Latest Odisha News

BREAKING NEWS

ଅନୁବାଦ ଗଳ୍ପ : ବ୍ୟଥାର ସାରେଗାମା

ମୂଳ ହିନ୍ଦୀ : ଅମୃତ ରାୟ

ଗଭୀର ଅନ୍ଧାର…ନୀରବ ନିସ୍ତବ୍ଧ ! କେବଳ ଦୂରରୁ କିଛି କୁକୁର ଓ ବିଲୁଆଙ୍କ ଭୁକିବାର ଶବ୍ଦ । ମନୁଷ୍ୟର ସ୍ଵର ତ ଗୀତର ଗୋଟେ ଅଧେ ପଦ ପରି, କେବେକେବେ କାନରେ ପଡିଯାଏ କୌଣସି ରିକ୍ସାବାଲାର କେଉଁ ଏକ ରୋମାଣ୍ଟିକ ଫିଲ୍ମିଗୀତର ଏକ ଧାଡି…ନହେଲେ ପୁରା ଶୂନଶାନ୍ ।

ପାଖରୁ ହିଁ କାହା ଘରୁ ଶାହାନାଇର ବ୍ୟାକୁଳ ସ୍ଵର ଭାସିଆସୁଛି । ଶାହାନାଇ ବି ଅଦ୍ଭୁତ ବାଜା ଅଟେ,ଯାହା କି ସୁଖ ଓ ଦୁଃଖ ସମାନ ରୂପେ ମଣିଷର ସାଥୀ ହୋଇଥାଏ । ଆଜି କେଜାଣି କାହିଁକି ସୁରେଶ୍ଵର… …କିନ୍ତୁ ଆପଣ ତାକୁ କ’ଣ ଜାଣନ୍ତି । ଆପଣ ବୋଧେ ତାର ବୀଣା କେବେ ଶୁଣି ନାହାଁନ୍ତି । ସେ ଯେତେବେଳେ ଆଖି ବନ୍ଦ କରି ବୀଣାର ତାରରେ ନିଜର ଅଙ୍ଗୁଳି ଚାଳନା କରିବାରେ ଲାଗେ, ବିଶ୍ୱାସ ହୁଏ ନାହିଁ ଯେ, ଏଇ ସୁରେଶ୍ଵର ଯିଏ ଆଗରେ ବସିଛି, ତାର ଏବେ ଆଗକୁ ବଢିବାର ବୟସ, ସେ ଏବେ ମାତ୍ର ତିରିଶଟି ବସନ୍ତ ଦେଖିଛି । ତା’ସ୍ଵରରୁ ପ୍ରବାହିତ ହେଉଥିବା ବ୍ୟଥାର ସରିତାରେ ଯିଏ ଥରେ ମାତ୍ର ବି ସ୍ନାନ କରେ,ତା’ର ପ୍ରତିଟି ଅଙ୍ଗ ଯେପରି କମ୍ପିଉଠେ ଏବଂ ତାକୁ ଲାଗେ ସତେ ଅବା ଅନେକ ବସନ୍ତ ଓ ଶିଶିର ଯାଇ ବାସକରିଛନ୍ତି ବଜାଉଥିବା ଲୋକର ଅସ୍ଥିମଜ୍ଜାରେ।

ସୁରେଶ୍ଵର ରେଳବାଇର ଏକ ଅଫିସରେ କିରାଣୀ ଅଟେ । ରେଳଗାଡିର ଧଡଧଡ ଶବ୍ଦ ଓ ଫାଇଲକାମର ଥକାପଣକୁ ନିଜ ବୀଣାର ସ୍ଵରରେ ବାନ୍ଧି ସେ ତାଙ୍କୁ ଏକ ନୂଆ ରୂପ ଦେଇଦେଇଛି । ଦିନସାରାର ଖରାରେ ଧାଁଧଉଡ଼ ପରେ ରାତିରେ ଏଇଟା ହିଁ ତାର ଶାନ୍ତିର ନିର୍ଝର ଅଟେ,ଏଇଟା ହିଁ ତା’ର ସାହାରା ଅଟେ, କବଚ ଅଟେ… ଯେମିତି ଇଏ ନଥିଲେ ଅଫିସର ଫାଇଲଗୁଡିକ ତାକୁ ଖାଇଯିବେ। ରାତିରେ ନିଜ କୋଠରୀ ବନ୍ଦ କରି(ଯେପରି ପଡୋଶୀମାନଙ୍କ ନିଦରେ ବ୍ୟାଘାତ ସୃଷ୍ଟି ନ ହୁଏ) ସେ ପ୍ରାୟ ବହୁତ ସମୟ ଯାଏଁ ବଜଉଥାଏ । ରାତିର ଏହି ଏକାନ୍ତ ସମୟ ତା’ର ବହୁତ ପ୍ରିୟ। ସେ ଚାହେଁ ଯେ ସେ ଶୀଘ୍ର ଯାଉ,ଯେମିତି ତା ପରଦିନ ପର୍ଯ୍ୟନ୍ତ ନିଜ ବୀଣାରେ ମଜ୍ଜି ରହେ ଏବଂ ଭାବି ଚାଲିଥାଏ ଯେ, କୌଣସି ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚିବା ପରେ ଘଣ୍ଟାର କଣ୍ଟା ସବୁ ଅଚଳ ହୋଇଯାଇଛି ।

ତେଣୁ ଆଜି କାହିଁକି କେଜାଣି ସୁରେଶ୍ଵରର ମନ ଉଦାସ ଅଛି । ଶାହାନାଇର ସେ କ୍ଷୀଣ ସୁର ତା ହୃଦୟକୁ ଛୁରୀଟିଏ ପରି ଚିରିଦେଉଛି । ଏକ ବିଚିତ୍ର ଯନ୍ତ୍ରଣାଟିଏ,ଏକ ଅଦ୍ଭୁତ ବେଦନା ତାକୁ ନିଜ ଭିତରକୁ ଟାଣିନେଉଛି । ତା ବୀଣା ଆଜି ନୀରବ । ସେ ତ ଆଜି କେବଳ ଶୁଣୁଛି । ଶାହାନାଇ ସ୍ଵରର ସେ ତୀକ୍ଷ୍ଣ ଛୁରୀ ତା ଅନ୍ତରକୁ ଆଘାତ ଦେଇ ଚାଲିଛି । ସୁରେଶ୍ଵର ଜାଣିବାକୁ ଚାହେଁ ଯେ, ନିଜର ଏହି ଭିନ୍ନଭିନ୍ନ ରାଗରେ ସେ ତାକୁ କଣ କହିବାକୁ ଚାହୁଁଛି । ପୀଡାର ଏପରି କେଉଁ ଗଭୀରତାକୁ ସେ ଛୁଇଁ ଯିବାର ସଂକଳ୍ପ କରିଛି । ଶାହାନାଇର ସ୍ଵର ତା ମନର ଗଭୀରତାରେ ଏକ ଅତ୍ୟନ୍ତ ସୁନ୍ଦରୀ ଯୁବତୀର ରୂପ ଧାରଣ କରୁଛି । ଏହି ଯୁବତୀ କୌଣସି କ୍ରୁର ଦୈତ୍ୟ ଦ୍ବାରା ଶାପିତା ଅଟେ,ତାର ସାଥୀ ନିରୁଦ୍ଦିଷ୍ଟ, ପରିଜନମାନେ ତାକୁ ତ୍ୟାଗ କରିଛନ୍ତି ଏବଂ ତାକୁ ଏକାକୀ ହିଁ ନିଜ ବ୍ୟଥାର ବୋଝ ଉଠେଇବାର ଅଛି । ତା’ର ମୁଖମଣ୍ଡଳ କାକରଭିଜା ଫୁଲ ସଦୃଶ, ତା ବସ୍ତ୍ର ତୁଷାର ପରି । କିନ୍ତୁ ମୁଖମୁଦ୍ରା ଯେପରି କୌଣସି ଗଭୀର ଉଦାସର ଧୂଆଁରେ ଆଚ୍ଛନ୍ନ।

