ଶ୍ୱେତପଦ୍ମା ପାଢ଼ୀ
ସ୍ବପ୍ନ ଯାହା ପରିପ୍ରକାଶ କରିଥାଏ ମନର ଆଶା, ଆକାଂକ୍ଷା ଓ ଉଦ୍ଦୀପନାକୁ । ସ୍ବପ୍ନ ଯାହା ନିଦ୍ରାର କିଛି ସମୟ ପରେ ଅସ୍ଵେଚ୍ଛାକୃତ ମନରେ ଉତ୍ପନ ହେଉଥିବା ଛବି,ବିଚାର, ଭାବନା, ସମ୍ବେଦନଶୀଳତାର ମିଶ୍ରଣ ଅଟେ । ସ୍ବପ୍ନ ଯାହା ରାତିରେ ଶୋଇଲା ବେଳେ ଦେଖାଯାଏ, ବରଂ ଯାହା ଆମକୁ ଶୁଆଇ ଦିଏନି ତାହା ହିଁ ସ୍ବପ୍ନ । ତେଣୁ ନିଜର ସ୍ବପ୍ନ କୁ ସାକାର କରିବାକୁ ଚେଷ୍ଟା କର । ନିଜର ମିଶନ,ନିଜର ଲକ୍ଷ୍ୟ ସଫଳ କରାଇବା ପାଇଁ ଶାନ୍ତ ମସ୍ତିଷ୍କରେ ଜୀବନର ପ୍ରତେକ ପଦକ୍ଷେପକୁ ସ୍ଥିର କରିବାକୁ ପଡ଼ିବ । ସ୍ବପ୍ନ ଗତିଶୀଳ କରାଇଥାଏ ଚିନ୍ତାଧାରାକୁ ଓ ଚିନ୍ତାଧାରା ଗତିଶୀଳ କରାଇଥାଏ କାର୍ଯ୍ୟକୁ । କାର୍ଯ୍ୟ ଗତିଶୀଳ କରାଇଥାଏ ମନର ଉଦ୍ଦୀପନାକୁ, ମନର ଆଶାକୁ ଓ ମନର ଆବେଗକୁ । ସ୍ବପ୍ନ ଯାହା ବାସ୍ତବତା ନୁହେଁ, ଏହା ଚମତ୍କାରିତା ଅଟେ। ଯାହା ଆମକୁ ଆନନ୍ଦିତ କରାଇଥାଏ । ଏହି ଆନନ୍ଦ ପ୍ରଦାନକାରୀ ସ୍ବପ୍ନ ସେତେବେଳେ ବାସ୍ତବତା ପରିଣତ ହୁଏ ଯେତେବେଳେ ଜୀବନର ପ୍ରତିଟି ମୁହୂର୍ତ୍ତରେ ଦୃଢ଼ ସଂକଳ୍ପର ସହ କଠିନ ପରିଶ୍ରମ କରାଯାଏ । ଜୀବନ ଦ୍ରୁତଗାମୀ ପକ୍ଷୀ । କେତେବେଳେ ବି ଉଡିଯାଇପରେ । ସେହି ସ୍ୱଳ୍ପ ମୁହୂର୍ତ୍ତ ଓ କିଞ୍ଚିତ୍ କ୍ଷଣରେ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାର ଯୋଜନାକୁ ହିଁ ସ୍ବପ୍ନ କୁହାଯାଏ । ଯାହା ଅସମ୍ଭବକୁ ସମ୍ଭବ କରାଏ ଓ ଅସଫଳତାର ଦୁଃଖକୁ ଦୂର କରିଥାଏ ତାହା ହିଁ ବାସ୍ତବତା । କିନ୍ତୁ ବେଳେ ବେଳେ ସ୍ବପ୍ନ ଓ ବାସ୍ତବତା ଭିତରେ ସ୍ଵର୍ଗ ପାତାଳର ଫରକ ଆସିଥାଏ । ବାସ୍ତବତାରେ ଆଖି ଖୋଲିଲା ପରେ ସ୍ବପ୍ନଟା ଭାଙ୍ଗି ଚୂରମାର୍ ହେଲେ ବହୁତ ଯନ୍ତ୍ରଣା ଦିଏ ।
