Latest Odisha News

BREAKING NEWS

ଅନୁବାଦ ଗଳ୍ପ : ବଦଳିଗଲା ମୋହର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୨  

ମୂଳ ହିନ୍ଦୀ: କୃଷ୍ଣା ସୋବତୀ  

ଦେହରେ ଖଣ୍ଡେ ଖଦଡ଼ ଚାଦର ଘୋଡ଼େଇ ହୋଇ ଓ ହାତରେ ଜପାମାଳଟି ଧରି ଶାହନୀ ନଦୀକୂଳରେ ପହଁଞ୍ଚିଲା  ବେଳକୁ ପୂର୍ବ ଆକାଶରେ ସିନ୍ଦୂରା ଫାଟି ଆସୁଥିଲା । ଆଖି ପହଁଞ୍ଚିଲା ପର୍ଯ୍ୟନ୍ତ ଆକାଶରୁ ଅନ୍ଧାରର ପର୍ଦା ଧୀରେ ଯେମିତି ଅପସରି ଚାଲିଥିଲା । ଚାରିଆଡ଼େ ଫର୍ଚ୍ଚା ଲାଗୁଥିଲା । ଶାହନୀ ନଦୀକୂଳରେ ନିଜର ଚାଦର ଓ ଲୁଗାପଟା କାଢ଼ି ଗୋଟିଏ ପଟକୁ ରଖି ‘ଶ୍ରୀରାମ, ଶ୍ରୀରାମ’ କହି ପାଣିଲେ ପଶିଲେ । ସକାଳର ବରଫ ପରି ଶୀତଳ ନଦୀଜଳରୁ ଆଞ୍ଜୁଳାଏ ପାଣି ଧରି ସୂର୍ଯ୍ୟ ଦେବତାଙ୍କୁ ଉଦ୍ଦେଶ୍ୟରେ ଟେକି ନମସ୍କାର କଲେ । ତା’ପରେ ନିଜର ନିଦୁଆ ଆଖିରେ ପାଣି ଛାଟି ଛାଟି ନଈ ପାଣିରେ ନିଜ ଶରରୀରକୁ ଡୁବାଇଦେଲେ । ସବୁଦିନ ପରି ଚେନାବ ପାଣି ଆଜି ମଧ୍ୟ ସେମିତି କାଲୁଆ ଲାଗୁଥିଲା । ନଦୀ ଜଳରେ ଶୀତଳ ପବନ ବାଜି ଲହର ପରେ ଲହର ଆସି ତାଙ୍କ ଦେହରେ ବାଜୁଥିଲା । ଦୂରରୁ କାଶ୍ମୀରର ଉଚ୍ଚ ପାହାଡ ଉପରେ ବରଫ ତରଳି ନଦୀକୁ ବହି ଆସୁଥିଲା । ଗୋଟିଏ ଭଉଁରୀ ଆସି ଆଉ ଗୋଟି ଭଉଁରୀ ସହ ମିଶି ଯାଉଥିଲା ଓ ପରିଶେଷରେ କୋମଳ ଲହରୀଟିଏ ହୋଇ କୂଳରେ ମଥା ପିଟୁଥିଲା । ନଦୀକୂଳର ବାଲୁକାବେଳା ଆଜି କାହିଁକି ବେଶ୍‍ ଶୂନଶାନ୍‍ ଲାଗୁଥିଲା । ଶାହନୀ ଗାଧୋଇସାରି ଆସି ନିଜର ଶୁଖିଲା ଲୁଗା ବଦଳାଇନେଲେ । ସେପର୍ଯ୍ୟନ୍ତ କାହାକୁ ଜଣକୁ ହେଲେ ସେ ନଈକୂଳେ ଦେଖିପାରୁ ନ ଥିଲେ ।

କିନ୍ତୁ ନଈକୂଳ ବାଲି ଉପରେ ଅସଂଖ୍ୟ ପାଦଚିହ୍ନ ସ୍ପଷ୍ଟ ଦିଶୁଥିଲା । ଏକ ଅଜଣା ଆଶଙ୍କାରେ ତାଙ୍କ ମନ ଭିତରଟା ଥରି ଉଠିଲା । ଆଜି ସକାଳର ଏଇ ମଧୁର ନୀରବତା ଭିତରେ ଯେମିତି କିଛି ଭୟ ଭରି ରହିଥିଲା । ଆଜକୁ ପଚାଶବର୍ଷ ଧରି ପ୍ରତିଦିନ ସକାଳେ ସେ ଏଇ ନଈତୁଠରେ ଗାଧୋଇ ଆସୁଥିଲେ । ଏମିତିକା ଭାବନା କେବେ ତାଙ୍କ ମନକୁ ଆସି ନ ଥିଲା । କେତେ ଦୀର୍ଘ ସମୟ! ଶାହନୀ ମନେ ମନେ ଭାବୁଥିଲେ । ଦିନେ ନବବଧୂଟିଏ ସାଜି ସେ ଆସି ଏଇ ନଈକୂଳେ ପାଦ ଥାପିଥିଲେ । ଆଉ ଆଜି ଶାହଜୀ ତାଙ୍କ ପାଖରେ ନାହାନ୍ତି, ନାହିଁ ତାଙ୍କର ପଢ଼ୁଆ ପୁଅ । ଏତେ ବଡ଼ ଘରଟାରେ ସିଏ ସମ୍ପୂର୍ଣ୍ଣ ଏକୁଟିଆ । କିନ୍ତୁ ନା… ସକାଳୁ ସକାଳୁ ଏମିତିକା କଥା କାହିଁକି ଭଲା ସେ ଚିନ୍ତା କରୁଛନ୍ତି? ଏଇ ବ୍ରାହ୍ମ ମୁହୂର୍ତ୍ତରେ ତ ତାଙ୍କ ମନ ଶାନ୍ତ ରହିବା କଥା । ଘର ସଂସାର, ବିଷୟବାସନା ଠାରୁ ମୁକ୍ତ ରହିବା କଥା । ହେଲେ ମୁକ୍ତି ମିଳୁଛି କେଉଁଠୁ? ଏମିତି ଭାବି ସେ ଦୀର୍ଘଶ୍ୱାସଟିଏ ପକାଇଲେ । ଶ୍ରୀରାମ, ଶ୍ରୀରାମ କହି କହି ସେ ଯଅକ୍ଷେତ ଓ ବଜାର ଦେଇ ଘରଆଡ଼େ ଲେଉଟିଲେ ।