ଶାହାନାଇର ସ୍ଵରକୁ ଏହି ମନୁଷ୍ୟରୂପରେ କଳ୍ପନା କରି ସୁରେଶ୍ଵର ତାକୁ ହିଁ ଚାହିଁ ମୌନପ୍ରାୟ ବସିଥିଲା । ହଠାତ ଯେପରି କେହି ଜଣେ ତା କାନ୍ଧକୁ ଧରି ଝାଙ୍କିଦେଲା ଏବଂ ଜାଗ୍ରତ କରାଇଦେଲା । ସେତେବେଳେ ତାକୁ ଜଣାଗଲା ଯେ, ସେ ନିଜକୁ ନିଜେ ଠକୁଥିଲା । ଯେଉଁ କଳ୍ପନା ଚିତ୍ର ତା’ ଆଖି ଆଗକୁ ଆସୁଛି ତାହା ଶାହାନାଇ ସ୍ଵରର ଚିତ୍ର ନୁହେଁ, ରକ୍ତମାଂସଧାରୀ ଏକ ତରୁଣୀର ବାସ୍ତବ ଚିତ୍ର । ଯାହାକୁ ସେ ଆଜି ହିଁ ଶରଣାର୍ଥୀ ଙ୍କ ଗାଡିରୁ ଓହ୍ଲାଉଥିବାର ଦେଖିଛି। ତାହା ହଜାରୀ ଜିଲ୍ଲାର ଏକ ସୀମାନ୍ତ ଗ୍ରାମର ଏକ ହିନ୍ଦୁ-ପଠାଣ ତରୁଣୀର ଚିତ୍ର … ଯେତେବେଳେ ଶାହାନାଇର କୌଣସି ଯନ୍ତ୍ରଣାପୂର୍ଣ୍ଣ ରାଗକୁ ନିଜ ସ୍ଵରରେ ବାନ୍ଧିବାକୁ ପ୍ରୟାସ କଲା,ସେତେବେଳେ ବ୍ୟଥାସୁନ୍ଦରୀ ଆପଣାଛାଏଁ ଆଖି ଆଗକୁ ଚାଲିଆସିଲା, ସମୁଦ୍ରଫେଣରୁ ବାହାରିଆସୁଥିବା ପ୍ରେମର ଦେବୀ ପରି।

…ହଁ, ପ୍ରେମର ଦେବୀ…ଉର୍ବଶୀ, ତକ୍ଷଶୀଳାର ସୁନ୍ଦରୀ, ଶାଳଗଛ ପରି ସୁଗଠିତ ସୁନ୍ଦର ଯୌବନରେ ଭରପୂର ସୁଢଳ ଶରୀର, ବାଦାମୀ ଆଖି,ଚନ୍ଦନ ପରି ଗୋରା, ସୁମାର୍ଜିତ ମୁଖମଣ୍ଡଳ, ଲମ୍ବା ବେଣୀ । କିନ୍ତୁ ଏସବୁ ସତ୍ତ୍ବେ ଉଦାସୀର ଏକ ଗଭୀର ଆସ୍ତରଣ ଥିଲା,ଯାହା ମୁଖମଣ୍ଡଳର ଭାବକୁ ସଂପୂର୍ଣ୍ଣ ବଦଳେଇଦେଉଥିଲା। ତାକୁ ଦେଖି କୌଣସି ଉତ୍ସୃଙ୍ଖଳ ଭାବ ଯେମିତି ପାଖ ମାଡିପାରିବନି । କିନ୍ତୁ ଏହାସହ ଯେପରି ପୁରା ସମୟଧରି କେହି ଭିତରେ ବସି ଏକ ବହୁତ ଦୁଃଖ ଭରା ଗୀତଟେ ଗୁଣୁଗୁଣାଉଛି।

ସୁରେଶ୍ଵର ତ ଆଜି ହିଁ ସେ ରହୁଥିବା ଜାଗା ଦେଖିଲା, ସୌଭାଗ୍ୟର କଥା ଯେ, ଦ୍ୱିତୀୟ ମହାଯୁଦ୍ଧ ହେଲା ନଚେତ ନା ଲଢେଇ ହୋଇଥାନ୍ତା ନା ମିଲିଟାରୀ ଶିବିର ତିଆରି ହୋଇଥାନ୍ତା । ଆଉ ନା ହିଁ ଆଜି ମନୁଷ୍ୟର ପଶୁତ୍ଵଠାରୁ ନିଜକୁ ରକ୍ଷାକରି ଖସିଆସିଥିବା ଶରଣାର୍ଥୀ ମାନଙ୍କ ରହିବାପାଇଁ କେଉଁଠି ସ୍ଥାନ ଥାଆନ୍ତା!

