Latest Odisha News

ଆମ ଗାଁ ରଜ : ସୁଷମା ପରିଜା

ସୁଷମା ପରିଜା

ବାପାଙ୍କ ଚାକିରୀ ଯୋଗୁଁ ପିଲାଦିନୁଁ କଟକ ସହରରେ ରହୁଥିଲୁ । କିନ୍ତୁ ପ୍ରତି ବର୍ଷ ସ୍କୁଲ୍ରେ ଖରାଛୁଟି ଆଉ ଧାନ କଟାଛୁଟି ( ଶୀତ ଛୁଟି) ହେଲା ମାତ୍ରକେ ଗାଁକୁ ଯିବାଟା ଥୟ । ଆମ ଗାଆଁ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ୍ ଅନ୍ତର୍ଗତ ଡମପଡ଼ା । କଟକ ସହରୁ ମାତ୍ର ପଚାଶ କିଲୋମିଟର ଦୂରରେ ହେଲେ ମଧ୍ୟ ଗମନାଗମନର ସୁବିଧା ନଥାଏ, ସେଥିପାଇଁ ବାପାଙ୍କ ଇଚ୍ଛା ନଥାଏ ଆମେ ସେଠାକୁ ଯାଉ ବୋଲି। ବାପାଙ୍କ ଇଚ୍ଛା ଥାଉ ବା ନଥାଉ ବୋଉର ଆମ ଗାଁକୁ ଯିବାର ଜିଦ୍ ଆଗରେ ବାପା ହାର୍ ମାନନ୍ତି , ଆଉ ଆମ ପିଲାମାନଙ୍କର କଚେ ପୁଅ ବାଆର । କଟକରେ ରହି ଧାନ ଗଛଟିଏ ଦେଖି ପାରୁନଥିବା ପିଲାମାନଙ୍କୁ ଗାଁରେ ଲଗାମଛଡା ହୋଇ ଖେଳିବା ବୁଲିବାର ସୁଯୋଗ ମିଳେ । ଏତେ ଖୁସି ହେଉ ଯେ କୁହାନଯାଏ । ପିଲା କହିଲେ ଦଶ ବର୍ଷର ମୁଁ, ଦୁଇ ବର୍ଷର ମୋ ତଳ ଭାଇ ତା’ ତଳକୁ ତିନି ଚାରି ମାସର ମୋ ସାନଭାଇ। ସାନ ଭାଇକୁ କୋଳରେ ଧରି ବସିଥିବ ମୋ ବୋଉ , ମୋ ତଳ ଭାଇର ହାତ ଧରି ଭିଡି ଚାଲୁଥିବି ମୁଁ । ସେତେବେଳେ ଆମ ଗାଁ ( ବାଙ୍କୀ, ଡମପଡ଼ା) କୁ ସବୁଦିନିଆଁ ରାସ୍ତା ନଥାଏ । ତ୍ରିଶୂଳିଆ ପାଖରେ ମହାନଦୀ ଭିତରେ ଖରାଦିନେ କଚ୍ଚା ରାସ୍ତା ତିଆରି ହୁଏ ଯାହା ନଦୀରେ ଅସରାଏ ବର୍ଷାପାଣି ଆସିଲେ ଧୋଇ ଯାଏ। ଅନ୍ୟ ଦିନ ମାନଙ୍କରେ ଟ୍ରେନରେ କଟକ ଷ୍ଟେସନରୁ ବସି ବାରଙ୍ଗ ଷ୍ଟେସନରେ ଓହ୍ଲାଇବାକୁ ପଡ଼େ। ସେଠାରୁ ରେଳ ଲାଇନ ପାର ହୋଇ କାଚ କାରଖାନା ପାଖରେ ଠିଆ ହୋଇଥିବା ବସ୍ ଧରି ଯିବାକୁ ପଡ଼େ ଆମ ଗାଁକୁ। ଦିନକୁ ମାତ୍ର ଥରୁଟିଏ ବସ ଯାଏ ଆମ ଗାଁ ଦେଇ ; ନହେଲେ ଦୁଇ କିଲୋମିଟର ଦୂରରେ ଓହ୍ଲାଇ ଚାଲି ଚାଲି ଯିବାକୁ ପଡ଼େ। ଗାଁକୁ ଗଲେ ପ୍ରାୟତଃ ଆମେ ଉପର ଓଳି ଆମ ଗାଁ ଦେଇ ଯାଉଥିବା ବସ୍ ଧରି ଯାଉ। ମୋ ବୋଉର ମାମୁଁ ଘର ଆମ ଗାଁରେ ଆମ ସାହି ପାଖରେ , ପୁରୁଣା କାଳିଆ ରାଇଟର ଆମ ବୋଉର ମାମୁଁ, ଶଗଡ ବଳଦ ସଜ କରି ତାଙ୍କ ପୁଅ ପୁତୁରାଙ୍କୁ ପଠାଇ ଆମକୁ ଆସି ନେଇ ଯିବେ ବସ୍ ଷ୍ଟାଣ୍ଡରୁ ଆମ ଘରକୁ । ସେଠାରେ ଆମର ରୟତ ତା’ର ପରିବାର ସହିତ ଆସି ଆମ ଘର ବାଡ଼ି ଅଗଣା ସବୁ ସଫା ସୁତୁରା, ଲିପା ପୋଛା କରି ଜଗି ବସିଥିବ ଆମ ଆସିବା ବାଟକୁ। ଆମେ ପହଞ୍ଚିଲା ପରେ ସେମାନଙ୍କ କାମ ବଢ଼ିଯିବ ।

