Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୫

ପାର୍ଲୋର କାମ ସାରି ସେଦିନ ଟିକିଏ ଜଲଦି  ଫେରୁଥାଏ , କାହିଁକି କେଜାଣି କିଣି ପକେଇଲି ହଳେ କାନଫୁଲ ଚିତ୍ରା ପାଇଁ।  ଧୀରେ ଧୀରେ ମୁଁ ସଜାଡୁ ଥିଲି ନିଜକୁ ଯଦିଓ ସବୁକିଛି  ହାଲ୍କା ଫୁଲ୍କା ଥିଲା। ସମୟ ନଷ୍ଟ ନ କରି କାମରେ ଲାଗିଥିଲି। ଏବେ ଦିନ କି ରାତି ଜାଣିପାରୁନଥିଲି କହିବାକୁ ଗଲେ।ବେଦରୁ ତଥା ଚର୍ମରୋଗ ବିଶେଷଜ୍ଞଙ୍କ ପାଖରୁ ଢେରକିଛି ଶିଖୁଥିଲି,ଡକ୍ଟର ଆଣ୍ଟିଙ୍କ ପାଇଁ।କାମରେ ଲଗେଇ ବେଶ ଗୋଟିଏ ଗ୍ରାହକଙ୍କ ମେଳ ରଖିପାରିଥିଲି।ବଦଳୁଥିଲା ମୋ’ର ଆର୍ଥିକ ସ୍ଥିତି।ପରିଶ୍ରମ ହେଉପଛେ ଖୁସି ବହୁତ ଲାଗୁଥିଲା। ଯା’ ହେଉ ହେ ପ୍ରଭୁ, ରୂପନାରାୟଣ ଓ ବୁଢାବଳଙ୍ଗର ଝିଅ ମୁଁ ସୋପାନ ପରେ ସୋପାନ ଅତିକ୍ରମ କରୁଚି ତୁମ ପାଇଁ …ଏମିତି ଥିବ ମୋ’ ସହିତ ସଦା ,ମନେ ମନେ କହୁଥିଲି  ଓ ହସୁଥିଲି ।

ଲିପୁନର ଶେଷ ବର୍ଷ ଇଂଜିନିୟରିଂ ଏଇଟା । କ୍ୟାମ୍ପସ ସିଲେକସନ ହୋଇଗଲେ ସେ ଛିଡା ହୋଇଯାଆନ୍ତା  ଗୋଡ଼ରେ। ଅଧା ଚିନ୍ତା ପୋଛି ହୁଅନ୍ତା ..। ଯଦି ଆଉ ପଢିବ ଦେଖିବା ସେତେବେଳେ । ନହେଲେ କିଛି ଅଭିଜ୍ଞତା ସାଉଁଟି ସେ ଏମ.ବି.ଏ କରିବ, କହୁଥିଲା ପ୍ରଥମେ । ଏବେ ଏବେ ନୂଆ ପ୍ରକାରେ କହୁଚି। ହଁ ମ, ଟିକିଏ ବାଳୁଙ୍ଗାମି କଲେ,କରୁ, ଆଉ କ’ଣ କାଦୁଅ ମେଞ୍ଚା ଭଳି ବସି ଆମ ହୁକୁମ ମାନନ୍ତା କି…। ପୁଅ ପିଲା ଟିକିଏ ଦୁଷ୍ଟ ହେବେ ଏ ବୟସରେ। ଚଳିବ କହି ମନକୁ ମନ ହସୁଥିଲି।କିନ୍ତୁ ତା’ ଜିଦ୍ଦି ମୋତେ ଆଦୌ ଭଲ ଲାଗୁନଥିଲା।କେଜାଣି କାହାବୁଦ୍ଧିରେ ପଡି ଏବେ କହୁଚି  ବିଜନେସ କରିବ।  ଚାକିରୀ ଆଉ ବିଜନେସ ଅଲଗା …ପୁଣି କାହିଁକି ଯେ… କାଦୁଅ ଭିତରକୁ ଆଉଥରେ..।ସେ ଲୋନ କଥା କହିଲେ ମୋ ମୁଣ୍ଡ ବିନ୍ଧେ, କେତେ କଷ୍ଟରେ ଫ୍ଲାଟ ଟିଏ ହୋଇଛି ,ତାକୁ ବନ୍ଧା ପକେଇ ଲୋନ ଆଣିବ କହିଲେ ମୁଁ ଆଦୌ ଶୁଣେନି।ଯୁକ୍ତି କରେ, ଇଣ୍ଟରଭିଉ ପାଇଁ ବସିବନି କୁହେ। କଥା କଟା କାଟି ଆରମ୍ଭ ହୁଏ, ଭୟଙ୍କର ସେ ସମୟ। ଝଗଡା ମୋ’ ଭାଗ୍ୟରେ ଲେଖାଥାଏ ସବୁଦିନେ।

