ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ପ୍ରଦୂଷଣମୁକ୍ତ ଏବଂ ସ୍ୱଚ୍ଛ ପରିବହନ ଦିଗରେ ଦେଶ ଏକ ବଡ଼ ସଫଳତା ହାସଲ କରିଛି । ଭାରତର ପ୍ରଥମ ‘ହାଇଡ୍ରୋଜେନ୍ ଟ୍ରେନ୍’ ଏବେ ପଟରିରେ ଦୌଡ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରେଳବାଇ ବୋର୍ଡ ପକ୍ଷରୁ ଏହି ଗ୍ରୀନ୍ ଟ୍ରେନ୍ ଚଳାଚଳକୁ ସବୁଜ ସଙ୍କେତ ମିଳିସାରିଛି।
ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ରେଳବାଇ ଆରମ୍ଭ କରିଛି ଏହି ସ୍ସେସାଲ ପ୍ରୋଜେକ୍ଟ । ରେଳ ବୋର୍ଡର ମଞ୍ଜୁରୀ ପରେ ଏହି ଟ୍ରେନ୍ ଉତ୍ତର ରେଳବାଇର ଜୀନ୍ଦ-ସୋନିପତ ରେଳଖଣ୍ଡରେ ଚାଲିବ । ଏହି ସ୍ୱେଶାଲ୍ ଟ୍ରେନ୍ରେ ୧୦ଟି ବଗି ରହିବ ଏବଂ ଏହା ୧୨୦୦ କିଲୋୱାଟ୍ କ୍ଷମତା ବିଶିଷ୍ଟ ହାଇଡ୍ରୋଜେନ୍ ଫ୍ୟୁଲ୍ ସେଲ୍ ବୈଷୟିକ ଜ୍ଞାନକୌଶଳରେ ପରିଚାଳିତ ହେବ। ଏହି ଟ୍ରେନ୍ର ସର୍ବାଧିକ ଗତି ଘଣ୍ଟା ପ୍ରତି ୭୫ କିଲୋମିଟର ଧାର୍ଯ୍ୟ କରାଯାଇଛି ।
ଏହି ସଫଳତା ସହ ବିଶ୍ୱର ସେହି ସୀମିତ ଦେଶ ସୂଚୀରେ ଭାରତ ସାମିଲ ହୋଇଛି, ଯେଉଁମାନେ ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ଜର୍ମାନୀ, ଜାପାନ, ଚୀନ ଏବଂ ଆମେରିକା ଭଳି ଦେଶ ଏହି ଦିଗରେ କାର୍ଯ୍ୟ କରିଛନ୍ତି।
ଚଳିତ ଡିଜେଲ ଇଲେକ୍ଟ୍ରିକ ମଲ୍ଟିପୁଲ ୟୁନିଟ୍ (DEMU) ରେକ୍ରେ ହାଇଡ୍ରୋଜେନ୍ ଫ୍ୟୁଲ୍ ସେଲ୍ ଲଗାଇ ଏହାକୁ ପ୍ରସ୍ତୁତ କରାଯାଇଛି। ହାଇଡ୍ରୋଜେନ୍ର ରାସାୟନିକ ପ୍ରତିକ୍ରିୟା ଦ୍ୱାରା ଏଥିରୁ ବିଦ୍ୟୁତ୍ ଉତ୍ପନ୍ନ ହେବ। ସବୁଠାରୁ ବଡ଼ କଥା ହେଉଛି, ଏହି ଟ୍ରେନ୍ରୁ କୌଣସି ଧୂଆଁ ବାହାରିବ ନାହିଁ, କେବଳ ଜଳୀୟ ବାଷ୍ପ ବାହାରିବ। ଯାହା ପରିବେଶ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ।
ସରକାର ଏଭଳି ୩୫ଟି ଟ୍ରେନ୍ ନିର୍ମାଣ ପାଇଁ ୨୮୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପ୍ରଥମେ ଏହାକୁ ଦେଶର ପାର୍ବତ୍ୟ ଏବଂ ଐତିହାସିକ ରେଳ ମାର୍ଗରେ ଚଲାଯିବ, ଯେଉଁଠାରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ହୋଇପାରିନାହିଁ। ପାଇଲଟ୍ ପ୍ରୋଜେକ୍ଟ ପାଇଁ ଜୀନ୍ଦ-ସୋନିପତ ରୁଟ୍କୁ ଏଥିପାଇଁ ବଛାଯାଇଛି କାରଣ ଜୀନ୍ଦରେ ହାଇଡ୍ରୋଜେନ୍ ସଂରକ୍ଷଣ ଏବଂ ଇନ୍ଧନ ଭରିବା ସୁବିଧା ରହିଛି।
ସୁରକ୍ଷା ଦୃଷ୍ଟିରୁ ଏଥିରେ କଡ଼ା ବ୍ୟବସ୍ଥା କରାଯାଇଛି। ଟ୍ରେନ୍ରେ ହାଇଡ୍ରୋଜେନ୍ ଲିକେଜ୍ ଡିଟେକ୍ଟର ଏବଂ ଫାୟାର୍ ସେନ୍ସର ସିଷ୍ଟମ୍ ଲଗାଯାଇଛି। ‘ପେସୋ’ (PESO) ପକ୍ଷରୁ ଏହି ଗ୍ୟାସ୍ ସଂରକ୍ଷଣ ପାଇଁ ଲାଇସେନ୍ସ ମଧ୍ୟ ମିଳିସାରିଛି। ପ୍ରଥମ ୩ ମାସ ପର୍ଯ୍ୟନ୍ତ ଶ୍ରେଷ୍ଠ ବୈଷୟିକ ବିଶେଷଜ୍ଞମାନେ ଟ୍ରେନ୍ ଯାତ୍ରା ସମୟରେ ଉପସ୍ଥିତ ରହିବେ ଏବଂ ଏହାର ରକ୍ଷଣାବେକ୍ଷଣ ଦିଲ୍ଲୀର ଶକୁରବସ୍ତୀ ଶେଡ୍ରେ କରାଯିବ।
ଯଦିଓ କିଛି ବିଶେଷଜ୍ଞ ସୌର ଓ ପବନ ଶକ୍ତିକୁ ଅଧିକ ଶସ୍ତା ବିକଳ୍ପ ବୋଲି କହୁଛନ୍ତି, ତଥାପି ଭାରତୀୟ ରେଳବାଇର ଏହି ପଦକ୍ଷେପ ଦେଶକୁ କାର୍ବନମୁକ୍ତ ଏବଂ ସ୍ୱଚ୍ଛ ପରିବହନ ଦିଗରେ ନୂଆ ଶିଖର ଛୁଇଁବ ବୋଲି ଆଶା କରାଯାଉଛି।