କେଉଁଠି କେଉଁଠି ସ୍ତ୍ରୀଲୋକମାନେ ଘର ଦୁଆରମୁହଁ ଲିପାପୋଛା କରି ଚୁଲିଲଗା କାମ ଆରମ୍ଭ କରି ଦେଇଥିଲେ । ଘର ଉପରୁ ଧୂଆଁ କୁଣ୍ଡଳୀସବୁ ବାହାରି ସକାଳର କୁହୁଡ଼ିଭରା ଆକାଶକୁ ଉଠୁଥିଲା । ଗାଈଗୋରୁମାନଙ୍କ ବେକରେ ଲାଗିଥିବା ଘଣ୍ଟା ସବୁ ଠନ୍ ଠନ୍ ହୋଇ ବାଜି ଉଠୁଥିଲା । ତଥାପି ଚାରିଆଡ଼ କେମିତି ଖାଁ ଖାଁ ଲାଗୁଥିଲା । ଏପର୍ଯ୍ୟନ୍ତ କ୍ଷେତ କୂଅର ଚକ୍ରିରେ ପାଣି ବି ଉଠିବା ଆରମ୍ଭ କରି ନ ଥିଲା । ଏଠାରେ ବସବାସ କରି ରହୁଥିବା ସବୁ ଲୋକ ଶାହଜୀଙ୍କର ମୂଲିଆ । ଶାହନୀ ମୁହଁ ଟେକି ଚାରିଆଡ଼େ ଥରେ ଆଖି ବୁଲେଇ ନେଲେ । ମାଇଲ ମାଇଲ ଧରି ବ୍ୟାପିଥିବା ସବୁ ଚାଷଜମି ତାଙ୍କର । କ୍ଷେତରେ ଫସଲ ଥାଟପଟାଳି ଭାଙ୍ଗୁଥିଲା । ନୂଆ ଫସଲକୁ ଦେଖି ତାଙ୍କ ଆଖିରେ ଲୁହ ଜକେଇ ଆସିଲା । କେମିତି ଏକ ଆପଣାପଣ ମନ ଭିତରେ ଭରିଗଲା । ଏସବୁ ଶାହଜୀଙ୍କ ଅବଦାନ । ତାଙ୍କର ସଫଳତା ନିଦର୍ଶନ । ଦୂୂରଦୂରାନ୍ତ ଗାଆଁ ପର୍ଯ୍ୟନ୍ତ ଲମ୍ବିଥିବା ଚାଷଜମି, ସେଇ କ୍ଷେତ ଭିତରେ ଠାଏ ଠାଏ ଖୋଳା ହୋଇଥିବା କୂଅ ସବୁକିଛି ତାଙ୍କରି ।

ବର୍ଷକୁ ତିନି ତିନିଥର ଫସଲ ଅମଳ! ଫସଲ ନୁହେଁ ତ ସେଥିରେ ସୁନା ଫଳୁଥିଲା । ଶାହନୀ କୂଅ ଆଡ଼କୁ ପାଦ ବଢ଼େଇଲେ ଓ ବଡ଼ ପାଟିରେ ଡାକିଲେ, ‘ଶେରା… ଶେରା… ହୁସୈନୀ…ହୁସୈନୀ… ।’

ଶେରାକୁ ଶାହନୀଙ୍କ କଣ୍ଠସ୍ୱର ଭଲଭାବେ ମାଲୁମ ଥିଲା । ସେ ତୁରନ୍ତ ବାରିନେଲା । ନିଜ ମା’ ଜୈନାର ମୃତ୍ୟୁପରେ ସେ ଶାହନୀଙ୍କ ପାଖରେ ହିଁ ରହି ଲାଳିତପାଳିତ ହୋଇଥିଲା । ତେଣୁ ସେ ତରତର ହୋଇ ନିଜ ହାତରେ ଧରିଥିବା ଫାର୍ସାଟିକୁ ପୁଳାଏ ଅଳିଆ ଭିତରେ ଗୁଞ୍ଜିଦେଇ ହୁକା ନାଡ଼ଟାକୁ ଧରି ଟାଣି ବସିଲା ଓ ଡାକ ଛାଡ଼ିଲା, ‘ଆଲୋ ହୁସୈନୀ… ହୁସୈନୀ… ।’ ଶାହନୀଙ୍କ ଡାକ କାନରେ ପଡ଼ିବା ମାତ୍ରେ ସେତେବେଳକୁ ତା’ର ପିହେହି ପାଣି ହୋଇ ସାରିଥିଲା । ଏଇ ଟିକକ ଆଗରୁ ସେ ଚିନ୍ତା କରୁଥିଲା ଶାହନୀଙ୍କ କୋଠାର ସେଇ ତହବିଲ ଘର ଭିତରକୁ ସେ କେମିତି ପଶିବ ଓ ଧନ ଦଉଲତଭରା ସିନ୍ଦୁକଟାକୁ ଧରି କିପରି ଚମ୍ପଟ ମାରିବ । ଠିକ୍ ସେତିକିବେଳେ ତା’ କାନରେ ପଡ଼ିଲା, ‘ଶେରା…ଶେରା…’ଡାକ । ତା’ ମନ ରାଗରେ ଭରିଉଠିଲା । ହେଲେ କାହା ଉପରେ ସେ ରାଗ ଶୁଝେଇବ?

ଶାହନୀ ଉପରେ ! ପୁଣି ଥରେ ସେ ଡାକ ଛାଡ଼ିଲା, ‘ଆଲୋ ମରିଗଲୁ ନା କ’ଣ ? ତତେ ଭଗବାନ ଯାହା ମରଣ ଦଉନାହାନ୍ତି!’
ହୁସୈନୀ ତା’ର ଅଟାଦଳା ମାଟିପାତ୍ରଟାକୁ ତଳେ ଥୋଇଦେଇ ରୋଷେଇଘରୁ ବାହାରି ଆସି ପଚାରିଲା, ‘ସକାଳ ପହରଟାରୁ କାଇଁକି ଏମିତି ରାଗ ପଞ୍ଚମ କରି ଡାକ ଛାଡ଼ୁଛ ଶୁଣେ?’ ସେତେବେଳକୁ ଶାହନୀ ଆସି ଘର ପାଖରେ ପହଁଞ୍ଚି ସାରିଥିଲେ । ଶେରାର ରାଗଭରା ଗାଳି ତାଙ୍କ କାନରେ ବି ପଡ଼ୁଥିଲା । ଏଥର ସେ ସ୍ନେହବୋଳ କଣ୍ଠରେ ପଚାରିଲେ, ‘ଆଲୋ ହୁସୈନୀ… ଇଏ କ’ଣ ଝଗଡ଼ା କରିବା ବେଳ? ସେଇଟା ତ ପାଗଳ, ତା’ବୋଲି କ’ଣ ତୁ ସେମିତି ହବୁ? ତୁନି ପଡ଼ିଯା’ ।’

‘ଲୋଭୀ କୋଉଠିକାର!’ ହୁସୈନୀ ଏଥର ସାହସ ପାଇ କହିଲା । ‘ଶାହନୀ, ଯେତେହେଲେ ପୁଅ ହେଲା ପୁଅ ।କେତେବେଳେ ପୁଅକୁ ପଚାରିଛ ସକାଳୁ ସକାଳୁ ଏ ମୁହଁ ଅନ୍ଧାର ବେଳାରେ କାଇଁକି ଏମିତି ଗାଳି ବର୍ଷୁଛ ନ୍ତି?’ ଶାହନୀ ମୁରୁକି ହସି ହୁସୈନୀକୁ ସ୍ନେହବୋଳା ହାତରେ ଥାପୁଡ଼େଇଦେଇ କହିଲେ, ‘ଏମିତି ପିଲାଙ୍କ ଭଳିଆ କାଇଁକି ହଉଚୁ କହିଲୁ? ମୋ ପୁଅର ସ୍ତ୍ରୀ ପରା ହେଲା ମୋ ପୁଅଠୁ ବଳି ଗେହ୍ଲା ଆଦରର । ମୁଁ ଏବେ ତା’ କଥା ବୁଝଚି… ଶେରା… ଶେରା…!’
‘ହଁ, ଶାହନୀ!’
ଶାହନୀ ଏଥର କେମିତି ଗମ୍ଭୀର ଗଳାରେ ପଚାରିଲେ, ‘ସିଏ କୁଲୁୱାଲ ଲୋକମାନେ ବୋଧହୁଏ ଗଲାକାଲି ରାତିରେ ଏଠାକୁ ଆସିଥିଲେ, ନୁହେଁ?’

‘ନା, ନା, ଶାହନୀ…!’ ଶେରା କେମିତି ଥଙ୍ଗଥଙ୍ଗ ଗଳାରେ କହିଲା । ସତେ ଯେମିତି ଉତ୍ତର ଦେଲାବେଳେ ସେ ଲଜ୍ଜିତ ହେଉଥିଲା । ତା’ର ଉତ୍ତର ଆଡ଼େ ବିଶେଷ ଧ୍ୟାନ ନ ଦେଇ ଶାହନୀ ପୁଣି କହିଚାଲିଲେ, ‘ଯାହାସବୁ ଚାଲିଛି କିଛି ଠିକ୍ ହଉନି । ଶେରା, ଆଜି ଯଦି ଶାହଜୀ ବଞ୍ଚିଥାନ୍ତେ, ସମସ୍ତଙ୍କୁ ସାଙ୍ଗେ ସାଙ୍ଗେ ଠିକ୍‍ କରିଦିଅନ୍ତେ । ହେଲେ…’ ଶାହନୀ ଆଉ କିଛି ନ କହି ତୁନି ପଡ଼ିଗଲେ । ଯାହା ଚାଲିଛି ଚାଲିଥାଉ । କିନ୍ତୁ ତାଙ୍କ ମନ ଭିତରେ ଏବେ ଯେମିତି ଝଡ଼ ବହି ଚାଲିଥିଲା ।

ଶାହଜୀଙ୍କର ମରିବା କାହିଁ କେତେ ଦିନ ବିତିଲାଣି । କିନ୍ତୁ ଆଜି, ତାଙ୍କ ଭିତରେ କିଛି ଯେମିତି ବରଫ ଭଳିଆ ତରଳି ଚାଲିଥିଲା । ଆଉ କ’ଣ ତରଳିବ? ସେଇ ଅତୀତ ଦିନର ସ୍ମୃତି । … ଆଖିର ଲୁହ ଓ ମନର କୋହକୁ ସେ ନିଜ ଭିତରେ ଚାପି ରଖିବାକୁ ଚେଷ୍ଟାକଲେ । ପୁଣି ଥରେ ହୁସୈନୀ ଆଡ଼େ ଚାହିଁ ମୁରୁକି ହସିଦେଲେ । ଶେରା କିନ୍ତୁ ତାଙ୍କୁ ନିରୀକ୍ଷଣ କରୁଥିଲା । ଭାବି ହେଉଥିଲା, ଶାହନୀ କାହିଁକି ଏମିତି କଥା ସଦାବେଳେ ଗପୁଛନ୍ତି? ଶାହନୀଙ୍କ କଥା ଛାଡ଼, ବର୍ତ୍ତମାନର ପରିସ୍ଥିତି ଯାହା ସେଥିରେ କେହି କାହାର କିଛି କରି ପାରିବେନି । ଯାହା ଘଟିବାର ଥିବା ଅବଶ୍ୟ ଘଟିବ । ଆଉ କାହିଁକି ଅବା ନ ଘଟିବ? ଏଇ ଲୋକମାନଙ୍କ ଠାରୁ ଲୁଟି, ସୁଧ ଅସୁଲ କରି ତ ଶାହଜୀ ବଡ଼ଲୋକ ହୋଇଛନ୍ତି । ଏଭଳି କଥା ଚିନ୍ତା କରିବା ମାତ୍ରେ ତା’ ଆଖିକୁ ସତେ ଯେମିତି ପ୍ରତିହିଂସାର ରକ୍ତ ଚହଟି ଆସୁଥିଲା । ତା’ ମନରେ ଧାରୁଆ ଖଣ୍ଡାଟା ଚକମକ କରୁଥିଲା । ସେ ଶାହନୀଙ୍କ ଆଡ଼କୁ କେମିତି ଏକ ଘୃଣାବ୍ୟଞ୍ଜକ ଦୃଷ୍ଟିରେ ଚାହିଁଲା- କିନ୍ତୁ ନା, ନା… ଏଇ କିଛିଦିନ ଭିତରେ ସେ ପ୍ରାୟ ତିରିଶକି ଚାଳିଶଟା ଲୋକଙ୍କୁ ହତ୍ୟା କରିସାରିଲାଣି । ତଥାପି… ତଥାପି ତାଙ୍କ ସାମ୍ନାରେ ବସିଥିବା ଶାହନୀଙ୍କୁ ନୁହେଁ । ସେ ଏତେ ତଳକୁ ଖସି ପାରିବନି… ହଠାତ୍‍ ଶାହନୀଙ୍କ ଆଡ଼ୁ ନଜର ହଟି ତା’ ଆଖି ଆଗରେ ତାଙ୍କର ହାତ ଯୋଡ଼ିକ ନାଚି ଉଠିଲା । କାହିଁ କେତେ ବର୍ଷ ପୂର୍ବର ସେଇ ଶୀତ ରାତି କଥା ତା’ର ମନେ ପଡ଼ିଗଲା । ଶାହଜୀଙ୍କ କଥାରେ ରାଗି, ଅଭିମାନ କରି ସେ ତାଙ୍କ ଘରର କେଉଁ କୋଣରେ ରାତିରେ ଶୋଇ ପଡ଼ିଥିବ । ଆଉ ଗୋଟିଏ ହାତରେ ଲଣ୍ଠନଟିଏ ଧରି ଶାହନୀ ନିଜର ସ୍ନେହବୋଳା ହାତରେ କ୍ଷୀର ଗିନା ଧରି ‘ଶେରା, ଶେରା’ ବୋଲି ଡାକି ତାକୁ ଖୋଜି ବୁଲୁଥିବେ । ତାକୁ ଖୋଜି, ନିଦରୁ ଉଠେଇ ସେତକ କ୍ଷୀର ପିଇବାକୁ ଦେବେ । ଶେରା ପୁଣି ଥରେ ଶାହନୀଙ୍କର ସେଇ ଲୋଚାକୋଚା ମୁହଁକୁ ଚାହିଁଲା – ସେ ମୁହଁରେ ସେଇ ସ୍ନେହବୋଳା ଅନାବିଳ ହସ ।

ତା’ ମନ ଭଳିଗଲା । ଶାହନୀ ତ ଆମର କିଛି କ୍ଷତି କରିନାହାନ୍ତି! ଶାହଜୀ ତ ଏବେ ଆଉ ବଞ୍ଚି ନାହାନ୍ତି ଯେ ତାଙ୍କ ଉପରେ ପ୍ରତିଶୋଧ ନେଇହେବ? ମଲା ଲୋକ ଉପରେ ଆଉ କି ଦାଉ ସାଧିହେବ? ଶେରା ମନେ ମନେ ଭାବିଲା, ସେ ଅବଶ୍ୟ ଶାହନୀଙ୍କୁ ବଞ୍ଚେଇବ, ସୁରକ୍ଷା ଦେବ । କିନ୍ତୁ କାଲି ରାତିର ସେ ସଲାସୁତୁରା, ଗୁପ୍ତ ଯୋଜନା? ଫିରୋଜ କଥାରେ ସେ କେମିତି ରାଜି ହୋଇ ଯାଇଥିଲା! ‘ସବୁକିଛି ଠିକ୍ ହୋଇଯିବ । ସବୁ ଲୁଟ୍ ମାଲମତା ବାଣ୍ଟି ଖୁଣ୍ଟି ଦେବା ।’