ଗାଁରେ ସେତେବେଳେ ଆମର ଦୁଇ ଧାଉଡିଆ ଚାଳ ଘର ଛଅ ବଖରା , ଯାହାର ସାମନାରେ ଥାଏ ଗୋଟିଏ ରେଙ୍ଗୁନ ବରକୋଳି ଗଛ। ଘରକୁ ବେଢ଼ିଥାଏ କଚ୍ଚା ବାବୁ, ଆଗରେ ଗୋଟିଏ ବାଉଁଶ ତିଆରି ଗେଟ୍ । ଗେଟ୍ ଖୋଲି ଭିତରେ ପଶିଲେ ପୂର୍ବ ପଟକୁ ଢିଙ୍କିଶାଳ, ରୋଷେଇ ଘର ତା’ପାଖକୁ ଖାଲି ଘରଟିରେ ଧାନ ଅମାର, ପଶ୍ଚିମ ପଟକୁ ତିନି ବଖରା ଶୋଇବା ଘର । ମାଟି କାନ୍ଥ, ମାଟିର ହାତୀଅନ୍ଧକୁ ଧରି ରଖିଥାଏ ବାରଣ୍ଡାରେ ବସିଥିବା ଖଡ଼ି ପଥରର ଖୁଣ୍ଟ କେଇଟି। ମାଟିର ବଡ ଅଗଣା ମଝିରେ ତୁଳସୀ ଚଉଁରା, ତା’କୁ ବେଢ଼ି ମଲ୍ଲୀ ଗଛ ବୁଦାଏ। ଖରାଦିନେ ସେଥିରେ ଏତେ ଫୁଲ ଫୁଟିଥିବ ଯେ ପତ୍ର ଦିଶୁନଥିବ, ମଲ୍ଲୀ ଫୁଲର ବାସ୍ନାରେ ମହକି ମହକି ଯାଉଥିବ ଚଉଦିଗ । ଘର ପଛକୁ ବିରାଟ ବାଡ଼ିଟିଏ , ଆମ୍ବ, ପଣସ ,ନିମ୍ବ, ସାହାଡା, ପିଜୁଳି, କାନ୍ଧିଆ, ତାଳ ଗଛ ସହିତ ବିରାଟ ବାଉଁଶ ବୁଦା। ବୋଉ କହେ ପଚିଶି ଗୁଣ୍ଠର ଏଇ ଜାଗାଟିକୁ ତା’ର ଶଶୁର କିଣିଥିଲେ ଡମପଡ଼ା ଗଡ଼ର ଗଡ଼ ନାହାକାଣୀ ପାଖରୁ । ଘର କରିବା ପରେ ବାକି ଯେତେ ଜାଗା ଖାଲିପଡ଼ିଥିଲା ,ତା’ବାହାଘର ବେଳେ ଯେଉଁ ଆମ୍ବ ପଣସ ଭାର ଆସିଥିଲା ସେଥିରୁ ମଞ୍ଜି ପକେଇ ଗଛ ଉତ୍ତାରି ଥିଲେ ତା’ର ଶାଶୁ ମାନେ।