ଶରଣାର୍ଥୀମାନଙ୍କୁ ଏହି ପୂର୍ବ ପ୍ରସ୍ତୁତ ବାରାକ୍ ସବୁ ଏମିତି ମିଳିଗଲା,ସତେ ଯେମିତି ସେମାନଙ୍କ ପାଇଁ ହିଁ ତିଆରି କରାଯାଇଥିଲା । ଏହି ବାରାକ୍ ରେ ନିଜ ଘର ପରିବାର, ଚାଷକାମ, ଦୋକାନପତ୍ର ଆଦିର ବିଚ୍ଛିନ୍ନ ହୋଇଥିବା ଲୋକମାନେ ନିଜର ସବୁ ଜିନିଷପତ୍ର ଧରି ପଡିରହିଥିଲେ । ଟିମର ବଡବଡ ବାକ୍ସ,ଟିକେ ସାନ ବାକ୍ସ,ପୁରା ସାନ ବାକ୍ସ,ଖଟପଲଙ୍କର ଗୋଡ, ଦଉଡି ଇତ୍ୟାଦି ସବୁ ଅଲଗାଅଲଗା ରଖାଯାଇଛି। ଚଟେଇ ମସିଣା, ଗୋଟେ ଅଧେ ବାଲତି,ଲୋଟା,ଥାଳୀ…କାହା ପାଖରେ ନିଜର ହୁକ୍କା ମଧ୍ୟ ଥିଲା। ଏତିକି ହିଁ ସେମାନଙ୍କ ଘରକରଣା ଓ ଏହି ଘରକରଣାରେ ବନ୍ଧାଥିବା ସେମାନେ ଏ ନୂଆ ଦୁନିଆରେ ନିଜ ପାଇଁ ସ୍ଥାନଟିଏ ସୃଷ୍ଟି କରୁଥିଲେ । ସ୍ତ୍ରୀଲୋକମାନେ କୂଅରୁ ପାଣି ଆଣୁଥିଲେ ଅଥବା ରୁଟି ପ୍ରସ୍ତୁତ କରୁଥିଲେ ଏବଂ ପିଲାମାନେ ଧୂଳିଧୂସର ହୋଇ ଟିକେ ଡରିଡରି ଖେଳୁଥିଲେ ।ସେ ସ୍ଥାନର ମାଟି ସହ ହଜାରାର ମାଟିକୁ ମିଶାଇ ଏକଥା ଜାଣିବାର ପ୍ରୟାସ କରୁଥିଲେ ଯେ ପଶୁତ୍ଵର କୀଟ କେଉଁଥିରେ ଅଧିକ ଅଛି ଏବଂ ନିଜ ସ୍ମୃତିରୁ ସେହି ଭୟାନକ ଚେହେରା ସବୁକୁ ବାହାର କରିବାକୁ ଚେଷ୍ଟା କରୁଥିଲେ,ଯେଉଁମାନେ ସେମାନଙ୍କ ଅବୋଧ ଜୀବନକୁ ଚର୍ତୁଃପାର୍ଶ୍ଵରୁ ଭୟର ରଶିରେ ବାନ୍ଧି ରଖିଥିଲେ । ଏଇଠି, ଏହି ନୂଆ ଦୁନିଆଁ ରେ ସେଦିନ ସନ୍ଧ୍ୟାରେ ସୁରେଶ୍ଵର ସେହି ବ୍ୟଥାସୁନ୍ଦରୀ କୁ ନରମନରମ ରୁଟି ସେକୁଥିବାର ଦେଖିଥିଲା… ଏବଂ ତା ବିପର୍ଯ୍ୟୟର କାହାଣୀ ଶୁଣିଥିଲା ଜଣେ ଏମିତି ଲୋକ ପାଖରୁ ଯିଏ ଯୁବତୀର ପୁରୁଣା ଦୁନିଆରେ ତା ପଡୋଶୀ ଥିଲା ଏବଂ ଆଜି ଏ ନୂଆ ଦୁନିଆରେ ମଧ୍ୟ , ଯାହାର ପାଚେରୀ ଉଠିପାରୁ ନ ଥିଲା , କାରଣ ତାହା ମଣିଷଟିକୁ ସଚ୍ଚୋଟତାର ହାଡଭଙ୍ଗା ପରିଶ୍ରମର ମଜବୁତ ମୂଳଦୁଆ ଉପରେ ନୁହଁ ବରଂ ଜନସାଧାରଣଙ୍କ ଦୟାର ମୂଲ୍ୟହୀନ ଫମ୍ପା ମୂଳଦୁଆ ଉପରେ ଆଧାରିତ ଥିଲା। ସେମାନଙ୍କୁ ଏଠାରେ କେମିତି ଲାଗୁଛି? ସୁରେଶ୍ବରର ଏହି ପ୍ରଶ୍ନର ଉତ୍ତରରେ ହଜାରା ଜିଲ୍ଲାର ସେହି ବ୍ୟଥାସୁନ୍ଦରୀ ର ପଡୋଶୀ ଦରବୁଢା ଲୋକଟି ଯେଉଁ କଥା କହିଥିଲା ତାହା ସୁରେଶ୍ଵର ଭୂଲିପାରୁନି ।କାହା ଦୟାରେ ମିଳୁଥିବା ଅନ୍ନ ଖାଇ ବଞ୍ଚିରହିବାଠାରୁ ଲଜ୍ଜାକର କଥା ଆଉ କିଛି ନଥାଏ, ତା ପାଖରୁ ହିଁ ସୁରେଶ୍ଵର ଏକଥା ଜାଣିବାକୁ ପାଇଥିଲା।