‘ଶାହନୀ, ତୁମେ ଚାଲ । ମୁଁ ତୁମକୁ ଘରେ ଛାଡ଼ି ଦେଇଆସିବି ।’ ଶାହନୀ ଉଠି ଠିଆ ହେଲେ । ସତେ ଯେମିତି କିଛି ଗୋଟିଏ ଗଭୀର ଚିନ୍ତା ଭିତରେ ଡୁବି ରହିଲା ପରି ଶେରା ଶାହନୀଙ୍କ ପଛେ ପେଇ ଚାଲିଲା । ବେଳେବେଳେ ଶଙ୍କାଭରା ଦୃଷ୍ଟିରେ ଏଣେ ତେଣେ ଚାହିଁ ଦେଉଥିଲା । ତା’ର ସାଥୀମାନଙ୍କ କଥା ତା’ କାନ ଭିତରେ ଗୁଞ୍ଜରଣ ସୃଷ୍ଟି କରୁଥିଲା । କିନ୍ତୁ ଶାହନୀଙ୍କୁ ମାରି ତା’ର ଅବା କି ଲାଭ ହେବ?
:‘ଶାହନୀ!’
:‘ହଁ, ଶେରା?’
ଶେରା ଚାହୁଁଥିଲା ତା’ ମନକୁ ଆସୁଥିବା ଭାବନାର କିଛି ହେଲେ ସୂଚନା ସେ ଶାହନୀଙ୍କୁ କହିବ । କିନ୍ତୁ କେମିତି?
:‘ଶାହନୀ!’
ଏଥର ଶାହନୀ ମୁଣ୍ଡଟେକି ଆକାଶକୁ ଚାହିଁଲେ । ସାରା ଆକାଶ ଯେମିତି ଧୂଆଁରେ ଭରି
ଯାଇଥିଲା ।
:‘ଶେରେ!’

ଶେରା ଜାଣିଥିଲା ଏ ଧୂଆଁ ଘରଜଳା ନିଆଁ । ଜବଲପୁରରେ ଆଜି ଘରପୋଡ଼ି ଲାଗି ଯୋଜନା ହୋଇଥିଲା । ସେଇ ଅନୁସାରେ ସେଠାରେ ନିଆଁ ଲାଗିଛି । ଶାହନୀ ଆଉ କିଛି କହି ପାରିଲେନି । ତାଙ୍କର ସବୁ ବନ୍ଧୁବାନ୍ଧବ ସେଇ ଇଲାଲାରେ ରହନ୍ତି… ତାଙ୍କ ଘର ଆସିଗଲା । ଶାହନୀ ବେଶ୍ ହାଲୁକା ମନରେ ଏରୁଣ୍ଡିବନ୍ଧରେ ପାଦ ଥାପିଲେ । ଶେରା କେତେବେଳେ ତାଙ୍କ ପାଖରୁ ବିଦାୟ ନେଇ ଯାଇ ସାରିଥିଲା, ସେକଥା ତାଙ୍କୁ ମାଲୁମ ନ ଥିଲା । ଦେହ ଦୁର୍ବଳକୁ ଏତେ ବଡ଼ ଘରେ ଏକଲା ମଣିଷ । କେହି ସାହାରା ଦେବାକୁ ନାହାନ୍ତି । କିଏ ଜାଣିଲା, ଶାହନୀ ସେଠାରେ କେତେ ସମୟ ସେମିତି ପଡ଼ି ରହିଥିଲେ । ଦି’ପହର ଗତ ହୋଇ ସାରିଥିଲା । ଘରଦ୍ୱାର ସବୁ ଖୋଲା ମେଲା । ଆଜି ତାଙ୍କର ଉଠି ବସିବାକୁ ସୁଦ୍ଧା ଜୁ’ପାଉନି । ଯେମିତି ନିଜ ଉପରୁ
ତାଙ୍କର ସବୁ ଆଶା ତୁଟି ଆସୁଥିଲା!

ଶାହଜୀଙ୍କ ଘରର ମାଲିକାଣୀ… କିନ୍ତୁ ନା । କାହିଁକି କେଜାଣି ଆଜି ମୋହ ତୁଟୁନଥିଲା । ସତେ କି ସେ ପଥର ପାଲଟି ଯାଇଛନ୍ତି! ସେମିତି ପଡ଼ି ପଡ଼ି ସନ୍ଧ୍ୟା ହୋଇଗଲା । ତଥାପି ଶୋଇବା ଜାଗାରୁ ଉଠିବାକୁ ମନ ହେଉ ନ ଥିଲା । ହଠାତ୍ ତାଙ୍କ କାନରେ ରସୁଲିର ଡାକ ପଡ଼ିଲା । ସେ ଚମକି ପଡ଼ି ଉଠିବସିଲେ ।

‘ଶାହନୀ, ଶାହନୀ! ଶୁଣି ପାରୁଚ, ଟ୍ରକ୍ ଆସିଚି । ଲୋକମାନଙ୍କୁ ନେଇଯିବାପାଇଁ…’ ‘ଟ୍ରକ୍‌?’ ଏଇ ଗୋଟିଏ ଶବ୍ଦ ଛଡ଼ା ତାଙ୍କ ତୁଣ୍ଡରୁ ଆଉ କିଛି ସ୍ଫୂରିଲାନି । ସତେ ଯେମିତି ତାଙ୍କର ଗୋଟିଏ ହାତ ଆର ହାତକୁ ଅଟକେଇ ନେଲା । ମାତ୍ର ଅଳ୍ପ ସମୟ ଭିତରେ ଏକଥା ଗାଆଁରେ ଚାରିଆଡ଼େ ରାଷ୍ଟ୍ର ହୋଇଗଲା । ଲାହ୍‍ବୀବୀ ତାଙ୍କର ସେଇ ଘାଗଡ଼ା କଣ୍ଠରେ ବଡ଼ ପାଟିରେ କହୁଥିଲେ,‘ଶାହନୀ, ଆଜି ପର୍ଯ୍ୟନ୍ତ ଏମିତି କଥା କେବେ କାନ ଶୁଣି ନ ଥିଲା । ଆଖି ଦେଖି ନ ଥିଲା । କି ବିପଦ! କି ଅନ୍ୟାୟ…!’

ଶାହନୀ ମୂର୍ତ୍ତିଟିଏ ପରି ସେଇଠି ଠିଆ ହୋଇ ରହିଥିଲେ । ନବାବ ବୀବୀ ସ୍ନେହବୋଳା କଣ୍ଠରେ କହିଲେ,‘ଶାହନୀ, ଆମେ ତ ଏକଥା କେବେ ଭାବି ନ ଥିଲୁ…!’