ମୋ ଜେଜେ ମାନେ ତିନି ଭାଇଥିଲେ କିନ୍ତୁ ମୋ ବାପା ସେମାନଙ୍କର ଗୋଟିଏ ମାତ୍ର ପୁଅ। ମୋ ଜେଜେ ସବୁଠାରୁ ବଡ଼ ଥିଲେ, ଢେଙ୍କାନାଳ ରାଜାଙ୍କର ପାଖରେ ଚାକିରୀ କରୁଥିଲେ । ବାକି ସାନଭାଇ ଦୁହିଁଙ୍କ ମଧ୍ୟରୁ ଜଣେ ରେଙ୍ଗୁନ ( ବର୍ମା) ରେ କାମ କରୁଥିଲେ , ଆଉ ଜଣେ ଡମପଡ଼ା ରାଜାଙ୍କ ପାଖରେ କାମକରୁଥିଲେ।ସେଇ ଜେଜେ ଦୁହିଁଙ୍କର ଦୁଇଟି ଝିଅ ଥିଲେ। ଜେଜେମାନେ ଅକାଳରେ ମରିଯିବା ପରେ ବାପା ସେ ଭଉଣୀମାନଙ୍କୁ ବାହାସାହା କରିଥିଲେ ଆଉ ତାଙ୍କ ମାଆ, ଖୁଡୀ ମାନଙ୍କର ପାଳନ ପୋଷଣ କରିଥିଲେ। ମୁଁ ସାତ ବର୍ଷର ହେବା ବେଳକୁ ମୋ ଜେଜେମାଆ ମାନେ ଆଉ ନଥିଲେ । ଏତେ ବଡଘରେ ବୋଉ ଏକା କେମିତି ରହିବ ବୋଲି ବାପା ସବୁବେଳେ  ଗାଁକୁ ଯିବାକୁ ଅରାଜି ହେଉଥିଲେ। କିନ୍ତୁ ମୋ ବୋଉଟା ଭାରି ସାହସୀ , ଖୋରଧା ପାଇକ ସର୍ଦ୍ଦାର ଘର ଝିଅ ତ ‘ , ଏକା ଏକା ଶାଶୁଘରର ଧନ ସମ୍ପତ୍ତି ର ରକ୍ଷଣାବେକ୍ଷଣ କରିବାକୁ ଯାଉଥିଲା ତା’ ମାମୁଁ ଘର ବଳରେ । ଆମେ ସାନ ଥିବା ବେଳେ ଏସବୁ ଜାଣି ନଥିଲୁ, ହେଲେ ଟିକିଏ ବଡ ହେଲା ପରେ ବୋଉ ଆମକୁ ସବୁ କଥା କହିଥିଲା । ସେଇଟି ଆମର ଭିଟାମାଟି ଏବଂ ତା’କୁ ସମ୍ଭାଳି ରଖିବା ଆମର କର୍ତ୍ତବ୍ୟ ବୋଲି ବୁଝାଉଥିଲା। ବାପା ଗାଆଁକୁ ଫେରିବାର ମନସ୍ଥ କରି ଆମର ଇଜିମାଇଲି ଘର ,ଜମି ,ତୋଟା ଇତ୍ୟାଦି ଇତ୍ୟାଦି କୋଠ ସମ୍ପତ୍ତିକୁ ତାଙ୍କର କୁଟୁମ୍ବରେ ଜଣେ ଦାଦାଙ୍କୁ ଦେଇ ସାରିଥିଲେ । ସେଇ ଲୋଭୀ ମଣିଷଙ୍କର ଆଖି ଥିଲା ଆମର ଏଇ କିଣା ଜମି ଉପରେ । ସେଥିପାଇଁ ସେ ବାପାଙ୍କ ପାଖକୁ କଟକ ଆସି ସେଇ ଜମିକୁ ହାତେଇବାର ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଥିଲେ। ହେଲେ ବୋଉ ତାଙ୍କ ଉଦ୍ୟମକୁ ସଫଳ ହେବାକୁ ଦେଉନଥିଲା। ସେଇ ଥିଲା ଆମର ଗାଁକୁ ଯିବାର ମୁଖ୍ୟ କାରଣ । ଆମ ଜେଜେଙ୍କ ସହିତ ଆମ କୁଟୁମ୍ବର ଆଉ ଜଣେ ଜେଜେ ଉଠି ଆସି ଆମ ପାଖାପାଖି ଜାଗା କିଣି ରହୁଥିଲେ । ସେଇ ବଡ଼ବୋଉ ସହିତ ମୋ ବୋଉର ଖୁବ୍ ଭଲ ସଂପର୍କ ଥିଲା। ଆମେ ନରହିବା ବେଳେ ଆମ ଘରର ଚାବି ତାଙ୍କରି ପାଖରେ ରହୁଥିଲା । ତାଙ୍କ ଝିଅ ଫେନୁ ଅପା ମୋ’ଠୁ ଚାରିବର୍ଷ ବଡ଼। ବଡବୋଉ ଆଉ ଫେନୁଅପା ମିଶି ଆମ ଘରଦ୍ବାର ବେଳେ ବେଳେ ଓଳାଓଳି, ସଫାସଫି କରି ଦେଉଥିଲେ, ବାଡ଼ିର ଆମ୍ବ ପଣସ ତାଙ୍କରି ତତ୍ତ୍ୱାବଧାନରେ ଥିଲା । ବଡ଼ବାପା କଲିକତାରେ ଚାକିରୀ କରୁଥିଲେ । ବଡବୋଉଙ୍କ ପୁଅମାନେ କେବେ କେମିତି କଟକ ଆସିଲେ ଆମଘରକୁ କିଛି ଆମ୍ବ ପଣସ ଆଣି ଦେଉଥିଲେ ବାକି ସବୁ ଉଭାନ୍ ହୋଇ ଯାଉଥିଲା । ରଜ ବେଳେ ଆମ୍ବ ପଣସ ପାଚେ, ବୋଉ ସେଇ ସମୟକୁ ଜଗିଥାଏ । ଘରପୋଡ଼ିରୁ କୁଟାଖିଏ ସହି , ସେଇ ନ୍ୟାୟରେ ସେ ଆମକୁ ନେଇ ଯାଏ ପ୍ରତିବର୍ଷ ଖରାଦିନ ରଜ ଛୁଟି ଆଉ ଶୀତ ଦିନ ଧାନକଟା ଛୁଟିରେ।