ଯୁବତୀଟିର ବାହାଘର କିଛିଦିନ ତଳେ ହୋଇଥିଲା, ସେହି ଗାଁ ରେ ସେବେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ତା ସ୍ଵାମୀକୁ ହତ୍ୟାକାରୀମାନେ ତେଣ୍ଟା ଭୂଷି ମାରିଦେଲେ ଏବଂ ତାକୁ ଉଠେଇନେଇଗଲେ । ତାପରେ ଯୁବତୀଟି ସେଠି କଣ ଦେଖିଲା ଏବଂ କିପରି ଦିନେ ରାତିରେ ଜୀବନକୁ ପାଣି ଛଡେଇ ଖସି ଆସିଥିଲା ଏବଂ ଲୁଚିଲୁଚି ଯାଇ ଆଉକିଛି ଖସିଆସିଥିବା ଲୋକଙ୍କ ସହ ମିଶିଗଲା, ଏସବୁର ଏକ ସାହସିକ କାହାଣୀ ଥିଲା ।

ସେହି ଦରବୁଢା ଲୋକଟି ଯେତେବେଳେ ସନ୍ଧ୍ୟାର ଫିକା ଅନ୍ଧାରରେ ଏକ ଛୋଟିଆ ଖଟ ଉପରେ ବସି ସେହି ଘଟଣା ସବୁକୁ ବର୍ଣ୍ଣନା କରୁଥିଲା, ସେ ସମୟରେ ତା ନାୟିକା ବନ୍ନୋ ଏତେ ଭୟଙ୍କର ଅନୁଭବ,ଯନ୍ତ୍ରଣା ଓ ସାହସକୁ ନିଜର କୋମଳ ଶରୀରରେ ଆଦରି ନେଇ ରୁଟି ସେକୁଥିଲା । ସେଇପରି ନୀରବରେ ନିଜର ଦୁଃଖ ଯନ୍ତ୍ରଣାକୁ ସହିସହି ସେ ଅଳ୍ପ ପରିମାଣରେ ରୁକ୍ଷ ହୋଇଯାଇଥିଲା । କଥା କହିବାରେ ଅବା ହସିବାରେ ଏବେ ତାକୁ ହୁଏତ କଷ୍ଟ ହେଉଥିଲା।