ଶାହନୀ କି ଉତ୍ତର ଦେବେ? କହିବେ ଯେ ସେ ଏଇକଥା ହିଁ ଆଶଙ୍କା କରୁଥିଲେ ବୋଲି? ତଲୁ ପଟୱାରୀ ବେଗୁ ଆଉ ଜେଲଦାରଙ୍କ କଥା ଆସି ତାଙ୍କ କାନରେ ପଡ଼ୁଥିଲା । ଶାହନୀ ବୁଝିଗଲେ ଯେ ତାଙ୍କ ବିଦାୟ ନେବା ବେଳ ଆସିଗଲା । ଯନ୍ତ୍ରବତ୍ ସେ ଉପର ମହଲାରୁ ତଳକୁ ଓହ୍ଲେଇ ଆସିଲେ । କିନ୍ତୁ କାହିଁକି କେଜାଣି ଏରୁଣ୍ଡିବନ୍ଧ ବାହାରକୁ ତାଙ୍କ ପାଦ ପଡ଼ିଲାନି । କେମିତି ଏକ ଗମ୍ଭୀର ଓ ଦୁଃଖଭରା ଗଳାରେ ସେ ପଚାରିଲେ, ‘କିଏ? କିଏ ସେଠାରେ ଠିଆ ହୋଇଛି?’

ଆଜି ସେଠାରେ କିଏ ନ ଥିଲେ? ଗାଆଁସାରା ସବୁ ଲୋକ ତାଙ୍କ ଦୁଆରମୁହଁରେ ରୁଣ୍ଡ ହୋଇଥିଲେ । ଦିନେ ଏସବୁ ଲୋକ ତାଙ୍କରି ଇସାରାରେ ନାଚୁଥିଲେ । ସମସ୍ତେ ତାଙ୍କ ନିଜର ଲାଗୁଥିଲେ । ସମସ୍ତଙ୍କୁ ସେ ନିଜର ବୋଲି ଭାବୁଥିଲେ । କାହାକୁ କେବେ ପର ବୋଲି ସେ ମଣୁ ନ ଥିଲେ । କିନ୍ତୁ ନା, ଆଜି ତାଙ୍କର କେହି ନାହାନ୍ତି । ଆଜି ସେ ସମ୍ପୂର୍ଣ୍ଣ ଏକୁଟିଆ । ଲୋକ ଥାଟପଟାଳି ଭାଙ୍ଗୁଥିଲେ । କୁଲ୍ଲୁୱାଲର ଜାଠ୍‍ ଲୋକମାନେ ବି ସେଥିରେ ସାମିଲ ଥିଲେ । ସେଦିନ ସକାଳୁ ସେ ଏଇ ଆଭାସ ପାଇ ନ ଥିଲେ କି? କିଏ ଜାଣେ, ବେଗୁ ପଟୱାରୀ ଓ ଗାଆଁ ମସଜିଦ୍‍ର ମୁଲ୍ଲା କ’ଣ ଭାବୁଛନ୍ତିି! ସେମାନେ ଦୁହେଁ ଆସି ଶାହନୀଙ୍କ ସାମ୍ନାରେ ଠିଆ ହେଲେ । ସେଦିନ ବେଗୁ ଶାହନୀଙ୍କ ମୁହଁକୁ ସିଧାସଳଖ ଚାହିଁପାରୁ ନ ଥିଲା । ନିଜ ଗଳା ଖଙ୍କାରି ଥଙ୍ଗମଙ୍ଗ ହୋଇ ସେ କହିଲା, ‘ଶାହନୀ, ଆଲ୍ଲାଙ୍କର ବୋଧେ ଏଇଆ ଇଚ୍ଛା!’ ଶାହନୀଙ୍କ ସର୍ବାଙ୍ଗ ଥରି ଉଠିଲା । ମୁଣ୍ଡ ଘୂରେଇଦେଲା ପରି ଲାଗିଲା । ସେ କାନ୍ଥକୁ ଆଉଜି ପଡ଼ିଲେ । ଶାହଜୀ କ’ଣ ଏଇ ଦଶା ଦେଖିବା ଆଗରୁ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ! ବେଗୁ ଶାହନୀଙ୍କ ଏଇ ନିଶ୍ଚଳ ଭାବକୁ ନୀରବରେ ଲକ୍ଷ୍ୟ କରିଚାଲିଥିଲା । ମନେମନେ ଭାବୁଥିଲା – ଶାହନୀଙ୍କ ମନକୁ ଏବେ କି ଚିନ୍ତା ଘାରିଥିବ? ହେଲେ ଆମେ ଅବା କ’ଣ କରିପାରିବୁ? ମୋହର ତ ବଦଳି ସାରିଛି ।

ନିଜ ଘରୁ ନିଜ ଇଚ୍ଛା ବିରୁଦ୍ଧରେ ପଦାକୁ ପାଦ ବଢ଼େଇବା ଶାହନୀଙ୍କ ଲାଗି ସାଧାରଣ ଘଟଣା ନ ଥିଲା । ବାହାରେ ଗାଆଁଟାସାରା ଲୋକ – ତାଙ୍କ ଦୁଆରମୁହଁଠାରୁ ଫାଟକ ପର୍ଯ୍ୟନ୍ତ । ଫାଟକ ନୁହେଁ ତ ତୋରଣ । ସେଇ ତୋରଣକୁ ନିଜ ପୁଅ ବାହାଘରବେଳେ ଶାହଜୀ ତୋଳେଇଥିଲେ । ସେଇ ଫାଟକ ପାଖରେ ତ ଗାଆଁଟାଯାକର ସବୁ ଭଲମନ୍ଦ ନ୍ୟାୟ ନିଶାପ ହେଉଥିଲା । ଯିଏ ଯୁଆଡ଼ୁ ଆସିଲା ସେଇଠି ଶାହଜୀଙ୍କୁ ସାକ୍ଷାତ କରୁଥିଲେ । ସେତେବେଳ ପର୍ଯ୍ୟନ୍ତ ଗାଆଁ ଲୋକମାନଙ୍କ ମୁଣ୍ଡକୁ ଏତେ ବଡ଼ କୋଠାଟାକୁ ଲୁଟିବା ଚିନ୍ତା ଆସି ନ ଥିଲା । ଏକଥା ନୁହେଁ ଯେ ଶାହନୀଙ୍କୁ ଏକଥା ଅଛପା ଥିଲା । ସେ ସବୁ ଜାଣିଥିଲେ, ତଥାପି କିଛି ନ ଜାଣିବା ପରି ରହିଥିଲେ । ବୈରଭାବ କ’ଣ ସେକଥା ତାଙ୍କୁ ଜଣା ନ ଥିଲା । ସେ ତ କାହାରି ଅମଙ୍ଗଳ ଚିନ୍ତା କରିନାହାନ୍ତି । କାହାର କିଛି କ୍ଷତି କରି ନାହାନ୍ତି । କେବଳ ସେ ଏତିକି ବୁଝିପାରି ନ ଥିଲେ ଯେ ଏବେ ପଲ୍ଲା ଓଲଟି ସାରିଥିଲା, ମୋହର ବଦଳି ସାରିଥିଲା । ପଟ୍ଟ ପରିବର୍ତ୍ତନ ଘଟି ସାରିଥିଲା ।