ଆମର ଗଡ଼ଜାତିଆ ଗାଁ।ସେତେବେଳେ ରଜ ପର୍ବ ଆମ ଗାଁରେ ଖୁବ୍ ଧୁମଧାମରେ ପାଳନ ହୁଏ । ରଜ ପର୍ବ ମାଟି ମାଆର ପର୍ବ । କୁହାଯାଏ ଯେ ଏଇ ସମୟରେ ଭୂମି ରଜସ୍ୱଳା ହୁଏ , ନିଜକୁ ଉତ୍ପାଦନ ଯୋଗ୍ୟା କରେ , ତେଣୁ ଓଡିଶାରେ ମୁଖ୍ୟତଃ ଏଇଟା ନାରୀ ମାନଙ୍କ ପର୍ବ ବୋଲି ଝିଅ ବୋହୂମାନେ ଖୁବ୍ ତତ୍ପରତାର ସହିତ ଅପେକ୍ଷା କରି ରହିଥାନ୍ତି ରଜକୁ । ରଜର ଆଦ୍ୟ ଦିବସ ହେଲା ସଜବାଜ, ତା’ପରଦିନ ପହିଲି ରଜ, ତା’ପରଦିନ ରଜ ସଂକ୍ରାନ୍ତି, ତା’ପରଦିନ ଶେଷ ରଜ ଭୂଇଁଦଅଣ । ଏଇ ତିନିଦିନ ଧରି ନାରୀମାନେ କୌଣସି କାମ କରନ୍ତି ନାହିଁ, ଏପରିକି ଭୂମିରେ ପାଦ ଦେଇ ମଧ୍ୟ ଚାଲନ୍ତି ନାହିଁ । ଏଥିପାଇଁ ଢେର୍ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ। ପୁରୁଷ ମାନେ ( ଯେମିତିକି ବାପା,ଦାଦା,ଭାଇ) ସେଇ ଦିନ ମାନଙ୍କରେ ଖୁବ୍ ସାହାଯ୍ୟ କରନ୍ତି । ଝିଅ ବୋହୂ ମାନଙ୍କ ଲାଗି କରଞ୍ଜ ଦାନ୍ତକାଠି କାଟି ରଖାଯାଏ । ଶୁଖିଲା ଲଙ୍କା , ଜୀରା, ଧନିଆଁ, ପୋସ୍ତକ ,ତେଜପତ୍ର, ଡାଳଚିନି ଅଳେଇଚ ଇତ୍ୟାଦି ମସଲା ଚାରି ଦିନ ପାଇଁ ଭଜା ହୋଇ , ହେମଦସ୍ତାରେ କୁଟା ହୋଇ ରହେ। ଖଣ୍ଡ ହଳଦୀ ଶିଳରେ ବଟା ହୋଇ ବଡ଼ କାଠ ତିଆରି କାଠୁଆରେ ରହେ ଭାଗ ଭାଗ ହୋଇ । ଗୋଟିଏ ଭାଗ ଦେହରେ ଲଗାଇବା ପାଇଁ, ଅନ୍ୟ ଭାଗଟି ରୋଷେଇ ପାଇଁ, ଗୋଟା ବିରିକୁ ବତୁରାଇ କିଛି ଭାଗ ଚୋପା ଛଡାଇ ଗୁଣ୍ଡ କରି ରଖା ଯାଏ, ଆଉ କିଛି ଭାଗ ଶିଳ ନହେଲେ ପେଷଣାରେ ବଟା ହୋଇ ବଡ ବଡ ମାଟି କୁଣ୍ଡରେ ସାଇତା ହୋଇ ରହେ । ବହୁତ ପରିମାଣରେ ଅରୁଆ ଚାଉଳ ଢିଙ୍କିରେ କୁଟି ବଡ ବଡ ବାଉଁଶିଆ ରେ ରଖାଯାଏ । ଏଇ ରଜ ଚାରି ଦିନ ବିଭିନ୍ନ ପ୍ରକାର ପିଠା ପଣା ତିଆରି ହେବା ଲାଗି । ରଜପର୍ବର ମୁଖ୍ୟ ପିଠା ହେଲା ପୋଡପିଠା । ସେଥିପାଇଁ ନଡିଆ ସବୁ କୋରାହୋଇ ଆଉ ପାତି ହୋଇ ରଖାଯାଏ । ପାନ ଭଙ୍ଗାହେବା ଲାଗି ଗୁଆ କଟା ହୋଇ ରହେ। ଏଇ ରଜ ଚାରି ଦିନ ଯାକ ବାପା, ଭାଇ ମାନେ ପରିବା କାଟି ଦିଅନ୍ତି ଘରେ ରୋଷେଇ ହେବା ଲାଗି , ଆମ୍ବ କାଟନ୍ତି , ପଣସ ଖୋଲନ୍ତି, ନଡିଆ ଭାଙ୍ଗନ୍ତି , ଏମିତି ବହୁତ କାମ କରନ୍ତି । ଭାଇ ମାନେ ଏକାଠି ହୋଇ ରଜ ପାଇଁ କେତେ ରକମ ରକମର ଦୋଳି ତିଆରି କରନ୍ତି ।କୋଉଠି ବାଉଁଶ ଦୋଳି ତ କୋଉଠି କତା ଦଉଡି କି ଝୋଟ ଦଉଡି ଦୋଳି। ରଜରେ ଝିଅ ମାନଙ୍କର ବସା ଉଠା କରିବା ପାଇଁ ସ୍ୱତନ୍ତ୍ର କୋଠ ଘରଟିଏ ସଜଡ଼ା ହୁଏ। ଗୋଟିଏ ଆଟୁ ଘରେ ଗୋଟିଏ ଖଜୁରୀପଟି ଉପରେ ସତରଞ୍ଜି ବିଛାଇ ଦିଆଯାଇଥାଏ। ଝିଅ ମାନେ ଦଳ ଦଳ ହୋଇ ସେଇଠି ବସା ଉଠା , ହସ ମଜା କରନ୍ତି। ସେଇ ଘର ଆଟୁରେ ବନ୍ଧା ହୋଇ ଝୁଲୁଥିବ ଭଳି କି ଭଳି ରକମର ଭଙ୍ଗା ହୋଇଥିବା ବିଡିଆ ପାନ। କଟାଗୁଆ, ନଡିଆ, ଗୁଜୁରାତି ପଡ଼ି ଭଙ୍ଗା ହୋଇଥିବା ପାନରେ ଖୋସା ହୋଇଥିବ ଲବଙ୍ଗଟିଏ। ପ୍ରାୟତଃ ପୂର୍ବ ଦିନରୁ ସେଇ ପାନ ସବୁ ଭାଙ୍ଗିରଖିଥାନ୍ତି ଗାଆଁ ର ନୂଆ ଆସିଥିବା ବୋହୂମାନେ। ପାନ ଭଙ୍ଗାର ଶୈଳୀରୁ ମପା ଯାଉଥିବ ସେମାନଙ୍କ ବାପ ଘରର ଐତିହ।ବୁଢା ବୁଢୀ ମାନେ ମନ୍ତବ୍ଯ ଦେଉଥିବେ “ ସେ ଅମୁକ ଘରର ବୋହୂଟା ଖାନଦାନୀ ଘରର ଝିଅ, ଦେଖୁନ ତା’ ହାତରେ ଭଙ୍ଗା ପାନକୁ, କେଡେ ନିଖୁଣ କରି ଗଢିଛି !”