ଏମିତି ଏକ ସ୍ବପ୍ନ ଥିଲା ଅର୍ଜୁନ ଓ ମିତାଲୀର । ସତେଇଶ ବର୍ଷର ଯୁବକ ଅର୍ଜୁନ । ଜୀବନର ଅୟଆରମ୍ଭରେ ଯାହାର ଆଖିରେ ଅସୁମାରୀ ସ୍ବପ୍ନ । ମୁଁ ବାହା ହେଇ ଆସିବା ପରଠାରୁ ଆମ ସୋସାଇଟି ସାମ୍ନା ପଡୋଶୀ ହିସାବରେ ଚିହ୍ନା ଜଣା । ଘରେ ତା’ର ବାପା ମାଆ, ଭାଇ ଭାଉଜ ଆଉ ଦୁଇ ବର୍ଷର ଝିଆରୀ । ତା’ ବାକି ଘର ଲୋକଙ୍କ ସହ ମୋର ଏତେଟା କଥାବାର୍ତ୍ତା ନାହିଁ । ଏମିତି ନୁହଁ ଯେ ମୋର ଇଚ୍ଛା ନାହିଁ ହେଲେ ଆସିବା ଦିନରୁ ଦେଖିଛି କଣ୍ଟା ବାଡ଼ରେ ଲୁଗା ପକେଇ ଝଗଡା କରିବା ପ୍ରକୃତି ମାଆର । ବାପା ଟା ତ ଦେଖିବାକୁ ସୁକୁଟା ଆଉ ତା’ ହାବ ଭାବ ବି ସୁକୁଟା । ବଡଭାଇ ଭାଉଜ ନିଜ ଦୁନିଆରେ ମସଗୁଲ୍ । କାହାର କ’ଣ ଗଲା ସେଥିରେ ବା ତାଙ୍କର କ’ଣ ଯାଏ !
ଅଫିସ ଯିବା ଆସିବା ସମୟରେ, ସକାଳ ଭ୍ରମଣ କି ସନ୍ଧ୍ୟା ଭ୍ରମଣ ସମୟରେ ବେଳେ ବେଳେ ଭେଟ ହୁଏ ଅର୍ଜୁନ ସହ । ଆଖି ମିଶିଗଲେ କେବଳ ସ୍ମିତ ହାସ୍ୟ ଦିଏ । ମୋ ସ୍ବାମୀ କଥା ବାର୍ତ୍ତା ହେଉଥିଲେ ତାହା ସହ । ସ୍ବାମୀଙ୍କ ପାଖରୁ ଜାଣିଥିଲି ଭାରୀ ଭଲ ପିଲା, ସାହାଯ୍ୟ ମନୋବୃତ୍ତି, ଦୟାଳୁ ଓ ପରିଶ୍ରମୀ । ପଲିଟିକାଲ ପାର୍ଟି ସହ ଜଡ଼ିତ । ଆଉ ପାଞ୍ଚ ବର୍ଷ ହେଲାଣି ସମାଜ ସେବା, ସ୍ଥାନୀୟ ପାର୍ଟି କାମ ସମ୍ଭାଳୁଛି । ଆଶ୍ଚର୍ଯ୍ୟ ହେଲି ଶୁଣିକି ସବୁଠାରୁ ବଡ଼ କଥା ଯେ ବିଧାୟକ ନିର୍ବାଚନ ପାଇଁ ସ୍ଥାନୀୟ ଲୋକଙ୍କ ପସନ୍ଦ କରନ୍ତି ତାକୁ, ହେଲେ ଟିକେ ବି ଆତ୍ମଗର୍ବ ନାହିଁ । ଶେଷ ଦୁଇଥର ନିର୍ବାଚନରେ ଲଗାତାର ପୂର୍ବ ବିଧାୟକଙ୍କ ଡାହାଣ ହାତ ହେଇ ଅହରହ ପରିଶ୍ରମ କରିଥିଲା । ଏଥର ପାର୍ଟି ତାକୁ ନିର୍ବାଚନ ପାଇଁ ଟିକେଟ ଦେଇ ଛିଡ଼ା କରିଛି । ଭାରି ପରିଶ୍ରମି ସହରର ସବୁଠାରୁ ବଡ଼ ସପିଙ୍ଗ କମ୍ପ୍ଲେକ୍ସରେ ଫୁଡ୍ କାଫେ ଖୋଲି ଥିଲା । ବହୁତ ଭଲ ଚାଲୁଥିଲା । ଆମେ ସ୍ବାମୀ ସ୍ତ୍ରୀ ବି ମଝିରେ ମଝିରେ ତା’ କାଫେ ଯାଉ । ଆମକୁ ବି ସେଠିକାର ଚାଇନିଜ ଫୁଡ୍ ବହୁତ ପସନ୍ଦ । ମୁଁ ଗଲେ ଭାଉଜ ଭାଉଜ ହେଇକି ଅଧିକା ଦେଇ ଦିଏ ଖାଇବାକୁ ।
ଆଗ ଆଗ ମୋ ସ୍ବାମୀଙ୍କ ସହ ଗପୁଥିଲା । ଧୀରେ ଧୀରେ ତା’ର ମୋର ବି ଭଲ ବନ୍ଧୁତା ହେଇଗଲା । ତା’ର ପରେ ତା’ର ପ୍ରେମ କାହାଣୀ ଜାଣିଲି । ନିର୍ବାଚନ ପ୍ରଚାର ବେଳେ ଘର ଘର ବୁଲି ଲୋକଙ୍କ ସମସ୍ୟା ସମାଧାନ କରୁଥିଲା । ଗୋଟେ ବିବାହିତ ଝିଅ ମିତାଲି ପାରିବାରିକ କଳହ ସମସ୍ୟା ନେଇ ଆସିଥିଲା ତା’ ପାଖକୁ । ମଦ୍ୟପ ସ୍ବାମୀକୁ ଶାଶୁର ଅତ୍ୟାଚାର । ଯଥା ସାଧ୍ୟ ସମାଧାନ ପାଇଁ ଚେଷ୍ଟା କରିଥିଲା । କିନ୍ତୁ ସମସ୍ୟା ସମାଧାନ ବଦଳରେ ବିଗିଡି ଗଲା । ଶେଷରେ ଶଶୁର ଘରୁ ଝିଅଟିକୁ ତଡ଼ି ଦେଇଥିଲେ । ପାଠ ପଢିଥିଲା ବୋଲି ଅର୍ଜୁନ ଚିହ୍ନା ଜଣା ରେ କହିକି ଚାକିରୀ କରେଇ ଦେଇଥିଲା ମିତାଲିର । ସମୟ କ୍ରମେ ଦିହେଁ ଦି ଜଣଙ୍କୁ ଭଲ ପାଇ ବସିଥିଲେ । ବିବାହ କରିବେ ବୋଲି ମନ ସ୍ଥିର କରିଥିଲେ ମଧ୍ୟ ।
ଗଣେଷ ପୂଜା ବେଳର କଥା । ପୁରୁଣା ଘର ଭାଙ୍ଗି ନୂଆ ଡିଜାଇନର ଘର ବନେଇବା ପାଇଁ ଆର୍କିଟେକ୍ଚର୍ ସହ କଥା ହେଇ ଡିଜାଇନ୍ ଦି ଚାରିଟା ଆଣିଥିଲା । ସେଦିନ ସନ୍ଧ୍ୟା ଭ୍ରମଣ ସାରି ଆମେ ସୋସାଇଟି ପାର୍କର ବେଞ୍ଚରେ ବସି ଥିଲୁ । ବହୁତ ଖୁସି ଥିଲା ଅର୍ଜୁନ । ସିଧା ଆସି ଆମ ପାଖରେ ପହଞ୍ଚି ଘର ତିଆରି କଥା କହି ଡିଜାଇନ୍ ଦେଖଉ ଥିଲା ଆଉ କହିଲା, ବହୁତ ଦିନର ପ୍ରତୀକ୍ଷାର ଅନ୍ତ ହେବ…ଘର ତିଆରି ସରିଲା ପରେ ପରେ ସେ ବାହା ହେଇ ପଡ଼ିବ । ଜୋର୍ସୋର୍ ରେ ତା’ର ଘର ତିଆରି ଆରମ୍ଭ ହେଇଗଲା । ସତରେ ଏତେ ସୁନ୍ଦର ଡିଜାଇନ୍ ବହୁତ ଦିନ ପରେ ଏତେ ସୁନ୍ଦର ଘର ଦେଖୁଥିଲି । ସ୍ବପ୍ନ କି ଟିଭିରେ ଦେଖିବା ଆଉ ବାସ୍ତବରେ ସ୍ବଚକ୍ଷୁରେ ଦେଖିବାରେ ବହୁତ ଫରକ ଅଛି । ଘର ତିଆରି ସରି ଆସିଲା ବେଳକୁ ସେ ଓ ମିତାଲି ବାହା ମଧ୍ୟ ହେଇ ଗଲେ ।
ତା’ ପରେ ପରେ ଆମେ ଭୁବନେଶ୍ୱର ଆସିଥାଉ ଘରକୁ । ପ୍ରାୟ ପାଖାପାଖି ଦୀର୍ଘ ତିନି ମାସ ପରେ ଆମେ ଆମର ଚାକିରୀ କ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କଲୁ । ଆମ ଫ୍ଲାଟର ରୋଷେଇ ଘର ଝରକାରୁ ତା’ ବାଲକୋନୀ ଓ ଛାତ ସ୍ପଷ୍ଟ ଭାବେ ଦେଖି ହୁଏ । ଅର୍ଜୁନ ସବୁବେଳେ ସକାଳୁ ସକାଳୁ ଛାତ ଉପରେ ବ୍ୟାୟାମ କରେ । ଦି ଦିନ ହେଲାଣି ସେ ଦେଖା ଯାଉନି । ଆମେ ଭାବିଲୁ ହୁଏତ ପାର୍ଟି କାମରେ ବ୍ୟସ୍ତ ଥିବ ! ହେଲେ ସେଇ ଦିନ ସନ୍ଧ୍ୟା ବେଳକୁ ତା’ ଘର ସାମ୍ନାରେ ପୋଲିସ ଦେଖି ଆଶ୍ଚର୍ଯ୍ୟ ଲାଗିଲା । ତୃତୀୟ ଦିନ ଯେତେବେଳେ ଚାକରାଣୀ କାମ କରିବାକୁ ଆସିଲା, ସେତେବେଳେ ଯାହା ଶୁଣିଲି ଆମ ଗୋଡ଼ ତଳୁ ମାଟି ଖସି ଗଲା । ମୋ ସ୍ବାମୀ ତ କିଛି ସମୟ ପାଇଁ ବିଶ୍ଵାସ ବି କରି ପାରିଲେନି । ଅର୍ଜୁନ ଆଉ ଏଇ ଦୁନିଆରେ ନଥିଲା । ସବୁ ତଦନ୍ତ ପରେ ବି ଜାଣି ହେଲାନି ଯେ ହତ୍ୟା ନା ଦୁର୍ଘଟଣା ଥିଲା । ଦୁଃଖ ତ ଆହୁରି ଲାଗିଲା ଶୁଣିକି ତା’ ସ୍ତ୍ରୀ ମିତାଲିକୁ ଧକ୍କା ମାରି ଘରୁ ତଡ଼ି ଦେଇଥିଲା ଅର୍ଜୁନର ଜନ୍ମକଲା ମାଆ ।
