ସୁଜାତା ମିଶ୍ର
ମେଘମାଳାର ଲାସ୍ୟମୟୀ
ଋତୁ ପିନ୍ଧି ନେଇଛି
ସବୁଜ ଶିଫନ୍ ଶାଢ଼ୀ,
ଲାଲ୍ ରେଶମୀ ସୂତାରେ କିଏ ଆଙ୍କିଛି
ଫୁଲକରୀ ଏମ୍ବ୍ରୋଡରି ..
ଠା ଠା କରି..,
ପୁଳା ପୁଳା ରକ୍ତିମ ଶିହରଣରେ
ପ୍ରକୃତିର ସାବଜା ପଣତ ଯାଇଛି ଭରି ..!
ଶାଗୁଆ ଘାସର ଲାଲ୍ ପରୀ
ଟୋପାଏ ଶ୍ରାବଣ ନାଇଛି
ସିନ୍ଦୂର କରି ସିନ୍ଥିରେ,
ବିଜୁଳିର ଚକ୍ ଚକ୍ ଆଖିରୁ
ଧାର ନେଇଛି କଜଳ ଗାରେ,
ନାଲି ପାଟ ଶାଢ଼ୀ ସାରା
ଫୁଟିଛି ତାରା
ବର୍ଷା ବିନ୍ଦୁର,
ଦୂର୍ବାଦଳର ଶ୍ୟାମଳିମା ପଥେ
ସାଧବ ବୋହୁର ଦଳ ଧାଏଁ
ହୋଇ ନସର ପସର ..!
ମେଘର ପାଲିଙ୍କି ଚଢ଼ି
ଆସିଛି ବରଷା ରାଣୀ..
ଆକାଶୀ ବାଜାର ତାଳେ
ଇନ୍ଦ୍ରଧନୁର ତୋରଣ ବିଛାଇ,
ଭିଜା ଭିଜା ଆବେଗର ସ୍ବପ୍ନ ଥୋଇ
କେହି ଜଣେ
କାଗଜର ନାଆ
ଦେଇଚି ଭସେଇ..,
କଦମ୍ବ ଫୁଲରେ ନିଜ କବରୀ ସଜେଇ..
ମୌସୁମୀ ବଧୂ ବେଶରେ
ଆସେ ନଇଁ ନଇଁ..!
କଳା ବଉଦରେ ଭରା
ଗଗନ ପ୍ରାଙ୍ଗଣ,
ଛନ୍ଦାଛନ୍ଦି ପତ୍ରଗହଳରେ
ଘଞ୍ଚ ଦିଶେ ଉପବନ,
ଛନଛନ ହେଉ ଥାଏ
ସାଧବ ବୋହୁର ମନ,
ଅସରା ଅସରା ବର୍ଷାର
ରୋମାଞ୍ଚ ନେଇ
ଲେଉଟେ ଶ୍ରାବଣ..!
ନଈ ସାରା ଭରା ସୁଅ..
ଉଛୁଳି ଉଛୁଳି ପାଣି
କୂଳ ଲଙ୍ଘେ
ସାରୁପତ୍ର ମୂଳେ ଗାଏ
ବେଙ୍ଗୁଲି ସରାଗେ,
ଚଉ ଦିଗେ ପାଣି ଆଉ
ମନ ତଳେ ଶୋଷ,
ଅମୃତର ଧାରା ପିଇ
ଚାତକର ତୃଷ୍ଣା ହୁଏ ଶେଷ..!
ଲୋହିତ ରଙ୍ଗର
ଭେଲଭେଟ ଶାଢ଼ୀ ପିନ୍ଧି ଧୀରେ ଧୀରେ ଚାଲୁ ଚାଲୁ
ଲୁଚିଯାଏ ସାଧବ ବୋହୁ,
ସବୁଜିମାର ବ୍ୟାପ୍ତିରେ
ରକ୍ତିମ ଏ ଆକର୍ଷଣ ..
ସୃଜି ଯାଏ ଦେଖଣାହାରୀ ଅନ୍ତରେ ପୁଲକର
ଝମା ଝମ୍ ଢେଉ!
କସ୍ମୋପଲିସ
ଭୁବନେଶ୍ୱର