ସଜବାଜ ଦିନ ସମସ୍ତେ ନିଜ ନିଜ ଘରୁ ଆଇନା, ପାନିଆଁ , ବାସନା ତେଲ, ପାଉଡର, ସ୍ନୋ , ଅଳତା ,କଜଳ, କୁଙ୍କୁମ, ନଖପାଲିସି, ରିବନ୍ ,ଚନ୍ଦନ ପେଡ଼ି, ଚନ୍ଦନକାଠି ଇତ୍ୟାଦି ସଜ ସରଞ୍ଜାମ ନେଇ ରଖିବେ କୋଠଘରେ। ପହିଲି ରଜ ଦିନ କାଳି ଅନ୍ଧାରୁ ବଡ଼ ଝିଅ ମାନଙ୍କର ତତ୍ତ୍ୱାବଧାନରେ ସାନ ଝିଅ ମାନେ ଧାଡି ବାନ୍ଧି ଯାଆନ୍ତି ଗାଆଁ ପୋଖରୀକୁ ତେଲ ହଳଦୀ ବାସନା ସାବୁନ୍ ଲଗାଇ ଗାଧୋଇବାକୁ। ଗାଧୋଇ ସାରି ନିଜ ଘରକୁ ଫେରି ନୂଆ ଲୁଗା ପିନ୍ଧି ଚାଲି ଆସନ୍ତି କୋଠ ଘରକୁ ଏକାଠି ସଜବାଜ ହେବା ଲାଗି ।
ବୟସାନୁଯାୟୀ ବଡ଼ମାନେ ସାନ ମାନଙ୍କୁ ସଜବାଜ କରନ୍ତି । ସେଥିରେ ପୁଣି ବିଭାଗ ବଣ୍ଟନ ଥାଏ। କିଏ ମୁଣ୍ଡ କୁଣ୍ଡେଇ ବିଭିନ୍ନ ପ୍ରକାରର ବେଣୀ ବାନ୍ଧି ଦେବାରେ ବିଶାରଦ ତ କିଏ ଚନ୍ଦନ ପାଟୀ କରିବାରେ ବିଶାରଦ। ଆଉ କିଏ ଭଳି କି ଭଳି କୁଟିକମ କରି ପାଦରେ ଅଳତା ଲଗାଇଦେବାରେ ବିଶାରଦ । ଆଉ କିଏ ଆଖିରେ କଜଳଗାର ଟାଣି ମୁହଁରେ ସ୍ନୋ ପାଉଡର ମାରି ସଜ କରିବାରେ ଓସ୍ତାଦ୍ । ସେଇ ଅନୁସାରେ କାମ ବାଣ୍ଟି ହୋଇଯାଏ। ସକାଳ ହେଲାବେଳକୁ ସବୁ ଝିଅ ମାନେ ଗୋଟିଏ ଗୋଟିଏ ପରି ହୋଇ ବାହାରି ଆସନ୍ତି ସେଇ ଘରୁ ଗାଆଁ ଦାଣ୍ଡକୁ। ଦଳ ଦଳ ହୋଇ ଏ ଘର ଏହାରି ସେବାରେ ହୋଇ ଦୋଳି ଖେଳନ୍ତି, ଘର ଘର ବୁଲି ପୋଡ଼ପିଠା ଖାଆନ୍ତି, ରଜ ମଉଜ କରନ୍ତି। ବୋଉ କହେ ଏଇ ସଜ କରିବା କାଳେ ବିବାହ ଯୋଗ୍ୟା ଝିଅ ମାନଙ୍କର ଯୋଗ୍ୟତାର ପରିମାପକ । ସେଇଥିରୁ କଳନା କରାଯାଏ ଝିଅର ଘରକରଣା , ତା’ର ସଣ୍ଠଣା।

ମୁଁ ସେସବୁ କିଛି ବୁଝି ପାରୁନଥାଏ ସେତେବେଳେ, ତଥାପି ମୋତେ ଭାରି ଭଲ ଲାଗେ ରଜ ସଜବାଜ । ତେଲ ହଳଦୀ ମଖା ଦେହରେ ନୂଆ ଫ୍ରକ୍, ମୁଣ୍ଡରେ ଦୁଇ ପଟେ ଦୁଇଟା କଦଳୀଗଛ ଭଳି ବେଣୀରେ ନାଲି ରିବନରେ ଫୁଲ, ପାଦରେ ଢେଉଢେଉକା ଅଳତା, ଆଖିରେ ଲମ୍ବା ଲାଞ୍ଜି ଟଣା କଜଳ ଗାର । ଲବଙ୍ଗ ଅଗରେ ସୁନ୍ଦର ଭାବରେ ଲଗାହୋଇଥିବା ଚନ୍ଦନ ପାଟୀରେ ମୁଁ ପାଉଁଜି ଛମ ଛମ କରି ଯେତେବେଳେ ଆମ ଘରକୁ ଆସେ ମୋ ବୋଉ ଭାରି ଖୁସି ହୁଏ। ମତେ ଭିଡ଼ିନେଇ କବାଟ କଣରେ ଲୁଚାଇ କଳା ଟୋପାଟିଏ ମାରିଦିଏ ମୋ କାନ ପଛପଟେ । ଥୁ ଥୁ କରି ଛେପ ପକାଏ କାଳେ କାହାର ଦୃଷ୍ଟି ଲାଗିଯିବା ବୋଲି । ମୁଁ ବୁଝି ପାରେନି ? କାନ୍ଦି ପକାଏ , କାହିଁକି ଏମିତି କରୁଛି ବୋଲି ? ଏବେ ବୁଝି ପାରୁଛି ସେ ମୋ ବୋଉର ସ୍ନେହ ଥିଲା।