ନିଜକୁ ଉତ୍ସର୍ଗ କରିଛି ଯେଉଁ ଘର ପାଇଁ ସେଇ ଘରୁ ଯେତେବେଳେ ତିରସ୍କାର ଶବ୍ଦ ଶୁଣେ ଭାରିକଷ୍ଟ ହୁଏ , ବିରକ୍ତ ଲାଗେ ନିଜ ଉପରେ। ସବୁ ଧ୍ୟାନ ପ୍ରାର୍ଥନା ପାଣିଫାଟିଯାଏ ଯେମିତି ।ବହୁତ କଷ୍ଟରେ ପୁଣି ସାଉଁଟେ ନିଜକୁ। କାହଁକି ମୁଁ ଚୁପ ରହି ପାରେନି ସବୁ କଥାରେ ବୋଲି ପ୍ରଶ୍ନ ପଚାରେ ଆପେଆପେ । ମନ କହେ, କରନ୍ତୁ ଯାହା କରିବେ, ଯୁଝନ୍ତୁ  ଯେତେ ପାରିବେ,ତେବେଯାଇ ବୁଝିବେ, କିନ୍ତୁ ପାଟିରେ ମୋର କଡା ଆକଟର  ଶୃଙ୍ଖଳିତ ଭାଷା। ଏଇ ଭାବନା ସହିତ ଘରେ ପହଞ୍ଚିଲି।ଇଏ କି ପ୍ରକାର କଥା ଆମ ଘରେ ଆଜି। ମୋ’ ଫେରିଲା ବାଟକୁ କେହି  ନ ଅନେଇ ଯିଏ ଯାହା ବାଟରେ ଥାଆନ୍ତି।କେବଳ ଚିତ୍ରା କବାଟ ଖୋଲେ ଅସନ୍ତୋଷ ହୋଇ।ମୁଁ ହିଁ ବ୍ୟାଘାତ କରେ ସବୁଠି,ସମସ୍ତଙ୍କର ଖୁସିକୁ।ମୋର ଏମିତି ଅସମୟରେ ଫେରିବାଟା ପସନ୍ଦ ନୁହେଁ କାହାରି।ହେଲେ କେହି ବୁଝନ୍ତିନିକି ବୁଝିବାକୁ ଚେଷ୍ଟା କରନ୍ତିନି, କାହା ପାଇଁ ଏ ଅକ୍ଳାନ୍ତ ପରିଶ୍ରମ…। ନିଜର ବୋଲି ବେଶି ଲାଗନ୍ତି ଏବେ ଅମ୍ଳାନ। କିନ୍ତୁ ମୁଁ  ଫିଟିପଡେନି ତାଙ୍କ ପାଖରେ… ଅନ୍ୟ ସମସ୍ତଙ୍କ ଭଳି।ତାହାଲେ ଏମାନଙ୍କର ଅପେକ୍ଷା ଏମିତିଯେ…। ‘ଚିତ୍ରା’,  ଡାକିଲି …  ନାହିଁ ସିଏ ,ଉତ୍ତର ଫିଙ୍ଗିଲା ଲିପୁନ। ଯାହା ଶୁଣିଲି ପାଦତଳୁ ମାଟି ଖସିଗଲା। ଛାତି ଉପରୁ ଅତଡ଼ା … । ମନେ ମନେ ବିରକ୍ତ ହେଲେବି କହିଲି ହେ,ନା , ମ।

ଚିତ୍ରା ଚିଠି ଟିଏ ଲେଖି ଯାଇଛି ଯେ ଯାଇଛି ଆଉ ଫେରିନି ରାତି ହେଲାଣି। ଚିଠିରେ ଲେଖା ଅଛି ମତେ ଖୋଜିବନି। ଆରେ ଏ କଣ ଗୋଟାଏ କଥା ..। ସାଙ୍ଗ ଘରକୁ ଯାଇଥିବ ମ। ବିଶ୍ବାସ ହେଉନଥିଲା କି  ଆଉ କିଛି  ଭାବି ହେଉନଥିଲା..। ମା, ବାପା ଦୁହେଁ ଏକାଥରେ କହିଲେ,  ‘ତୁ ଏତେ ଆକଟ କରନା ଏମାନଙ୍କୁ। ଅଣନିଃଶ୍ୱାସୀ ଆମେ ସବୁ ତୋ’ର ଶବ୍ଦ ବାଣରେ।’ ଲିପୁନ ତ ଚିତ୍କାର କଲା ମୋ’ ଉପରେ। ତାପରେ ଆଉ କିଛି ନଥିଲା ମୋ’ ପାଇଁ । ପୁଞ୍ଜିଭୁତ ଅସନ୍ତୋଷ ଏକସହିତ ଲହରେଇ ବହିଗଲା।

