Latest Odisha News

BREAKING NEWS

କବିତା : କୃଷ୍ଣଚୂଡା

ପିନାକୀ ମିଶ୍ର

ନାଲିରଙ୍ଗ ନୀଳମନ
କାହିଁ ଗଲେ ନୀଳାଞ୍ଜନ !!

ଆକାଶ ତ ଅନନ୍ତ ନୀଳିମା
ଭ୍ରମରେ ପଡିଲୁ କି ?
ବାଉଳି ଛଇଳି ହାତ ବଢେଇଲୁ
ନିଜକୁ ମୁକୁଳାକରି
ବସନ୍ତରେ ତୁ ମଧୁବାସନ୍ତୀ
ଭାରଭାର ଫୁଲର ଥାଟ୍ଟରେ ପାହାନ୍ତି ବସୁମତୀ ।

ସୂର୍ଯ୍ୟ ଉଠିବା ଆଗୁଁ
ପୁବେଇଦୋଳିରେ ତୋ ରଙ୍ଗ ଅଭିସାର
ଆସିବେ ରସିବେ କୃଷ୍ଣନାଗର
ଅପୂର୍ବ ଉଲ୍ଲାସରେ ଅନେଇଛୁ ଉପରକୁ
ସକାଳିଆ ସାଆନ୍ତାଣୀ !

ଲୋ ,ପାଇବନି ହାତ
ମାଟିକୁ ପଚାରିବୁ ,କୁଆଡେ ଗଲେ ନୀଳକାନ୍ତ ?

ନାଲି ଓଢଣୀ ଖସିପଡୁଥିବ
ମାଟି ସାନ୍ତ୍ବନାରେ ଆଉଁସି ଦେଉଥିବ
ତରୁବହଳ ଫଡଫଡ ପକ୍ଷୀମାନେ
କଥାଭାଷା ହେଉଥିବେ
କୃଷ୍ଣଚୂଡା କା’ଲାଗି ଅଧୀରା ?
କନକଖରାରେ ତୁ ତଥାପି ଆତୁରା ।

ତୋ ପରି ଖୋଜିବା ଆଉ କା’ର ଅଛି ଲୋ !
ଏତିକି ତ ମାଟିଘଟର ପୂର୍ଣ୍ଣତା
କୃଷ୍ଣ ମିଳେନା ଲୋ
ଖୋଜିବା ହିଁ ସାର୍ଥକତା
ବୁଝେଇ କହନ୍ତି ଦୂରନ୍ତ ସବିତା ।

“ଶୂନ୍ୟନୀଳ “
ଚର୍ଚ୍ଚ ପାଖ, ଜେଲ ରୋଡ, କେନ୍ଦୁଝର-୧
ମୋ ୯୪୩୮୧୧୮୩୯୭

Leave A Reply

Your email address will not be published.