ସେତେବେଳେ ମୋ ବଡ଼ବାପାଙ୍କ ଝିଅ ତେର ବର୍ଷର ଫେନୁ ଅପା ଶାଢୀ ପିନ୍ଧୁଥିଲା, ମୁଣ୍ଡରେ ଲୁଗା ଦେଉଥିଲା । ସିଏ ଥିଲା ଗାଁରେ ମୋର ସାଙ୍ଗ, ପଥ ପ୍ରଦର୍ଶକ, ମୋର ମୁରବୀ । ଆମେ ସାଙ୍ଗ ହୋଇ ଦୋଳି ଖେଳିବାକୁ ଯାଉଥିଲୁ । ଆମ ଗାଁରେ ଠାଆକୁ ଠାଆ ଦୋଳି ଲାଗିଥାଏ । କୋଉଠି ଗୋଟିକିଆ ବାଉଁଶ ଦୋଳି । କୋଉଠି ଦୁଇଟିକିଆ ବାଉଁଶ ଦୋଳି। କୋଉଠି ପଟା ଦୋଳି । ଦଳ ଦଳ ହୋଇ ଝିଅମାନେ ଆନନ୍ଦରେ ଦୋଳି ଖେଳନ୍ତି। ଝିଅ ମାନଙ୍କୁ ସୁରକ୍ଷା ଦେବା ଲାଗି ଭାଇ ମାନେ ଅନତି ଦୂରରେ ବସି ତାସ୍ ଖେଳନ୍ତି । ଖେଳ ଚାଲିଥାଏ କିନ୍ତୁ ଆଖି ରହିଥାଏ ଝିଅ ମାନଙ୍କ ଉପରେ ।

ଗାଁରେ ଆମ ସାହି ମୁଣ୍ଡରେ ନୀଳକଣ୍ଠଙ୍କ ଦେଉଳ ,ସେଇ ପାଖରେ ଗୋଟାଏ ବଡ଼ ଆମ୍ବ ତୋଟାରେ ଲାଗେ ବଡ ବାଉଁଶ ଦୋଳି । କେବଳ ପୁଅ ପିଲା ମାନଙ୍କ ପାଇଁ । ଗୋଟିଏ ବୁଢ଼ା ଆମ୍ବ ଗଛର ସବୁଠାରୁ ଉଚ୍ଚା ଆଉ ମୋଟା ଡାଳରେ ଉଚ୍ଚରେ ସରୁ ସୂତାରେ ବନ୍ଧା ହୋଇଥାଏ ବଡ଼ ବଡ ଜିଲାପି । ପୁଅ ମାନଙ୍କ ଭିତରେ ଲାଗିଯାଏ କିଏ କେତେ ଦୂରକୁ ପେଙ୍ଗାମାରି ଦାନ୍ତରେ ଛିଡେଇ ଆଣିବ ସେଇ ଜିଲାପିକୁ । ଆମେ ଝିଅମାନେ ତାଟକା ହୋଇ ଚାହିଁ ରହୁ ସେଇ ଦୃଶ୍ୟକୁ । ମୋର ଭାରି ଇଚ୍ଛା ହୁଏ ସେମାନଙ୍କ ଭଳି ପାଏଁ କରି ପେଙ୍ଗାମାରି ଦୋଳି ଉଡ଼େଇ ଦେବାକୁ । ହେଲେ ଫେନୁ ଅପା ରାଗେ । ବାହା ଧରି ଭିଡ଼ି ଭିଡ଼ି ମତେ ଘରକୁ ଆଣେ । କହେ ସେଇଟା କେବଳ ପୁଅ ମାନଙ୍କ ଖେଳ। ତୁ ସେ ଖେଳ ଖେଳି ପାରିବୁନି। ମୁଁ ମନମାରି ଚୁପ୍ ରହେ। ଆଉ ଟିକିଏ ବଡ଼ ହେବା ପରେ ମୁଁ ବୋଉ ପାଖରେ ଜିଦ୍ କଲି ଆମ ବାଡ଼ିରେ ରଜକୁ ବାଉଁଶ ଦୋଳି ଲଗାଇବା ପାଇଁ ।

ଆମ ବାଡ଼ିରେ ରାସ୍ତା ପଟକୁ ବିରାଟ ବାଉଁଶ ବୁଦା । ବାଡ଼ିର ଠିକ ମଝାମଝି ଅଛି ଗୋଟାଏ ବିରାଟ ଆଷାଢେଇ ଆମ୍ବ ଗଛ। ସେ ଆମ୍ବ ଖୁବ ବଡ଼ ବଡ଼ ହୁଏ ଏବଂ ପ୍ରବଳ ଖଟା ଲାଗେ । ରଜ ବେଳକୁ ସେ ଗଛରେ ହାତ ପାହାନ୍ତାରେ ଝୁଲୁଥାଏ ବଡ ବଡ ଆମ୍ବ । ସେଇଠି ବନ୍ଧା ହେଲା ବାଉଁଶ ଦୋଳି ଗୋଟିଏ ଉଚ୍ଚ ଡାଳ ଦେଖି। ବାଡି ଶେଷ ଆଡକୁ ଆଉ ଗୋଟିଏ ଆମ୍ବ ଗଛରେ ବନ୍ଧାହେଲା କତା ଦଉଡ଼ିର ଦୋଳି । ସାହିର ସବୁ ଝିଅ ମାନେ ଆସିଲେ ଆମ ବାଡ଼ିକୁ ଦୋଳି ଖେଳିବା ଲାଗି। ସେତେବେଳକୁ ମୁଁ ସାଲୁଆର୍ ପଞ୍ଜାବୀ ପିନ୍ଧିଲିଣି । ଶାଢ଼ୀ ପିନ୍ଧା ଫେନୁ ଅପାକୁ ଦୋଳିରେ ବସେଇ ପେଙ୍ଗା ମାରିବା ଶିଖିଲି । ବଡ ଜୋସରେ ପାଏଁ ପାଏଁ ପେଙ୍ଗା ମାରି ଗୋଟା ଗୋଟା ଆମ୍ବ ନାଡ଼ ସହିତ ଛିଡେଇ ଆଣିଲି । ପାଟିରେ ,ତା’ପରେ ଯାହା ଅବସ୍ଥା, ପାଟି ଯାକ ଆମ୍ବ ଲସି ଲାଗି ଘାଆ। ଆମ୍ବୁଲ ହେବାକୁ ରଖିଥିବା ଆମ୍ବ ସବୁ ନଷ୍ଟ ହେଲା ବୋଲି ବୋଉର ଯୋଉ ଗାଳି ! ବଡ ବୋଉ କହିଲା “ ସୁଦୁ ଅଣ୍ଡିରାଚଣ୍ଡୀ ଟା” କୋଉ ଶାଶୁ ଘର ରଖିବ ୟାକୁ ? ମୋ’ର କିନ୍ତୁ କୋଉ କଥାକୁ ଖାତିର୍ ନଥାଏ। ବାଉଁଶ ଦୋଳି ଖେଳି ମୋ ମନ ଖୁସ୍ ।