ସେ ଦୁନିଆରେ ଅନ୍ୟାନ୍ୟ ସବୁ ଜିନିଷ ସହ, ଯେଉମାନଙ୍କ ଭିତରେ ତା ଅସମତ୍ ଏବଂ ତା’ର ଜଗୁଆଳି ମଧ୍ୟ ଥିଲା, ତାର ହସ ଓ କଥା ମଧ୍ୟ ଜଳି ପାଉଁଶ ହୋଇଯାଇଥିଲା । ପାଞ୍ଚ ହଜାର ଅବା ପଚାଶ ହଜାର ବର୍ଷ ପୂର୍ବରୁ ଆସିଥିବା ଭୂକମ୍ପରେ ତା ଜୀବନର ବିନା ବିନା ପଲସ୍ତରାରେ, ଭାଙ୍ଗିଯାଇଥିବା ଘରେ(ଏବେ ତା ବାହାଘରକୁ କେତେଟା ଦିନ ବା ହୋଇଥିଲା) ତା’ ଆଶାର ପକ୍ଷୀ ସବୁ ମଧ୍ୟ ଯେଉଁଠି ସେଇଠି ମରି ପଡିଥିଲେ । ଯିଏ ଦିନେ ଶୀତଳ ଶବଟିଏ ଥିଲା, ସିଏ ଏବେ କଙ୍କାଳ ହୋଇ ସାରିଥିଲା ଏବଂ କାଚ ପରି ଚମକୁଥିବା କୌଣସି ପଥରରେ ଖୋଦେଇ ହସ ଯେପରି ଅଧାରୁ ହିଁ ଅଟକି ଯାଇଛି!

ବାରାକ୍ ର ପାଖରେ ହିଁ କୂଅ ଥିଲା । କୂଅ ପାଖରେ ଗୋଟିଏ କୋଠରୀ ପରି ଥିଲା । କେଜାଣି ଯୁଦ୍ଧ ସମୟରେ କାହାର କି କାମରେ ଆସୁଥିଲା। ଏବେ କିନ୍ତୁ ସେଇଟି ଖାଲି ପଡିଥାଏ, ପିଲାଏ ଦିନବେଳେ ସେଠାରେ ଲୁଚକାଳି ଖେଳନ୍ତି ।

ଆଜି ସନ୍ଧ୍ୟା ସାଢେସାତଟା ବେଳେ ସେଇଟି ଅଚାନକ ଜୀବନ୍ତ ହୋଇ ଉଠିଥିଲା । ବନ୍ନୋ ପାଣି ଆଣିବାକୁ ଯାଈଥିବା ବେଳେ, କିଛି ଦୂରରୁ ତାକୁ ସେହି କୋଠରୀ ଭିତରୁ କାହାର ଚିତ୍କାର ଅବା ଜବରଦସ୍ତି ଗଳା ରୁନ୍ଧି ଦେବାପରି ଏକ କ୍ଷୀର ସ୍ଵର ଶୁଣିପାରିଲା । କ୍ଷୀଣ କିନ୍ତୁ ସ୍ପଷ୍ଟ । କିଛି ପୁରୁଷ କଣ୍ଠର ଫୁସଫୁସ୍ ଶବ୍ଦ ମଧ୍ୟ ତା କାନରେ ବାଜିଲା । ଘଟଣା କଣ ବୁଝିବାକୁ ସେ ନିଷ୍ପତ୍ତି ନେଲା । ପାଣି ନେଇ ଫେରିଲା । ପାଣି ରଖି ଥାକରୁ ନିଜର ଏକ ଛୁରୀ ଉଠେଇଲା ଏବଂ ଚାଲିଲା । ସେ ପ୍ରାୟ ଦଶଗଜ ଦୂରରେ ଥିବ, ସେତେବେଳେ କୋଠରୀ ଭିତରେ ଥିବା ପୁରୁଷଙ୍କ ଭିତରୁ କେହିଜଣେ କିଛି ଖୋଜିବା ପାଇଁ ଦିଆସିଲି ଜଳେଇଲା , ଯାହା ସାଙ୍ଗେ ସାଙ୍ଗେ ଲିଭି ମଧ୍ୟ ଗଲା।