ମୁଁ ଏକେଲା ହଉଥିଲି ଧୀରେ। ଫୋନ ଲଗାଇଲି ଅମ୍ଳାନଙ୍କ ପାଖକୁ। ଟିକିଏ ସାହାଯ୍ୟ ଦରକାର ଏ ଭାରାକ୍ରାନ୍ତ ମନକୁ ଉପଚାର ପାଇଁ। ସେ ଉଠେଇଲେନି କି କଲ୍ ବ୍ୟାକ କଲେନି। ହୁଁ, ଥାଇପାରେ କିଛି ଅସୁବିଧା। ଅନେକ ବ୍ୟସ୍ତ ସେ ଆଜିକାଲି। କାହାକୁ କହିବି… ପୋଲିସକୁ ..ଉହୁଁ । ଏବେ ଘରର ପରିସ୍ଥିତି ପୂରା ବଦଳି ଗଲା। ମୋ’ ଅକ୍ଲାନ୍ତ ପରିଶ୍ରମର ଫଳ ଏମିତି …ମୋ’  ନିରୁତା ସ୍ନେହର ପରିଣତି ଏଇଆ ..ମନ ବୁଝୁନାଥିଲା ଆଦୌ। ସମସ୍ତେ ସମସ୍ୱରରେ ଦୋଷୀ କରିଦେଲେ ମୋତେ କ୍ଷଣିକରେ। ସମୟ ଖେଳେ କେମିତି , ଖାଲି ଦେଖୁଥିଲି ଯାହା। ଆଖିରୁ ଲୁହ ଛାତିର କୋହ ଦେଇ ଭାଙ୍ଗି ଯାଉଥିଲା ମୋହ। ଏସବୁ ସହିତ କେତେବେଳେ ଆଖି ଲାଗି ଯାଇଥିଲା।  ନିଦ ଭାଙ୍ଗିଲା ଯେମିତି ସବୁଦିନ ମୁଁ ଉଠେ ସେତିକି ବେଳେ। ନିତ୍ୟକର୍ମ ପରେ ଆଜି ଆଉ ଯୋଗ ପ୍ରାଣାୟାମରେ ମନ ନଥିଲା। ଘର ଲୋକଙ୍କୁ ସାମ୍ନା କରିବାର ସାହସ ନଥିଲା କି ସ୍ପୃହା ନଥିଲା । ଗୋଟିଏ ଘଟଣା ମୋତେ ସମସ୍ତଙ୍କ ଠାରୁ ଅଲଗା କରିଦେଲା। ଅପେକ୍ଷା କରିଥିଲି ଅମ୍ଳାନଙ୍କ ଫୋନକଲକୁ।ନହେଲେ ଯିବି ଟିକିଏ ତାଙ୍କ ପାଖକୁ। ମନଟା ଜମା ବୋଲ ମାନୁନଥିଲା।
କେତେ କଷ୍ଟରେ ସମୟ ଏବେ ସବୁଜ,ନାଲି ନେଳି ହେଉଥିଲା। ଅସଂଖ୍ୟ ଖାଲଖମା ଡେଇଁ ସମତଳ ସବୁଜ ଏବେ ରାସ୍ତା … ଅଥଚ ସେତିକି ବି ମୋର ହୋଇ ନଥିଲା ….।

ଚା କପଟା ନେଇ ପେପେରକୁ ଧରି ଗଲି ବାଲ୍କୋନି ଆଡ଼କୁ। ପ୍ରଥମ ପୃଷ୍ଠାର ପ୍ରଥମ ଖବର ଦେଖି ଆଖି ତାଳୁକୁ ଉଠିଗଲା। ଆଉ ଶବ୍ଦ ନଥିଲା ମୋ’ ପାଖରେ। ଶିଳ୍ପପତି ଅମ୍ଳାନଙ୍କ ସହ ଚିତ୍ରାର ବିବାହ ଖବରଟା ବଡ଼ ବଡ଼ ଅକ୍ଷରରରେ ରଙ୍ଗୀନ ଫୋଟୋ ସହ ଛପା ହୋଇଥିଲା।

ଆକାଶ ଧୂସର ..ସମୁଦ୍ର ନିସ୍ତରଙ୍ଗ…. ଆଉ ଇନ୍ଦ୍ରଧନୁରେ ବହଳେ କଳା ବୋଳିହୋଇଥିଲା, ବିବର୍ତ୍ତିତ ସମୟ ସହିତ ଆଉଥରେ ଏମିତି ଦେଖାହେବାକୁ ଥିଲା….। ( କ୍ରମଶଃ )

Leave A Reply

Your email address will not be published.