ରଜ ତିନି ଦିନ ଯାକ ଗାଁରେ ୟା ଘର ତା’ଘର ବୁଲି ଦୋଳି ଖେଳ , ପିଠା ଖିଆ ଲାଗିଥାଏ। ପାନ ଖାଇ ଖାଇ ପାଟି ନାଲି ପଡ଼ି ଯାଉଥାଏ। ରଜରେ ଝିଅମାନେ ସଞ୍ଜ ବୁଡ଼ିଲାପରେ ଖାଇବା ନିଷେଧ । ତେଣୁ ସଞ୍ଜ ପୂର୍ବରୁ ଘରକୁ ଫେରି ଖାଇନେଉ। ଦିନ ସାରା ଧୁମ୍ ଖେଳି ବୁଲି ସାରିବା ପରେ କ’ଣ ଦି’ଟା ପାଟିରେ ପଡ଼ୁ କି ନ ପଡ଼ୁ ଘୋର ନିଦ ଘୋଟି ଆସେ ଆଖିକୁ। ପୁଣି ପରଦିନ ସକାଳୁ ରଜ ପାଳନ । ଶେଷ ରଜ ପରଦିନ ହୁଏ ବସୁମତୀ ସ୍ନାନ। ସେଦିନ ବୋଉ ବଡ଼ବୋଉ ସୂର୍ଯ୍ୟ ଉଦୟ ହେଲାବେଳକୁ ଅଗଣାରେ ଲିପା ପୋଛା କରି ଶିଳ ଶିଳପୁଆ , ଲଙ୍ଗଳଲୁହା, କଜଜପାତି,ଲେଖନ ଥୋଇ , ହଳଦୀ ମଥାଘଷା ଲଗାଇ ସ୍ନାନ କରାଇବେ ସେମାନଙ୍କୁ । ଚନ୍ଦନ ସିନ୍ଦୂର ଦେଇ ସଜେଇବେ। ନାଲି ମନ୍ଦାର , ହଳଦିଆ କନିଅର, ଧଳା ଟଗର, ଧଳା ମଲ୍ଲୀ ଫୁଲର ସମ୍ଭାରରେ ମଣ୍ଡିତ ହୋଇ ସେମାନେ ଦିଶୁଥିବେ ସାକ୍ଷାତ୍ ଦେବୀଙ୍କ ଭଳି। ଧୂପ ଦୀପ ଝୁଣା ବାସ୍ନାରେ ମହକି ଯାଉଥିବ ସାରା ଅଗଣା। ଶଙ୍ଖ ହୁଳହୁଳିରେ କାନ ଅତଡ଼ା ପଡ଼ୁଥିବ । ଆମ୍ବ ପଣସ,ନଡିଆ କଦଳୀ, ତାଳସଜ, ଖଜୁରୀ କୋଳି ଇତ୍ୟାଦି ଫଳ ଭୋଗ ଡାଲାରେ ଥୁଆ ହୋଇଥିବ । ଦୁବ ବରକୋଳି ପତ୍ର ଦେଇ ବୋଉ ବଡ଼ବୋଉ ପାଣି ଛଡ଼ାଉଥିବେ ଭୋଗକୁ । ଆମେ ପିଲାମାନେ ଗାଧୁଆ ପାଧୁଆ ସାରି ହାତ ଯୋଡ଼ି ଛିଡା ହୋଇଥିବୁ ଚାରିପଟେ । ମନ ଠାକୁରଙ୍କ ପାଖରେ କମ୍ ଭୋଗଡାଲା ଉପରେ ବେଶି ଥିବ। କେମିତି ପୂଜା ସରିଲେ ଭୋଗ ଖାଇବାକୁ ମିଳିବ ।