ବନ୍ନୋ ଦେଖିଲା, ଚାରିପାଞ୍ଚ ଜଣ ପୁରୁଷ ଗୋଟେ ତରୁଣୀକୁ ତଳେ ପକେଇ ରଖିଛନ୍ତି । ଝିଅଟି ଚିତ୍ ହୋଇ ଶୋଇରହିଛି ଅବା ଶୁଆଇଦିଆଯାଇଛି । ତା ଶରୀରରେ ଖଣ୍ଡେ ହେଲେ କପଡା ନାହିଁ, ଦୁଇ ତିନି ଜଣ ସୈନିକ ତା’ ହାତଗୋଡକୁ ଚାପି ଧରିଛନ୍ତି ଆଉ ସେ ପୋଡାମୁହିଁ ଉଲଗ୍ନ ଝିଅଟି ଛଟପଟ ହେଉଛି…କିଛି ଖାସ୍ ବଳୁଆ‘ଶରଣାର୍ଥୀ’ ଯୁବକମାନଙ୍କର ଏକ ଦଳ ଆଜି ଶିକାର କରିଥିଲେ । ସେମାନଙ୍କ ରକ୍ତ ବି ରକ୍ତ, ପାଣି ନୁହଁ, ସେମାନଙ୍କୁ ପ୍ରତିଶୋଧ ନେବା ଆସେ, ସେମାନେ ନିଜର ଅପମାନର ପ୍ରତିଶୋଧ ନେବେ, ନିଜ ଧର୍ମର କୌଣସି ଝିଅର ଲୁଟାଯାଇଥିବା ଇଜ୍ଜତର ପ୍ରତିଶୋଧ ସେ ଶତ୍ରୁପକ୍ଷ ଝିଅର ଇଜ୍ଜତ ଲୁଟି ପୁରା କରିବେ ।

ପାଖ ଗ୍ରାମର ପାଞ୍ଚ ଛ’ ଜଣ ଯୁବକ କିଛି ଚୋରି ଏବଂ ଆଉ କିଛି ଲୋକଙ୍କୁ ମରାପିଟା କରି ଏକ ଝିଅକୁ ଉଠେଇ ଆଣିଥିଲେ ଏବଂ ଏହି ସମୟରେ ଜଣଜଣ କରି ତା ଇଜ୍ଜତ ନେଇ, ନା କେବଳ ନିଜର ଆସୁରିକ ପ୍ରବୃତ୍ତିକୁ ଚରିତାର୍ଥ କରୁଥିଲେ ବରଂ ତା ସହିତ ନିଜ ଜାତିର ମଧ୍ୟ ସେବା କରୁଥିଲେ ।

ଗୋଟିଏ ମୁହୂର୍ତ୍ତ ପାଇଁ ଯେଉଁ ଦିଆସିଲି ଜଳିଥିଲା ସେଥିରେ ବନ୍ନୋ ଏହି ଜାତିର ସେବକମାନଙ୍କୁ ନିଜ କର୍ତ୍ତବ୍ୟରେ ରତ ଥିବାର ଦେଖିପାରିଲା ।