ଲୋକମାନଙ୍କୁ ଆଡ଼େଇ ଥାନାଦାର ଦାଉଦ ଖାଁ ଆଗକୁ ଆସିଲେ ଓ ଏରୁଣ୍ଡିବନ୍ଧ ପାଖରେ ଠିଆ ହୋଇଥିବା ସେଇ ନିଶ୍ଚଳ ନାରୀଟିକୁ ଦେଖି ଚମକି ପଡ଼ିଲେ । ଇଏ କ’ଣ ସେଇ ଶାହନୀ ଯାହାଙ୍କ ପାଇଁ ଶାହଜୀ ଏଇ ନଦୀକୂଳରେ ଏତେ ବଡ଼ ତମ୍ବୁ ପକାଉଥିଲେ? ଇଏ କ’ଣ ସେଇ ଶାହନୀ ଯିଏ ଦାଉଦ ଖାଁଙ୍କ ବାହାଘର ବେଳକୁ ବୋହୂଲାଗି ସୁନା କାନଫୁଲ ମୁହଁଦେଖା ଉପହାର ପଠେଇଥିଲେ? ଏଇ ତ କିଛିଦିନ ତଳେ ସେ ଲିଗ୍‍ ମାମଲାରେ ତାଙ୍କୁ ଭେଟିବାକୁ ଆସିଥିଲେ । ସେତେବେଳେ ସେ ତାଙ୍କୁ ଅନୁରୋଧ କରିଥିଲେ, ‘ଶାହନୀ, ଭାଗୋମଲଠାରେ ମସଜିଦଟିଏ ନିର୍ମାଣ ହେବ । ଆପଣ ନିଶ୍ଚେ ତିନିଶହ ଟଙ୍କା ସାହାଯ୍ୟ କରିବେ ।’ ଉଁ ଚୁଁ କିଛି ନ କହି ଖୁସି ମନରେ ଶାହନୀ ତାଙ୍କ ହାତକୁ ତିନିଶହ ଟଙ୍କା ବଢ଼େଇ ଦେଇଥିଲେ । ଆଉ ଆଜି… ଏରୁଣ୍ଡିବନ୍ଧ ଆଡ଼କୁ ଆଉ ପାହୁଣ୍ଡେ ପକାଇ ଦାଉଦ ଖାଁ କହିଲା, ‘ଶାହନୀ! ଡେରି ହେଉଛି ।

ଆପଣ ଯଦି ଚାହୁଁଛନ୍ତି ଘରୁ କିଛି ଜିନିଷପତ୍ର ନେଇଯାଆନ୍ତୁ । ଟଙ୍କା ପଇସା, ସୁନାରୁପା, ଗହଣାଗାଣ୍ଠି ବାନ୍ଧି ନିଅନ୍ତୁ ।’ ଏତିକି କହିଲା ବେଳକୁ ଦାଉଦ ଖାଁ ଆଖି ଲୁହ ଛଳଛଳ ହୋଇସାରିଥିଲା । ପୁଲିସ୍‍ ଡ୍ୟୁଟିରେ ନ ଥିଲେ ଏତେବେଳକୁ ସେ କାନ୍ଦି ସାରିଥାନ୍ତେ । ଶାହନୀ ଅସ୍ପଷ୍ଟ କଣ୍ଠରେ କହିଲେ, ‘ସୁନାରୁପା! ଗହଣାଗାଣ୍ଠି!’ ଏଥର କେମିତି ସ୍ୱଗତୋକ୍ତି କଲାଭଳି ସ୍ୱରରେ ସେ କହିଚାଲିଲେ, ‘ସେସବୁ ସୁନାରୁପା ତୁମମାନଙ୍କ ପାଇଁରେ ପିଲାମାନେ… ମୋ ସୁନାରୁପା ତ ଏ କ୍ଷେତସାରା ବୁଣି ହୋଇ ରହିଚି । ସବୁ ତୁମରିମାନଙ୍କ ଲାଗି ।’ ଦାଉଦ ଖାଁ ମନେମନେ ଲଜ୍ଜିତ ହେଲା । ପୁଣି ସାହସ କୁଳେଇ କହିଲା, ‘ଶାହନୀ, ଆପଣ ଏକଲା ଲୋକ । ନିଜ ପାଖରେ କିଛି ଜରୁରି ଜିନିଷ ରଖିବା କଥା । କିଛି ନଗଦ ଟଙ୍କାପଇସା ରଖିଥାନ୍ତୁ । କିଏ ଜାଣେ, କେତେବେଳେ କେଉଁ ସମୟ ଆସିବ!’

‘ସମୟ?’ ଶାହନୀ ସେଇ ଶୁଖିଲା ଚାହାଣିରେ ମୁରୁକି ହସିଲେ ଓ କହିଲେ, ‘ଦାଉଦ ଖାଁ । ୟା’ଠାରୁ ବଳି ଆଉ ଭଲ ସମୟ ଭଲା ମୁଁ କ’ଣ ଦେଖିବି? ବଞ୍ଚି ରହିବି?’ ସତେ ଯେମିତି ଗଭୀର ଯନ୍ତ୍ରଣା ଓ ଆତ୍ମ ଗ୍ଳାନିଭରା କଣ୍ଠରେ ସେ ଏସବୁ କହି ପକାଇଲେ!

ଦାଉଦ ଖାଁ ନିରୁତ୍ତର । ତା’ ମୁହଁ ତଳକୁ ହୋଇ ସାରିଥିଲା । କିଛି ସମୟ ପରେ ସାହସ କୁଳେଇ ସେ କହିଲା, ‘ଶାହନୀ, କିଛି ନଗଦ ଟଙ୍କା ପାଖରେ ରଖିବା ଭଲ ବୋଲି ମୁଁ କହିବି ।’

‘ନା’ରେ ପୁଅ । ଏ ଘରୁ ମୋର…’ ଶାହନୀଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ‘… ମୋର ଏଠାରୁ କୁଟାଖିଏ ନେବାର ନାହିଁ । ଏଠାକାର ନଗଦ ଟଙ୍କା ଏଇଠି ଥାଉ ।’

ପାଖରେ ଶେରା ଠିଆ ହୋଇଥିଲା । ଶାହନୀଙ୍କ ପାଖକୁ ଲାଗି ଦାଉଦ ଖାଁ ଠିଆ ହେବାର ଦେଖି ତା’ ମନରେ ନାନାପ୍ରକାର ସନ୍ଦେହ ଉଙ୍କି ମାରିଲା । ଦାଉଦ ଖାଁ ଶାହନୀଙ୍କୁ ଠକି ଧନ ଦଉଲତ ଲୁଟି ନେବନି ତ…!

