ତେଜସ୍ୱିନୀ ପଣ୍ଡା
ଗୋଟିଏ ସ୍ପର୍ଶ ଅପେକ୍ଷାରେ
ବିତିଗଲାଣି କିଛି ଘଣ୍ଟା ,
ଲିଭି ଆସିଲାଣି ଲଣ୍ଠନର ବତୀ ,
ଗୋଟିଏ ଶବ୍ଦ ସ୍ପର୍ଶ
ମୋ କୋଠରୀରେ ଆତଜାତ ହୁଏ,
ଆସିବ କହି କେବେ ଆସିପାରେନି,
ଭୟର ଜମାଟ ବାନ୍ଧି
ଫେରିଯାଏ ଝରକା ପାଖରୁ,
ମୁଁ କିନ୍ତୁ ଗୋଟିଏ ଶବ୍ଦ
ସ୍ପର୍ଶ ଅପେକ୍ଷାରେ।
ପାହୁନଥିବା ରାତି ଅପେକ୍ଷାରେ,
ଝିଙ୍କାରୀର ଝଙ୍କାର ସରେ ନାହିଁ ,
ସ୍ଵପ୍ନର ଗାଢ଼ତା କମେ ନାହିଁ,
ଗୋଟିଏ ଶବ୍ଦ ରାତି
ମୋ ଜୀବନରେ ଆଣିଦିଏ ଝଡ଼,
ଛାତିରେ ଛାତିଏ ନିର୍ଜନତାର
ବାତାବରଣ ଖେଳିଯାଏ,
ଲୁହର ସୀମା ଡେଇଁ
କୂଳୁ କୂଳୁ ଶବ୍ଦ କରେ !
ମୁଁ କିନ୍ତୁ ପାହୁନଥିବା
ରାତି ଅପେକ୍ଷାରେ।
ସରୁନଥିବା ସ୍ୟାହି ଅପେକ୍ଷାରେ,
ଶେଷ ରାସ୍ତାର ଛକରେ
ପହଞ୍ଚିଲା ପରେ,
ଅଲୋଡ଼ାପଣକୁ ଧରି ଗୁମୁରିବାରେ
ପାରାଟିଏ କଣ ଉଡ଼ିଯାଏ?
କଲମରୁ ସ୍ୟାହି ସରିଗଲେ
ଭାବନା ବି ସରିଯାଏ,
ହେଲେ ମୋ ଅପେକ୍ଷା
ଚିରକାଳ ଥାଏ,
ସେହି ଗୋଟିଏ ଶବ୍ଦ ସ୍ୟାହି
ମତେ ଲେଖିଦିଏ କବୀଟିଏ କରି,
ମୁଁ କିନ୍ତୁ ସରୁନଥିବା
ସ୍ୟାହି ଅପେକ୍ଷାରେ।
କଣ୍ଟା ନଥିବା
ଗୋଲାପ ଅପେକ୍ଷାରେ,
କଣ୍ଟା ନଥିଲେ ଗୋଲାପ
କଣ ସୃଷ୍ଟି ହୁଏ,
ଆକାଶରୁ ପାତାଳ ଯାଏଁ
କଣ୍ଟା ହିଁ କଣ୍ଟା,
ଘାତ ନଥିଲେ ଆଘାତର
ସୃଷ୍ଟି ନାହିଁ,
ପ୍ରେମିକା ନଥିଲେ
ପ୍ରେମର ଆରମ୍ଭ ନାହିଁ,
ସେଇ ଗୋଟିଏ
ଶବ୍ଦ ଗୋଲାପ ମତେ
ପ୍ରେମ କରିବା ଶିଖାଏ,
ମୁଁ କିନ୍ତୁ କଣ୍ଟା ନଥିବା
ଗୋଲାପ ଅପେକ୍ଷାରେ।
ଜଗତସିଂହପୁର