ରାମକୃଷ୍ଣ
କେଉଁଠି ସେ ପକ୍ଷୀର ବସା
ମରୁନଦୀର ଶୁଖିଲା ମୁହାଣରେ
ନା ଆଗ୍ନେୟଗିରି ଗର୍ଭର
ବିପୁଳ ଶୂନ୍ୟସ୍ଥାନରେ
ଧୂ ଧୂ ଖରା
ଓ ଝଡ଼ ବର୍ଷାର ରାତିରେ
ଭୟର ଅରଣ୍ୟ ପାରି ହେବା
ବାଘ ପିଠିରେ ମୈଥୁନର ଚିତ୍ର ଆଙ୍କିବା
ନିଜକୁ ଚିହ୍ନିବାର
କେବଳ ଗୋଟେ ଗୋଟେ ସଙ୍କେତ
ଠିକ୍ ବେଳରେ
ତମେ ଅନ୍ୟମନସ୍କ ହେଲ
ମୁଁ କପାଳରୁ ଝାଳ ପୋଛିଲି
ତମେ ମୋର ଶୈଶବକୁ ବାନ୍ଧିଦେଲ
ଖୁଣ୍ଟ ଭାବି ଈଶ୍ବରଙ୍କ ଗୋଦର ଗୋଡରେ
ମୁଁ ତମକୁ ଦେଲି
ଅବକ୍ଷୟ ଓ ଅନ୍ଧାର
ତମେ ହଳଦିଆ ପତ୍ର ଖୁଣ୍ଟିଲ
ବୟସ୍କ ଗଛର ଡାଳରୁ
ଆହୁରି ଅନେକ ଚାରାଗଛ ରୋପିଲ,
ଫଳର ଅପେକ୍ଷାରେ ମୁଁ ବସି ରହିଲି
ଗେଟ୍ ଜଗିଲି, ଘୁମେଇଲି
ସତରେ କଣ ଆମେ ଜାଣି ନଥିଲେ
ଯେ ଏ ବଗିଚାଟି ଆମର ନୁହେଁ
ଆମେ କଣ ବାହାରିଥିଲେ
ଖୋଜିବାକୁ କାହାକୁ
ନା ନିଖୋଜ ହେବାକୁ।