‘ଖାଁ ସା’ବ୍‍… ଡେରି ହେଉଛି…’ ଶେରା କହିଲା ।

ଶାହନୀ ଚମକି ପଡ଼ିଲେ । ମୋ ଘରେ ପୁଣି କିଏ ଆଜି ଡେରି ହେଉଛି ବୋଲି ମୋତେ ଚେତେଇ ଦେଉଛି! ମନ ବିଦ୍ରୋହ କରି ଉଠୁଥିଲା । ଆଖିର ଲୁହ ବାଧା ମାନୁ ନ ଥିଲା । ମୋ ନିଜ ପୂର୍ବଜଙ୍କ ଘରେ ମୁଁ ଠିଆ ହୋଇଛି… ଏ ଘରେ ମୁଁ ରାଣୀ… ଆଉ ମୋରି ହାତଟେକା ଦୟା ଓ ଅନ୍ନରେ ପ୍ରତିପାଳିତ ଏ ଲୋକମାନେ ଆଜି…ନା, ଏସବୁ ଭାବିବାର ବେଳ ଆଉ ନାହିଁ । ହେଲେ ମୁଁ ଏସବୁ କଥାକୁ କ’ଣ ଗ୍ରହଣ କରିନେବି? ମାନି ନେବି? ହଉ… ଯେତେ ଡେରି ହେବ ହେଉ । ମୋର ଯାଏ ଆସେ କେତେ? ମୁଁ ତ ଆଉ କାନ୍ଦି କାନ୍ଦି, ଆଖିରୁ ଲୁହ ଗଡେଇ ଏ ଘରୁ ବାହାରିବିନି ।

ଏ ମୋର ପୂର୍ବ ପୁରୁଷଙ୍କ ଘର । ମାନଥାନର ସହିତ ମୁଁ ଏରୁଣ୍ଡିବନ୍ଧ ଡେଇଁବି । ଏଇ ଘରକୁ ତ ମୁଁ ଦିନେ ରାଣୀ ହୋଇ ଆସିଥିଲି । ନିଜର ଥରଥର ପାଦକୁ ସମ୍ଭାଳିନେଇ ଶାହନୀ ନିଜ ଦୁପଟ୍ଟାରେ ଆଖି ଲୁହକୁ ପୋଛିନେଲେ । ଏଥର ସେ ବାହାରକୁ ପାଦ ବଢ଼େଇଲେ । ଗାଆଁର ପୁରୁଖା ସ୍ତ୍ରୀଲୋକମାନେ ଏକାସଙ୍ଗେ ବୋବାଳି ଛାଡ଼ି କାନ୍ଦି ଉଠିଲେ । ତାଙ୍କ ସୁଖ ଦୁଃଖର ସାଥି, ତାଙ୍କର ତ୍ରାଣକର୍ତ୍ତ୍ରୀଙ୍କୁ ଆଜି ନିଜ ଘରୁ ଏମିତି ଭାବେ ବିଦାୟ ନେବାକୁ ପଡ଼ୁଛି । ଶାହନୀ ତ କୋଟିରେ ଗୋଟିଏ! ତାଙ୍କ ପରି ଆଉ ଭଲା କିଏ ହେବ? ଈଶ୍ୱର ତାଙ୍କୁ କେଉଁଥିରେ ଊଣା କରିନଥିଲେ… କିନ୍ତୁ… ଆଜି ସମୟ ବଦଳିଗଲା, ଭାଗ୍ୟ ଓଲଟିଗଲା, ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଶାହନୀ ନିଜ ଦୁପଟ୍ଟାକୁ ମୁଣ୍ଡ ଉପରେ ଢାଙ୍କି ପୁଣି ଥରେ ନିଜର ପ୍ରିୟ ଘରଆଡ଼େ ଶେଷଥରପାଇଁ ଚାହିଁଲେ ।

ଶାହଜୀଙ୍କ ମୃତ୍ୟୁପରେ ସୁଦ୍ଧା ଯେଉଁ ଘରକୁ ସେ ଆଜି ପର୍ଯ୍ୟନ୍ତ ପରିବାରର ଅମାନତ ଭାବେ ସଜାଡ଼ି ସଯତ୍ନରେ ରଖିଥିଲେ ସେଇ ଘର ତାଙ୍କୁ ଯେମିତି ଧୋକା ଦେଇଛି! ଶାହନୀ ଦୁଇହାତ ଯୋଡ଼ି ସେ ଘରକୁ ଶେଷ ପ୍ରଣିପାତ ଜଣାଇଲେ । ଏ ଜୀବନରେ ସେ ସୁଉଚ୍ଚ ଘରଟିକୁ ଦେଖିବାର ସୁଯୋଗ ସମ୍ଭବତଃ ଆଉ ମିଳି ନ ପାରେ । ତାଙ୍କ ପ୍ରେମ ତାଙ୍କୁ ଏକଥା ଭାବିବାକୁ ବାଧ୍ୟ କରୁଥିଲା – ପୁଣି ଥରେ ସବୁ କୋଠରି ବୁଲି ନଜର ପକେଇ ଆସିଲେ କ୍ଷତି କ’ଣ? ମନ ଛୋଟ ହୋଇଯାଉଥିଲା, ଦବି ଯାଉଥିଲା । ଯେଉଁମାନଙ୍କ ନଜରରେ ସେ ଆଜି ପର୍ଯ୍ୟନ୍ତ ବଡ଼ ହୋଇ ରହିଥିଲେ, ସେଇମାନଙ୍କ ସାମ୍ନାରେ ଛୋଟ ହେବାକୁ ତାଙ୍କର ଇଚ୍ଛା ହେଉ ନ ଥିଲା । ଏତିକି ଯଥେଷ୍ଟ । ବାସ୍‍, ହୋଇଗଲା । ସେ ପୁଣି ଥରେ ମୁହଁ ତଳକୁ କରିନେଲେ । ତାଙ୍କ ଆଖିରୁ କେଇ ବୁନ୍ଦା ଉଷ୍ମ ଅଶ୍ରୁ ସେଇ ଏରୁଣ୍ଡିବନ୍ଧ ଉପରେ ଖସିପଡ଼ିଲା । ଶାହନୀ, ଘରର କୂଳବଧୂ । ତା’ପରେ ସେ ଆଗକୁ ପାଦ ବଢ଼େଇବା ଆରମ୍ଭ କଲେ । ଏତେ ବଡ଼ ଉଚ୍ଚ କୋଠାଟା ପଛରେ ରହିଗଲା । ଦାଉଦ ଖାଁ, ଶେରା, ପଟୱାରୀ, ଜେଲଦାର ଓ ଅନ୍ୟ ସମସ୍ତେ ପଛରେ ରହିଗଲେ । ଛୋଟ ବଡ଼, ପିଲା ଠାରୁ ବୁଢ଼ା, ପୁରୁଷ ମହିଳା ସମସ୍ତେ ଶାହନୀଙ୍କ ପଛରେ ରହିଗଲେ ।

ସେତେବେଳକୁ ଲରିରେ ଲୋକ ଖୁନ୍ଦାଖୁନ୍ଦି ହୋଇ ପଶି ସାରିଥିଲେ । ଶାହନୀ ସେଇ ଭରା ଟ୍ରକ ଉପରକୁ ଉଠିବାକୁ ଚେଷ୍ଟା କଲେ । ଗାଆଁ ଲୋକମାନଙ୍କ ଆଖିର ଲୁହ ଓ ବାଷ୍ପାକୁଳ କଣ୍ଠ ବୋଲ ମାନୁ ନ ଥିଲା । ସତେ ଯେମିତି ସେମାନଙ୍କ ହୃଦୟ ବିଳାପ କରି ଉଠୁଥିଲା । ଶେରା, ଖୁନୀ ଶେରାର ହୃଦୟ ବି ବିଗଳିତ ହୋଇ ପଡ଼ୁଥିଲା । ଦାଉଦ ଖାଁ ଆଗକୁ ପାଦ ବଢ଼ାଇ ଲରିର ଦୁଆରମୁହଁ ଖେଲିଦେଲା ।

