Latest Odisha News

ଗଳ୍ପ : ନୂଆବର୍ଷ

କୁଞ୍ଜବିହାରୀ ସାହୁ

ଛେଳି କୁକୁଡାଙ୍କ ପାକସ୍ଥାଳୀରେ ନୂଆବର୍ଷ କଡ ଲେଉଟାଏ । ଭୋକିଲା ମଣିଷ ବ୍ୟସ୍ତ ବିବ୍ରତ ହୁଏ ସତେ ଯେମିତି ସେ ଜଣେ ନଅଙ୍କ ଦୁର୍ଭିକ୍ଷର ସ୍ତାବକ । ଆଖିରେ ସ୍ୱପ୍ନ ମାନଙ୍କୁ ଖୁନ୍ଦି ଖୁନ୍ଦି ନିଜର ଜିଭ ଲାଳସାକୁ ସାକାର କରେ । ପୈାଷର ଅସହ୍ୟ ଶୀତୁଆ ସକାଳକୁ ନିଘା ରଖେନି । ଲମ୍ବାଧାଡିରେ ନିଜର ଉପସ୍ଥିତି ଜାହିର କରେ । ରକ୍ତ ମାଂସକୁ ସାମ୍ନାରେ ଦେଖିଲେ ବି ଆଖିରୁ ଟୋପାଏ ବି ଲୁହ ଖସାଏନି । ବନ୍ଧାହେଇଥିବା ଛେଳିର କରୁଣ ଚାହାଁଣିକୁ ବେଖାତିର୍ କରେ । ଝର ଝର ଝରୁଥିବା ଆଖି ଲୁହକୁ ଆଡେଇଦିଏ । ସେ କେବଳ ଚାହିଁଥାଏ କଟାଯାଉଥିବା ମାଂସର ଭାଗଟି କେତେବେଳେ ପଡିବ !

ମଣିଷଟି ଚାହୁଁନଥାଏ ଶାଣଦିଆ ଛୁରୀକୁ । ଗୋଟାପଣେ ନଜର ଢାଳିଦିଏ ଗୋଟା ମୁଣ୍ଡ କଲିଜା ପୁଟି ଏବଂ ଫଡିଆକୁ ପୁଣି ଲେଗ୍ ପିସକୁ । ଦୋକାନୀର ଚଢାଦରକୁ ତା’ର ଯାଏ ଆସେ ନାହିଁ । ଘରବାଲିର ଡିମାଣ୍ଡ ପିଲାଛୁଆଙ୍କ ଆଦେଶକୁ ମାନିବାକୁ ବାଧ୍ୟହୂଏ ବିଚରା ଘରର ମୁଖ୍ୟ । କେତେବେଳେ ନିଜ ପରିଚୟ ନିଜ ସ୍ୱାଭିମାନକୁ ଜଳାଞ୍ଜଳି ଦେବାକୁ ହୁଏ ତ ପୁଣି ବେଳେବେଳେ ନିଜେ ନିଜର ଆକାଂକ୍ଷାକୁ ଆବୋରି ନେବାକୁ ହୁଏ ।

ସତରେ ଏ ନୂଆବର୍ଷ କାହାର । ଛେଳି କୁକୁଡାଙ୍କର ନା ଜିଭ ଲାଳସାକୁ ସମ୍ମାନ ଦେଉଥିନା ସାମାଜିକ ପ୍ରାଣୀ ମଣିଷର ? ନିଜ ଦେହରୁ ଟୋପାଏ ରକ୍ତ ନିଗିଡିଗଲେ ଜେତେ ଯେ କଷ୍ଟ ହୁଏ ସେ ଅନେକ ଥର ଅନୁଭବ କରିଲେ ବି ବୁଝିପାରେନା ନୂଆବର୍ଷ ଆସିଲେ କାହିଁକି ନିରୀହ ପଶୁମାନଙ୍କୁ କଷ୍ଟ ହେଉ ନଥିବ। ନିଜ ଜ୍ଞାତି କୁଟୁମ୍ବଙ୍କ ଆଖରୁ ଦି ଟୋପା ଲୁହ ଝରିଗଲେ କେତେ ଯେ ଅସହାୟ ଲାଗେ ବୁଝିପାରେ ସହଜରେ । କିନ୍ତୁ ଶାଣଦିଆ ଛୁରିରେ ବେକ କଟିଯିବାର ଦୃଶ୍ୟକୁ ଦେଖି ନିକଟରେ ବନ୍ଧାହେଇଥିବା ଛେଳିର କି ଅବସ୍ଥା ହେଉଥିବ ବୁଝିପାରେନା ମଣିଷ ନୂଆବର୍ଷକୁ ଭେଟିଲା ପରେ ।

ଆପଣାର କୋଠାଘର, ରଙ୍ଗୀନ ମନକୁ ସଜ୍ଜୀକରଣ କରି ମିଠାରେ ଆପ୍ୟାୟିତ ହେବାର ଅଭିଳାଷ କାହିଁକି ରଖେ ବୁଝିହୁଏନା ।

ହଁ ନୂଆବର୍ଷ ଆସିବାକୁ ପାଦ ବଢେଇଲାଣି । ଜାନୁଆରୀ ପ୍ରଥମ ଦିନଟି ସତେ ଯେମିତି ପଞ୍ଚମରେ ବୃହଷ୍ପତି ସମସ୍ତଙ୍କର । ଶୀତରେ ସଢୁଥିବା ଅସହାୟ ମଣିଷଙ୍କ କଥା ଟିକେ ଭାବନ୍ତୁ ତ ! ଅପନ୍ତରା ସ୍ଥାନରେ ଦିନ ରାତିକୁ ଏକ କରି ଜୀବନ ବିତାଉଥିବା ମଣିଷଙ୍କୁ ଆଖି ପୂରାଇ ଦେଖନ୍ତୁ ତ । ମେଡିକାଲ ରେ ନିଜ ଜୀବନକୁ ନେଇ କଷ୍ଟ ପାଉଥିବା ଜ୍ଞାତି କୁଟୁମ୍ବଙ୍କ କଥା ଟିକେ ପରଖି ନିଅନ୍ତୁ ତ ! ସେମାନେ କଣ ଏ ଅପରିଚିତ ନୂଆବର୍ଷକୁ ଭେଟିବାକୁ ଚାହାଁନ୍ତିନି ?

ହେ ନୂଆବର୍ଷ, ତୁମକୁ ସ୍ୱାଗତ କରୁଛୁ କେବଳ କ୍ୟାଲେଣ୍ଡର ପୃଷ୍ଠାରେ ପ୍ରଥମେ ରହିଛ ବୋଲି ।

ନୟାପଲ୍ଲୀ ବ୍ରୀଟ୍ କଲୋନୀ , ଭୁବନେଶ୍ବର
୭୦୦୮୧୪୨୦୪୦

Comments are closed.