ଭଲ ପାଇବା ସବୁ ଅଜାଡ଼ି ଦେଇଥିଲି।ତାକୁ କେବେ କୌଣସି ଅଭିଯୋଗର ସୁଯୋଗ ଦେଇନି।ତଥାପି ମୋ ମନର ନିଭୃତ କୋଣରେ ତୋ ପାଇଁ ସେହି ଟିକକ ଭଲ ପାଇବା ଏବେ ବି ସେମିତି ସାଇତି ହୋଇ ରହିଛି।

ଏବେ କିଛି ଦିନ ତଳେ ରବି ଫୋନ କରିଥିଲା।କହିଲା,” ସ୍ମାରକ ଏହିବର୍ଷ୍ ଆମ ବ୍ୟାଚର ଏକ ବନ୍ଧୁ ମିଳନ କରିବା”।ମୁଁ ମୋ ବ୍ୟସ୍ତ ବହୁଳ ଜୀବନ ଭିତରୁ ସମୟ କାଢି ଥିଲି ବାସ୍ ଥରୁଟିଏ ତୋତେ ଦେଖିବି ବୋଲି।
ଏହି ବର୍ଷ ଆମ ୧୯୯୯ ବ୍ୟାଚର ବନ୍ଧୁ ମିଳନକୁ ଆମେ ସମସ୍ତେ ଯୋଗ ଦେଇଥିଲୁ।ମୁଁ, ମନୋଜ ,ପ୍ରଦୀପ, ଗୋପୀ,ସୀମା,ଆଲୋକ,ଗାଣା,ସୁଶାନ୍ତ, ପପୁ,ବାପି,ଦାଶରଥି,ଟୁଲୁ, ରେଣୁ, ଅଳକା, ସସ୍ମିତା,ଟିକି,ରିଙ୍କି,ସପ୍ନା ସମସ୍ତେ।ସମସ୍ତଙ୍କ ମଧ୍ୟ ରେ ମୋ ଆଖି ଖୋଜିବୁଲୁଥିଲା ତୋତେ।ନା ଶେଷ ଯାଏ ଅପେକ୍ଷା କରି ମଧ୍ୟ ତୁ ଆସିଲୁ ନାହିଁ।ତୋତେ ଥରୁଟେ ଦେଖା କରିବାର ଏହି ଆଶା ମଧ୍ୟ ମୋର ଶେଷ ହୋଇଗଲା।।
କିନ୍ତୁ ତୋତେ ଦେଖା କରିବା ର ଅସମ୍ଭବ ଜିଦ୍ ଯୋଗୁଁ ମୁଁବାଧ୍ୟ ହୋଇ ତୋ ମାମୁଁ ପୁଅ ଭାଇ ବିକାଶ ଭାଇଙ୍କୁ ତୋ ନମ୍ୱରଟି ମାଗିଥିଲି।ଆଊ ଘରକୁ ଆସି ଉତ୍କଣ୍ଠାର ସହ ତୋତେ ମେସେଜ କରିଥିଲି।ପ୍ରଥମେ ଫୋନ କରି ତୋତେ ଚମକେଇ ଦେବି ଭାବି ଥିଲି କିନ୍ତୁ ନା ତୋତେ ମେସେଜ କରି ତାପରେ ତୋତେ କଲ୍ କରିବି ଭାବି ମେସେଜ କଲି।ତୁ ସାଙ୍ଗେ ସଙ୍ଗେ ମେସେଜର ଉତ୍ତର ଦେଲୁ।ଏଥର ମୋ ଖୁସି କହିଲେ ନସରେ।ବାସ୍ ମୁଁ କଥା ହେଲି ତୋ ସହ।ତୁ ବି ଖୁବ୍ ଖୁସିରେ କଥା ହେଲୁ।ତୋ ଓ ଏ ସ ଅଫିସର୍ ସ୍ବାମୀ ତୋ ଝିଅ ପୁଅ ଙ୍କ କଥା ଖୁବ୍ ଗପିଲୁ।

ମୋ ଖୁସି ବି ବନ୍ଧ ବାଡ ମାନୁ ନଥାଏ।ଏତେ ବର୍ଷ ପରେ ତୋ ସ୍ୱର ଶୁଣି।ମୁଁ କହିଲି ମୁଁ ଭିଡିଓ କଲ୍ କରୁଛି ତୋତେ ଦେଖିବି ଥରେ।

