Latest Odisha News

ଅନୁବାଦ କବିତା : ବନଲତା ସେନ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ 

ହଜାର ବରଷ ଧରି ଚାଲିଛି ଅନେକ ପଥ ଏଇ ପୃଥିବୀରେ
ସିଂହଳ ର ଦ୍ବୀପଠାରୁ ନିଶୀଥର ଅନ୍ଧକାରେ , ମଳୟ ସାଗରେ
ବୁଲିଛି ଅନେକ ବାଟ , ବିମ୍ବିସାର, ଅଶୋକଙ୍କ , ଧୂସର ଜଗତେ
ଥିଲି ମୁହିଁ , ଆହୁରିବି ଦୂର ଅନ୍ଧକାରେ ,ବିଦର୍ଭ ନଗରେ
ମୁଁ ଏକ କ୍ଲାନ୍ତ ପ୍ରାଣ , ଚାରିଦିଗେ ଜୀବନର ସମୁଦ୍ରରରେ ଫେଣ
ଦୁଇଘଡ଼ି ଶାନ୍ତି ମତେ ଦେଇଥିଲା ନାଟୋରର ବନଲତା ସେନ ।

କେଶ ତାର ଅନ୍ତହୀନ ଅନ୍ଧକାର , ରୂପ ତା’ର ବିଦିଶାର ରାଜ କନ୍ୟାସମ
ମୁହଁରେ ତା ଶ୍ରାବନ୍ତିର କାରୁକାର୍ଯ୍ୟ ; ଅତି ଦୂରେ , ସମୁଦ୍ର ଗର୍ଭରେ
ଭଙ୍ଗ ନୌକା ନେଇ ଯେ ନାବିକ ହୋଇଅଛି ଦିଗ ଆଶାହରା
ସେ ଯେବେ ଦେଖଇ ଏକ ସବୁଜ ଘାସର ଦେଶ , ଡ଼ାଳଚିନି ଦ୍ବୀପ ନିକଟରେ
ସେହିପରି ଦେଖୁଛି ଅନାଇଁ ତାକୁ , କହିଲା ସେ ” କେଉଁଠାରେ ଥିଲ ଏତେଦିନ ?”
ନୀଡ଼ଦ୍ୱାରୁ ବିହଗର ଆଖି ମେଲି ନାଟୋରର ବନଲତା ସେନ ।

ଦିନ ସବୁ ସରିଗଲା ପରେ , ଶିଶିରର ଶବ୍ଦ ପରି ସନ୍ଧ୍ୟା ଆସେ
ଡେଣାରୁ ଖରାର ଗନ୍ଧ , ପୋଛିଦିଏ ଚିଲ
ଲିଭିଗଲେ ପୃଥିବୀର ସବୁ ରଙ୍ଗ ପାଣ୍ଡୁଲିପି କରେ ଆୟୋଜନ
ସେତେବେଳେ ଗପର ଆସରେ ଖଦ୍ୟୋତର ରଙ୍ଗ ଲିଭେ , ଜଳେ
ଚଢେଇ ଫେରନ୍ତି ନିଡେ ସବୁ ନଦୀ ପଥସରେ ସରେ ଏ ଜୀବନ
ରହିଯାଏ ଖାଲି ଅନ୍ଧକାର ଏବଂ ମୁହାଁ ମୁହିଁ ବସିଥିବା ବନଲତା ସେନ ।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.