Latest Odisha News

BREAKING NEWS

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ : ଆଜି ହେବ ମୋଦି ବାଇଡେନ ଦ୍ବିପାକ୍ଷିକ ଆଲୋଚନା

ଦିଲ୍ଲୀ : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ  । ଏ ନେଇ  ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାରୁ ସେ ନିଜ ବିମାନରେ ବାହାରି ସାରିଛନ୍ତି । ଆଜି ସନ୍ଧ୍ୟା ୭ଟା ବେଳେ ସେ ଦିଲ୍ଲୀରେ ପହଞ୍ଚିବେ । ବାଇଡେନଙ୍କୁ ସ୍ବାଗତ ପାଇଁ ବିରାଟ ପ୍ରସ୍ତୁତି କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି-ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ରହିଛି। ରାତି ୮ଟା ବେଳେ ଦୁଇ ରାଷ୍ଟ୍ର ନେତାଙ୍କ ଭିତରେ ସାକ୍ଷାତ ଆଲୋଚନା ହେବ । ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ମଧ୍ୟ ଭାରତ-ଆମେରିକା ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ୪ ମାସ ଭିତରେ ଦ୍ବିତୀୟ ଥର ପାଇଁ ନରେନ୍ଦ୍ର ମୋଦି- ଜୋ ବାଇଡେନ୍ ଆଲୋଚନା କରିବେ। କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବା ତା ଉପରେ ସମସ୍ତଙ୍କ ନଜର ରହିଛି।

ସେପଟେ ଜି-୨୦ ଶିଖର ସମ୍ମିଳନୀ ଏଥିପାଇଁ ତୟାର ଦିଲ୍ଲୀର ପ୍ରଗତି ମୈଦାନ । ୯ ଓ ୧୦ ତାରିଖରେ ଜି-୨୦ ବୈଠକ ବସୁଛି  । ଏଥିଲାଗି ସଜେଇ ହୋଇଛି ସାରା ରାଜଧାନୀ । ଏଥିରେ ସାମିଲ ହେବାକୁ ବିଭିନ୍ନ ଦେଶର ନେତାମାନେ ଭାରତରେ ପହଞ୍ଚିବାରେ ଲାଗିଛନ୍ତି । ତେବେ ଚୀନ୍ ରାଷ୍ଟ୍ରପତି ସି-ଜିନପିଙ୍ଗ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ବୈଠକରେ ସାମିଲ ହେଉ ନାହାନ୍ତି । ବରଂ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଏଥିରେ ସାମିଲ ହେବେ । ସେହିପରି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ନୂଆଦିଲ୍ଲୀ ଆସୁନାହାନ୍ତି ।

ଅର୍ଥନୀତି, ପରିବେଶ, ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି, ସ୍ଥାୟୀ ବିକାଶ, ଶିକ୍ଷା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । ଏଥିସହ ରୁଷ-ୟୁକ୍ରେନ୍ ଯୁଦ୍ଧ ଓ କରୋନା ମହାମାରୀ ପ୍ରଭାବ ନେଇ ବି ଆଲୋଚନା ହୋଇପାରେ । ଜି-୨୦ ବୈଠକ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ରହିଛି ସାରା ଦିଲ୍ଲୀ । ୫୦ ହଜାର ଯବାନଙ୍କ ସମେତ ଦେଢ଼ ଲକ୍ଷ ସୁରକ୍ଷାବାହୀନି ସୁରକ୍ଷାରେ ମୁତୟନ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ମିସାଇଲ ଫାଇଟର ଜେଟ୍ ଦ୍ବାରା ନଜର ରଖିବ ବାୟୁସେନା ।

 

Leave A Reply

Your email address will not be published.