ବାସ୍ ଲଗେଇଲି ଭିଡିଓ କଲ୍।ଏ କଣ!!!ମୁଁ ମୋ ଆଖିକୁ ବିଶ୍ୱାସ କରିପାରୁନଥିଲି।ତୁ ସମ୍ପୂର୍ଣ ବଦଳି ଯାଇଥିଲୁ।ଏ କି ବିବର୍ଣିଆ ରୂପ।ତୋ ର ଯେଉଁ ଘଞ୍ଚ ଲମ୍ବା ବେଣୀ ପାଇଁ ସଭିଏଁ ପାଗଳ ଥିଲେ ତା ବଦଳରେ ତୁ ସମ୍ପୂର୍ଣ ଲାଣ୍ଡି।ତୋ ଦେହ ହାତ ସବୁ ଅଙ୍ଗାର ପରି କଳା କିଟିକିଟି ଦିଶୁ ଥିଲା।

ତୋର ଏ ବିବତ୍ସ ରୂପ ଦେଖି ମୋ ମନ ଭିତର ଟା କାନ୍ଦି ଉଠିଲା।
ତୁ କହିଥିଲୁ ,”କ୍ୟାନସରର ସମସ୍ତ ଜୀବାଣୁ ତୋ ଦେହ ର ସମସ୍ତ କୋଷିକାକୁ ଆକ୍ରାନ୍ତ କରି ସାରିଛି।ତୁ ମାତ୍ର ଆଉ କିଛି ଦିନର ଅତିଥି”!!!
ଡକ୍ଟର ବି କହି ସାରିଛନ୍ତି ଯେ ତୁ ଆଉ କିଛି ଦିନର ଅତିଥି।ହୁଏ ତ ମାସେ ଦୁଇମାସ କି ଦିନେ ଦୁଇ ଦିନ।ମୁଁ ଆଜି ନିଜକୁ ଧିକାରୁ ଥିଲି କାହିଁକି ତୋତେ ଆଜି ଯାଏ ଖୋଜୁ ଥିଲି କାରଣ ତୋତେ ଏ ଅବସ୍ଥା ରେ ଦେଖି ପାରୁ ନଥିଲି ମୁଁ।

ଶେଷରେ ତୁ କହିଲୁ,”ସ୍ମାରକ ମୋର ଗୋଟେ ଛୋଟ ଅନୁରୋଧ ରଖିବୁ।ତୁ ୟାରି ଭିତରେ ଏକ ସୁଲେଖକ ହୋଇ ସାରିଚୁ ମୁଁ ଜାଣେ।ତୋ ଲେଖା ମୁଁ ଅନେକ ପଢିଛି।କିନ୍ତୁ ସବୁବେଳେ ସେହି ସାମାଜିକ ପାରିବାରିକ ସ୍ଥିତି କୁ ନେଇ ତୋ ଗଳ୍ପ ସବୁ।କେବେ ଥରେ ଗୋଟେ ପ୍ରେମ ଗଳ୍ପ ଲେଖେ କେବଳ ମୋ ପାଇଁ”।

ବାସ୍ ଆଜି ତୋ ପାଇଁ ମୋର ଏହି ପ୍ରଥମ ଓ ଶେଷ ଗଳ୍ପ।ଜାଣେନା ଏଇଟା ପଢ଼ିବା ପରେ ତୋ ମନରେ କି ପ୍ରକାର ଭାବାନ୍ତର ହେବ।ତୁ ମୋତେ ଘୃଣା କରିବୁ ନା ଭଲ ପାଇବୁ ଜାଣେନା।ତୋ ପାଇଁ ମୋ ମନରେ ଅଙ୍କୁରି ଥିବା ସେହି ପ୍ରେମ ଆଜି ସ୍ଥିତି ହୀନ,ବେସାହାରା ।ତୁ ଥରେ ପଢ଼ିଦେଲେ ମୋ ଲେଖା ସାର୍ଥକ ହୋଇଯିବ।ମୁଁ ଆଉ ଆଗକୁଲେଖି ପାରୁନି କିଛି।ମୋ ଆଖି ଝାପସା ହେଇଯାଉଚି ଲୁହରେ।
ତୋ ପାଇଁ ,ମୋ ପ୍ରଥମ ପ୍ରେମ ପାଇଁ ଉତ୍ସର୍ଗ ଏ ଗପ ।

Leave A Reply

Your email address will not be published.