ବୋଉ ବଡ଼ବୋଉ ବେକରେ ଲୁଗା କାନି ଗୁଡ଼େଇ ଦଣ୍ଡବତ ହେବେ ମାଟି ମାଆଙ୍କୁ । ନିଜର ନିଜ ପରିବାରର ମଙ୍ଗଳ ମନାସି ପ୍ରାର୍ଥନା କରୁଥିବେ “ ମା’ ଲୋ ଦୟା ରଖିଥିବୁ , ଏବର୍ଷ ଭଲ ବୃଷ୍ଟି କରିବୁ, ଭଲ ଅମଳ ଦେବୁ , ବନ୍ୟା ବାତ୍ୟା ଘଉଡ଼େଇଦେଇ , ଆମ ପିଲାମାନଙ୍କର ପେଟ ପାଇଁ ଅଭାବ ରଖିବୁ ନାହିଁ ଲୋ ମାଆ ବସୁମତୀ ! ତତେ କୋଟି କୋଟି ପ୍ରଣାମ ଜଣାଉଛୁ । ଏ ବର୍ଷ ପାଇଁ ଆମକୁ ସୁନା ଫସଲ ଦେ’ , ସୁଦୟା କର” । ତାଙ୍କର ପ୍ରାର୍ଥନା ଶୁଣୁ ଶୁଣୁ ମୋ ଆଖି ଜକେଇ ଆସୁଥିବ , ଏବେ ରଜ ସରିଲା , ସ୍କୁଲ୍ ଖୋଲିବ, ଆମକୁ ଫେରିବାକୁ ପଡ଼ିବ କଟକ । କେଜାଣି ପୁଣି କେତେଦିନ ପରେ ସୌଭାଗ୍ୟ ହେବ ଗାଆଁ ମାଟିର ସୁଗନ୍ଧରେ ହଜି ଯିବାକ । ସାଙ୍ଗ ସାଥୀ ମେଳରେ ଜଗନ୍ନାଥ ମୁଣ୍ଡିଆରେ ଚଢ଼ି ଫାର୍ସା କୋଳି ତୋଳି ଖାଇବାକୁ , ପାଟରେ ବୁଡ ପକାଇବାକୁ, ଅରା ଜଙ୍ଗଲରେ ମା’ଅରା ଚଣ୍ଡୀ ମନ୍ଦିରରେ ଭୋଜି କରିବାକୁ ।

ଆଜି ଉତ୍ତର ବୟସରେ ମଧ୍ୟ ରଜ ଆସିଲେ ଗାଁ କଥା ଖୁବ୍ ମନେପଡ଼େ। ସମୟ ସୁଖରେ ଅନେକ ପରିବର୍ତ୍ତନ ହୋଇଛି ଗାଁର ଗାଁ ମଣିଷ ମାନଙ୍କର, ଇଚ୍ଛାରେ ହେଉ ବା ଅନିଚ୍ଛାରେ ହେଉ ସହରୀ ସଭ୍ୟତା ଧସେଇ ପଶିଛି ହୋଇଛି ଗାଁରେ। ଆଜି ଆଉ ଝିଅମାନଙ୍କ ମନରେ ରଜ ପର୍ବ ପାଳନ କରିବାର ସେଇ ଉତ୍ସୁକତା କି ରଜ ପାଇଁ ଗାଁ ବୋହୂ ମାନଙ୍କର ସେ ପୂର୍ବ ବିଧିବିଧାନ ଅବା ପୂର୍ବ ପ୍ରସ୍ତୁତି ଆଉ ନାହିଁ । କେବଳ ବିଧି ରକ୍ଷାକରି ସହରୀ ଢଙ୍ଗରେ ନୂଆ ଲୁଗାପଟା ପିନ୍ଧି ,ବେଶ ପରିପାଟୀ ହୋଇ , ସାଙ୍ଗସାଥୀଙ୍କର ମେଳରେ ବୁଲା ବୁଲି କରି ମଉଜ ମଜଲିସ୍ କରିବା କଥା। ଆଗ ଭଳି ଆଉ ଭିନ୍ନ ଭିନ୍ନ ପ୍ରକାରର ଦୋଳି ଦେଖା ଯାଉନି ଗାଁରେ। କେବଳ କତା ଦଉଡ଼ିର ଦୋଳି ଲାଗୁଛି । ଆଗଭଳି ଭାଇମାନଙ୍କ ଗହଳଚହଳ ଦିଶୁନି ସେଠି । କୋଠଘର, ଆଟୁରେ ଝୁଲୁଥିବା ରଜ ପାନ ସପନ ହେଲେଣି । ଆଉ ଗାଆଁରେ ସେ ରଜର ଚମକ ନାହିଁ । କିନ୍ତୁ କିଛି ଜିନିଷ ଆଜି ବି ସାକ୍ଷୀ ହୋଇ ଅଛନ୍ତି । ସେଇ କର୍ପୁର ଉଡ଼ି ଯାଇଥିବା କନାରେ , ଅତୀତର ସ୍ମୃତି ହୋଇ ଯେମିତିକି ଆମ ଘର ମଝି ଅଗଣାର ସେଇ ମଲ୍ଲୀ ବୁଦା, ଆମ ବାଡ଼ିରେ ସେଇ ମଝି ଆମ୍ବ ଗଛ। ।ସେଇମାନଙ୍କୁ ଦେଖିବା ପାଇଁ ଅନୁଭବ କରିବା ପାଇଁ ମୁଁ ପ୍ରତିବର୍ଷ ଥରେ ରଜବେଳକୁ ଗାଁକୁ ଛୁଟିରେ ଯାଏ। ସେମାନଙ୍କୁ ଛୁଇଁ ଅତୀତକୁ ମନେ ପକାଏ । ମୋ ନାତୁଣୀ ମାନଙ୍କୁ ଶୁଣାଏ ଆମ ପିଲାଦିନ ରଜ କଥା । ହୁଏତ ଆଉ ଅଳ୍ପ ଦିନ ପରେ ମୁଁ ବି ନଥିବି ଏସବୁ ମନେପକାଇବା ଲାଗି । ହେଲେ ମୋ ନାତୁଣୀ ମାନଙ୍କ ସ୍ମୃତିରେ ରହିଥିବ ସବୁ ଉଜ୍ଜୀବିତ ହୋଇ।।

 ଶାରଳା ଭବନ  ପୋତାପୋଖରୀ କଟକ

Leave A Reply

Your email address will not be published.