ଶାହନୀ ପାଦ ବଢ଼େଇଲେ । ଇସମାଇଲ୍‍ ଆଗକୁ ମାଡ଼ିଆସି କାନ୍ଦକାନ୍ଦ କଣ୍ଠରେ ନେହୁରା ହେଲାକଳି କହିଲା, ‘ଶାହନୀ, ଆମମାନଙ୍କୁ ତ କିଛି କହିଯାଅ । ତୁମ ତୁଣ୍ଡର ଭାଷା କେବେ ମିଛ ହେବନି!’ ଏତିକି କହି ସେ ନିଜ ଆଖିରୁ ଲୁହ ପୋଛିନେଲା । ଶାହନୀ ନିଜ ମନର କୋହକୁ ଚାପି କହିଲେ, ‘ଆଲ୍ଲା ତୁମମାନଙ୍କର ମଙ୍ଗଳ କରନ୍ତୁ ପିଲାମାନେ, ସମସ୍ତେ ଖୁସିରେ ରହ…’ ହଠାତ୍‍ ଯେମିତି ଜନସମୁଦ୍ର କାନ୍ଦି ଉଠିଲେ । ଶାହନୀଙ୍କ ମନରେ ତିଳେ ହେଲେ ଦୁଃଖ ନାହିଁ । କାହାରି ପ୍ରତି ରାଗ କି ଅଭିମାନ ନାହିଁ । ଅସୂୟା ନାହି, ଗ୍ଳାନି ନାହିଁ । ଆଉ ଆମେ ସେଇ ଶାହନୀଙ୍କୁ ନିଜ ପାଖରେ ରଖି ପାରିଲେନି । ଶେରା ଆଗକୁ ଆଗେଇ ଆସି ଶାହନୀଙ୍କ ପାଦ ଛୁଇଁଲା ଓ କହିଲା, ‘ଶାହନୀ, କେହି କିଛି କରି ପାରିଲେନି । ରାଜ୍ୟ ବଦଳିଗଲା, ରାଜା ବଦଳିଗଲେ, ମୋହର ବି ବଦଳିଗଲା!’ ନିଜର କମ୍ପିତ ହାତକୁ ଶେରା ମୁଣ୍ଡ ଉପରେ ଥାପି ଶାହନୀ କହିଲେ, ‘ତୈନୁ ଭାଗ୍‍ ଜଗଣ ଚନ୍ନା!’ (ଯାହା ଭାଗ୍ୟରେ ଯାହା ଲେଖାଅଛି!’) ଦାଉଦ ଖାଁ ହାତ ଉପରକୁ କରି ଇସାରା କଲା । ଆଉ କେତେଜଣ ବୃଦ୍ଧା ଆସି ଶାହନୀଙ୍କୁ କୁଣ୍ଢେଇ ତାଙ୍କ ପିଠି ଥାପୁଡେଇଲେ । ଟ୍ରକ୍‍ ଆଗକୁ ଗଡ଼ିବାକୁ ଆରମ୍ଭ କଲା ।

ଏବେ ସେ ସର୍ବହରା! ଅନ୍ନଜଳ ପର୍ଯ୍ୟନ୍ତ କିଛି ଠିକ୍‍ ଠିକଣା ନାହିଁ । ସେଇ ଏତେବଡ଼ ପୁରୁଣା କୋଠା, ନୂଆ ବୈଠକଖାନା, ଉଚ୍ଚ ପିଣ୍ଡା, ବଡ଼ ଚଉଁରା, ପ୍ରଶସ୍ତ କୋଠରୀ ଓ ଲମ୍ବା ଅଗଣା… ସବୁକିଛି ଶାହନୀଙ୍କ ଆଖି ଆଗରେ ନାଚି ଉଠୁଥିଲା । ନିଜ ମାନସ ଚକ୍ଷୁରେ ସେ ସେସବୁକୁ ଗୋଟି ଗୋଟି କରି ଦେଖି ପାରୁଥିଲେ । ସେ ଜାଣିପାରୁ ନ ଥିଲେ ସେ ନିଜେ ଚାଲିଛନ୍ତି ନା ଟ୍ରକଟା ଆଗକୁ ଗଡ଼ୁଛି! ଆଖିରୁ ଅବିରତ ଅଶ୍ରୁଧାର ବହି ଚାଲିଥିଲା । ଦାଉଦ ଖାଁ ବ୍ୟତିବ୍ୟସ୍ତ ହୋଇ ମଝିରେ ମଝିରେ ତାଙ୍କ ମୁହଁକୁ ଚାହିଁ ଦେଉଥିଲା । ମନେମନେ ଭାବୁଥିଲା, ଏବେ ଏ ନିରୀହ ଅସହାୟ ପ୍ରାଣୀଟି ଯିବ କୁଆଡ଼େ?

‘ଶାହନୀ, ମନରେ କିଛି ଗ୍ଳାନି ଆଣିବେନି । ଆମ ହାତରେ ଯଦି କିଛି ଥାଆନ୍ତା, ତା’ହେଲେ ଅବଶ୍ୟ କରିଥାଆନ୍ତୁ । ଆଜିକାଲି ସମୟ ତ ସେଇଆ ହେଇଚି । ରାଜ୍‍ ପଟଲିଗଲା, ମୋହର ବଦଳିଗଲା, ଟଙ୍କା ବଦଳିଗଲା…’ ସେଦିନ ବିଳମ୍ବିତ ରାତିରେ ଯେତେବେଳେ ଶାହନୀ କ୍ୟାମ୍ପ୍‍ରେ ପହଞ୍ଚିଲେ , କ୍ଳାନ୍ତ ଓ ଅବଶ ଶରୀରକୁ ସେ ବିନା ଚିନ୍ତାରେ ଭୂଇଁରେ ଲୋଟାଇଦେଲେ । ତାଙ୍କ ଆହତ ମନକୁ ବାରମ୍ବାର ସେଇ ଗୋଟିଏ ଭାବନା ଆସୁଥିଲା, ‘ରାଜ ପଲଟିଗଲା… ମୋହର ଆଉ କ’ଣ ବଦଳିବ? ମୁଁ ତ ସବୁକିଛି ପଛରେ ଛାଡ଼ି ଆସିଛି !’

ଶାହଜୀଙ୍କ ପତ୍ନୀ ଶାହନୀଙ୍କ ଆଖିରେ ପୁଣି ଅସରାଏ ଅଶ୍ରୁ ଲହଡ଼ି ଭାଙ୍ଗୁଥିଲା । କୂଳ ଲଙ୍ଘୁଥିଲା । ଆଖପାଖ ସବୁଜ କ୍ଷେତ ଓ ଦୂରଦୂରାନ୍ତ ଗାଆଁଗଣ୍ଡାରେ ରକ୍ତର ହୋଇ ଖେଳ ଚାଲିଥିଲା । ସମ୍ଭବତଃ ରାଜ ବଦଳିବାର ପ୍ରଭାବ ହିଁ ସଭିଏଁ ଭୋଗୁଥିଲେ । ଆଉ ତା’ରି ଭିତରେ ମୋହର ବଦଳି ଯାଇଥିଲା ।

ରୂପାନ୍ତରଣ: ସୁଭାଷ ଶତପଥୀ 

Leave A Reply

Your email address will not be published.