ଘଟଣା ବୁଝିବାକୁ ତାକୁ ଆଉ ଡେରି ହେଲାନି । ପ୍ରଥମତଃ ଏମିତିରେ ଦିଆସିଲିର ଲାଲ୍ ଆଲୁଅରେ ସ୍ଥିତିଟି ମଣିଷ ଭିତରେ ପଶୁତ୍ଵ ପରି ସ୍ପଷ୍ଟ ଥିଲା, ଦ୍ୱିତୀୟରେ ବନ୍ନୋ… ତାକୁ ମଧ୍ୟ ବହୁତ କିଛି ଜଣେଇବାର ଆବଶ୍ୟକତା ଥିଲା । ସିଏ, ଯିଏ କି ନିଜେ ଏପରି ଏକ ନାଟକର ନାୟିକା ହୋଇସାରିଛି ! ବନ୍ନୋ ଭିତରେ ଥିବା ପଶୁର ଆତ୍ମାକୁ ଗଭୀର ସନ୍ତୋଷ ମିଳିଲା,ଗଭୀର ତୃପ୍ତିର ସୁଖ…ୟା’କୁ ଏମିତି ହିଁ ଚିରିଦେବା ଦରକାର, ଏହାର ଭଗବାନ ସେ ପଶୁମାନଙ୍କର ମଧ୍ୟ ଭଗବାନ… ୟାକୁ ଏମିତି ହିଁ ଦରକାର.. ବନ୍ନୋ ଭିତରେ ପୈଶାଚିକ ଉଲ୍ଲାସର ଏକ ଲହରୀ ଖେଳିଗଲା । କିନ୍ତୁ, ଗୋଟେ ଦୁଇ ମିନିଟ୍ ଭିତରେ ହିଁ ଏକ ବିଚିତ୍ର ମୋଡ ନେଇ ତା ଭିତରୁ ଆଉ ଏକ ଲହରୀ ଉଠିଲା । ସାପ ଚୋଟ ମାରିବା ପରେ ମଣିଷ ଭିତରେ ଯେଉଁ କମ୍ପନ ସୃଷ୍ଟି ହୁଏ ସେଥିରୁ ଗରଳ ବାହାରେ ! ବନ୍ନୋକୁ ଲାଗିଲା ସେ ଯେପରି ଏକ ବିରାଟ ବଡ ଆଇନା ଆଗରେ ଠିଆହୋଇଛି । ଯୋଉ ଝିଅ ମାଟି ଉପରେ ଉଲଗ୍ନ ହୋଇ ପଡିରହିଛି, ସେ ହେଉଛି ନିଜେ ବନ୍ନୋ, ତାକୁ ଅଧା ଡର୍ଜନ ହାତ ମାଟି ଉପରେ ଚାପି ଧରିଛନ୍ତି ଭୋକିଲା ହେଟା ପରି ।ଏଇ ଆଖିସବୁ ମଧ୍ୟ ଠିକ୍ ସେଇ ଆଖି, ଯାହା ତାକୁ ପୂର୍ବରୁ ବି ଏମିତି ଚାହିଁ ସାରିଥିଲେ ।

“କିଏ…କିଏ ଅଛି? ଏଠି କଣ ହେଉଛି?” ଗର୍ଜନ କରି ସେ ହାତରେ ଛୁରୀ ଧରି ବିଜୁଳି ପରି ଘର ଭିତରକୁ ପଶିଗଲା । ଭିତରେ ଯେମିତି ଆତଙ୍କ ଖେଳିଗଲା । ଜଣେ ଦିଜଣ ପ୍ରଥମେ ଧାଇଁ ପଳେଇବାକୁ ଚେଷ୍ଟା କଲେ, କିନ୍ତୁ ପରେ ସମସ୍ତେ ନିଷ୍ପତି ନେଲେ ଯେ, ଘଟଣା କଣ ଦେଖିବା ଦରକାର । ଆମ କାମରେ ବାଧାଦେବାବାଲା ଇଏ କୋଉ ସୈତାନ ଆସିଗଲା ।

ବନ୍ନୋ ଜଣେ ଦି ଜଣ ସୈନିକଙ୍କ ଉପରେ ଆକ୍ରମଣ କଲା, କିନ୍ତୁ ସେମାନେ ବହୁତ ଅଭିଜ୍ଞ ଖେଳାଳୀ ଥିଲେ । ବଞ୍ଚିଗଲେ ଓ ବନ୍ନୋ ହାତରୁ ଛୁରୀଟା ନେବା ପାଇଁ ଝାମ୍ପିପଡିଲେ, କିନ୍ତୁ ସେମାନେ ସଫଳ ହେବା ପୂର୍ବରୁ, ବନ୍ନୋ ବିଜୁଳି ବେଗରେ ଧାଇଁ ଆସି ସେ ଝିଅର ପେଟରେ ଛୁରୀ ଭୂଷିଦେଇଥିଲା ଓ ସେହି ଛୁରୀକୁ ନିଜ ପେଟରେ ମଧ୍ୟ…।

 

ଅନୁବାଦ: ନୀହାରିକା ମଲ୍ଲିକ

Leave A Reply

Your email address will not be published.