Latest Odisha News

BREAKING NEWS

ଗଳ୍ପ : ରଜ

ସୁନୀତା ପ୍ରଧାନ 

ସଜବାଜ

ଲିପି ଏ ଲିପି । ଉଠ ଆଜି ପରା ଦିନରେ ଏତେ ବେଳ ଯାଏଁ ଶୋଇଛୁ। ଆଜି ପରା ପହିଲି ରଜ।ଯା ଉଠେ, ଫ୍ରେସ ହୋଇ ଏ ନୂଆ ଡ୍ରେସ ପିନ୍ଧି ,ମୁଣ୍ଡ କୁଣ୍ଡେଇ,ମୁହଁରେ ଏ ବିନ୍ଦିଟା ଲଗେଇ ପାଦରେ ଅଳତା ଟିକେ ପିନ୍ଧି ସଜ ହୋଇଯା। ମମି କଥା ଶୁଣି ଚମକି ଉଠି ପଡ଼ିଲା ମମି ,ମମି ! ଏ କଣ ? କାନ୍ଥରେ ଟଙ୍ଗା ଯାଇଥବାମମିର ସେଇ ଫଟୋ ! ଯାହାକି ଆଜକୁ ଠିକ୍ ବର୍ଷକ ତଳେ ଆଜିର ଦିନରେ ଶ୍ମଶାନକୁ ଯିବାର କେଇ ମୁହୂର୍ତ୍ତ ପୂର୍ବର ଫଟୋ ! ମମି ଦେହରେ ନୂଆ ଶାଢ଼ୀ , ମଥାରେ ସିନ୍ଦୂରଟୋପା, ହାତରେ ଶଙ୍ଖା , ପାଦରେ ଅଳତା ଦେବୀ ପରି ସଜବାଜ ହୋଇ ଥିବା ଫଟୋକୁ ଦେଖି ଲିପି ଆଖିରୁ ଝରି ପଡୁଥିଲା କେଇ ବୁନ୍ଦା ଲୁହ।

ପୋଡ଼ପିଠା

ଏଇ କେଇ ଦିନ ଆଗରୁ ପୁଅ ପସନ୍ଦର ସହରୀ ଝିଅକୁ ବୋହୁ କରି ଆଣିଥିବାରୁ, ସାହି ଭାଇରେ ସମସ୍ତଙ୍କର ଟୁପଟାପ୍ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା ମହାନ୍ତି ଘର ନୂଆ ବୋହୁଟି।ସହରୀ ଝିଅ ସେ କଣ ପରମ୍ପରା ଓ ଚାଲିଚଳଣ ,ସଂସ୍କୃତି ବିଷୟରେ କିଛି ଜାଣିଥିବ ? ଆସୁ ଆସୁ ଦେଖେଇବ ତା ସହରୀ ଉଗ୍ର ଆଧୁନିକା ଛଇ। ଏମିତି କେତେ କଣ? ନୁଆବୋହୁକୁ ଦେଖିବା ପାଇଁ ଆସିଥିବା ସାହି ମାଇପଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରି ,ଅଳତା ଲଗାଇ ଦେଇ ହାତକୁ ଖଣ୍ତେ ଖଣ୍ତେ ପୋଡ଼ ପିଠା ବଢେଇଦେଇଥିଲା ବୋହୁଟି। ତା ହାତ ତିଆରି ପୋଡ଼ପିଠା ଖାଇ, ତା ଆଚାର ବ୍ୟବହାରରେ ମୁଗ୍ଧ ହୋଇ ସମସ୍ତେ ପ୍ରଶଂସା କରି କହୁଥିଲେ, ସହରୀ ଝିଅ ହେଲେ କଣ ହେଲା,ବୋହୁ ଆମର ଖାଣ୍ଟି ଓଡ଼ିଆଣୀ।ତା ହାତ ତିଆରି ପୋଡ଼ପିଠା ଯେମିତି ସ୍ଵାଦିଷ୍ଟ ତା ବ୍ୟବହାର ମଧ୍ୟ ସେମିତି ମଧୁର।

ରଜଦୋଳି

ସେହି ବର୍ଷ, ଯେଉଁ ଦିନ ଗାଁ ଆମ୍ବ ତୋଟାରୁ ରଜ ଦୋଳି ପାଇଁ ବନ୍ଧା ହୋଇଥିବା ଦଉଡ଼ିରେ ଅପା ର ଝୁଲନ୍ତା ଶରୀରକୁ ଦେଖିଥିଲା ସେବେଠାରୁ ଆଜି ଯାଏଁ ଯେଉଁଠି ମଧ୍ୟ ଦୋଳି ବନ୍ଧା ହେବା ଦୃଶ୍ୟ ଦେଖେ, ଭୟରେ ଶିହରି ଯାଇ ବୋଉ ପଛପଟେ ଲୁଚି ଯାଏ ଅପର୍ଣ୍ଣା।

ରଜ ସେଲଫି

ଏଇ କିଛି ବର୍ଷ ରଜ ଦିନ ସକାଳୁ ମୋବାଇଲ ଓନ୍ କରୁ କରୁ ଅନେକ ସୁନ୍ଦରୀ ତରୁଣୀଙ୍କ ଶାଢ଼ୀ ପିନ୍ଧା ସେଲଫିରେ ହ୍ଵାଟ୍ସଆପ ଓ ଫେସ୍ବୁକ୍ ଭରି ହୋଇଯାଉଥିଲା। ଏହା ଦେଖି ମୋ ଭଳି କିଛି ଲୋକଙ୍କୁ ଭାରୀ ଖୁସି ଲାଗୁଥିବ ଯା ହେଉ ଆମ ପରମ୍ପରାକୁ ଆମ ଝିଅ ମାନେ କେତେ ମାନୁଛନ୍ତି । କିନ୍ତୁ ଦୁଇ ଚାରି ବର୍ଷ ପରେ ଏଇ ସୁନ୍ଦରୀ ରଜ କୁଇନ ମାନେ ବାହା ହେଲା ପରେ କୁଆଡ଼େ ଯାଆନ୍ତି କେଜାଣି ସେମାନଙ୍କୁ ଆଉ ଶାଢ଼ୀ ପିନ୍ଧି ଟ୍ରାଡିସନାଲ ଲୁକରେ ସେଲଫି ଫୋଟୋ ଆଉ ଜମା ଦେଖା ଯାଏନି।

 

 

Leave A Reply

Your email address will not be published.