Latest Odisha News

BREAKING NEWS

ଅନୁବାଦ କବିତା : ଶତାଦ୍ଦୀର ଶେଷ ପୂର୍ଣ୍ଣିମା ପାଇଁ କବିତାଟିଏ

ମୂଳ ବାଂଲା : ମହାଦେବ ଶାହା

ଏତେ ଦିନ ଧରି ଚନ୍ଦ୍ର ଥିଲା
ମୋ ହୃଦୟ ଭିତରେ
ସେ ଜହ୍ନକୁ ତୁମକୁ ଦେଉଛି
ଏଇ ଶତବ୍ଦୀର ଶେଷ ପୁର୍ଣ୍ଣିମାରେ
ତୁମକୁ ଦେଲି ଏ ଚନ୍ଦ୍ର
ତୁମ ପାଇଁ ଦେଲି ଅଶ୍ରୁଜଳ।

ଏ ଚନ୍ଦ୍ରିକା ଆମ କୁଟୀର ଶିଳ୍ପ ପରି
ବୁଣାକାରର ହସ୍ତତନ୍ତ କଳ
ଦିନେ ଏଇ ଜହ୍ନ ଥିଲା
ତୁମ ଆଖି ପରି ପ୍ରିୟ ରୂପକଥା
ଶୈଶବର ମିଠା ବାସ୍ନା
ମା’ କୋଳରେ ସେଇ ସ୍ମୃତି ଗାଥା
ମନେହୁଏ ବହୁ ପୁରାତନ ପୋଥିର
ଗନ୍ଧରେ ଭିଜା ଏଇ ଜହ୍ନ
କେବେ ତାକୁ ଦେଖିଥିଲି
ମଫସଲ ଛୋଟ ସହରରେ
ଆଜି ତାକୁ କରେ ସମ୍ଭାଷଣ
ତୁମ ଆକାଶରେ।

ଥରୁଟେ ଚୁମ୍ବନ କର
ପୁର୍ଣ୍ଣିମାର ଏଇ ଜହ୍ନକୁ
ଶରତର ସୀମାହୀନ ଉତ୍ସବ ସମ୍ଭାରେ
କିଆଁ କର ସ୍ପର୍ଶ ଚନ୍ଦ୍ରିକାର ଦେହ
କାହିଁକି ପୁଣି ଏତେ ରୋମାଞ୍ଚିତ ହୁଅ।

ମୁଁ ଜାଣିଛି ଚନ୍ଦ୍ର ଆରମ୍ଭରୁ ଶେଷ ଯାଏଁ
ଏକ ରୋମାଣ୍ଟିକ ପ୍ରେମର କବିତା
ଇଚ୍ଛାହୁଏ ଚାଲି ଯାଇ ପାରନ୍ତିକି
ଖୋଜି ଖୋଜି ତା’ ଠିକଣା
କେଉଁ ଏକ ନାମହୀନ ଷ୍ଟେସନ ଅଜଣା।

ଜହ୍ନ ଦେଖା ଶେଷ ହେଲା ପରେ
ଆଉ କିଛି ଦେଖିବାକୁ ହୋଇପାରେ ମନ
କୌତୁହଳ କ୍ଷଣସ୍ଥାୟୀ
ଜହ୍ନର ବି ଶେଷ ଅଛି
ସିଏ ବି ତ ଶୋଇ ପଡ଼େ
ତା ଆଗରୁ ହଠାତ୍ ଏକ
ଶବ୍ଦ ଶୁଭେ ଗୁଳି ଫୁଟିବାର
ଜହ୍ନ ତୁମେ ମଣିଷର
କୋଟି କୋଟି ବରଷର
ସ୍ୱପ୍ନକୁ ରଖିଛ ଭରି
ତୁମ ହୃଦୟରେ।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.