ଅର୍ଜୁନ ଅଜାଙ୍କର ଅମାପ ସମ୍ପତ୍ତି ଥିଲା । ଅର୍ଜୁନ ମାଆ ଗୋଟିଏ ସନ୍ତାନ । ଅର୍ଜୁନ ବଡଭାଇ ଆଉ ବାପାକୁ ତା’ ଅଜା ଆଦୈା ପସନ୍ଦ କରୁ ନଥିଲେ । ମରିବା ଆଗରୁ ନିଜର ଅଚଳାଚଳ ସମ୍ପତ୍ତିର ମାଲିକ ଅର୍ଜୁନକୁ କରିଥିଲେ । ଆମେ ଜାଣିବା ଭିତରେ ଅର୍ଜୁନ ମଦ ପିଏ ନାହିଁ । ତା’ ସାଙ୍ଗ ଓ ସ୍ତ୍ରୀ ମଧ୍ୟ ପୋଲିସକୁ କହିଥିଲେ ଯେ ଅର୍ଜୁନ କୈାଣସି ରକମର ନିଶା କରେନି । ଅଥଚ ପୋଲିସ୍ ରିପୋର୍ଟ ଦେଇଛି ଅତ୍ୟଧିକ ମଦ୍ୟ ପାନ ହେତୁ କିଡନୀ ଫେଲ୍ ମାରିଗଲା ବୋଲି ମୃତ୍ୟୁ ହେଇଛି । ଚାକରାଣୀ କହୁଥିଲା, ଦେଇ ଅର୍ଜୁନର ପାଖ ଲୋକ କହୁଥିଲେ, ବହୁତ ଦିନରୁ ବାପଭାଇ ମିଶି ଅର୍ଜୁନ ସାଙ୍ଗରେ ଝଗଡା କରୁଥିଲେ ଯେ ସମ୍ପତ୍ତିରୁ ଭାଗ ଦେବାକୁ । ସେଦିନ କୂଆଡେ ତା’ ବାପା ଭାଇ ମିଶି ତାକୁ ମଦ ପିଆଇ ସମ୍ପତ୍ତି କାଗଜପତ୍ରରେ ଦସ୍ତଖତ ନେଇଗଲେ । ସମ୍ପତ୍ତି ବିଷୟରେ ତା’ ସ୍ତ୍ରୀକୁ ବି କିଛି ଜଣା ନ ଥିଲା । ବହୁତ ଦିନ ଧରି ଅର୍ଜୁନର ସେ ନିଆରା ହସ ହସ ମୁହଁଟି ମନେ ପଡୁଥିଲା । ସବୁବେଳେ ଲାଗେ ଯେମିତି ଏଇଠି କୋଉଠି ଅଛି, ହଠାତ୍ ଦେଖା ହେଇଯିବ ବୋଧେ ।
ସତରେ ବାସ୍ତବତା ବହୁତ ନିଷ୍ଠୁର । ବାସ୍ତବ ଦୁନିଆଟା ଖାଲି ଗୋଟେ ମିଥ୍ୟା ଭ୍ରମ । ସ୍ବପ୍ନ ଓ ବାସ୍ତବତାର ଖରା ଛାଇ ଖେଳର ଏହି ଅନୁଭୁତି ଆମ ଜୀବନରେ ସବୁଦିନ ପାଇଁ ଏକ ସ୍ମୃତି ହେଇ ରହିଗଲା ।
କେମିତିକା ସ୍ବପ୍ନର ସହର ଗଢ଼ିବ
ସ୍ମୃତିର ପାନ୍ଥନିବାସ ଏଠି ବଡ ନିଷ୍ଠୁର
ବାସ୍ତବତାର ବଜାରରେ ଦାମିକା ସ୍ଵପ୍ନ
ଏଠି ଆକାଶ କଇଁଆ ଚିଲିକା ମାଛ !!
ଶ୍ୱେତପଦ୍ମା ପାଢ଼ୀ
ପୁନେ,ମହାରାଷ୍ଟ୍ର
Comments are closed.