ଶଶାଙ୍କ ପଣ୍ଡା
ଅଜଣା ଘଡ଼ଘଡ଼ିରେ ଭାଙ୍ଗିଗଲା
ସୁନେଲି ସପନଟା
ସୂର୍ଯ୍ୟୋଦୟର ନଥିଲା ଚିହ୍ନବର୍ଣ୍ଣ
ଧୂସର ଧୂସର ଲାଗୁଥିଲା ସମ୍ପୂର୍ଣ ଆକାଶଟା।
ବୁଢ଼ା ବରଗଛରେ ଥିଲା ଏକ ଅସହାୟ କୋଇଲି
ଅଶ୍ରୁଳ ରାବରେ କାନ ହେଉଥିଲା ସ୍ତବ୍ଧ
ଯେମିତି କୋଇଲି ଆଉ ମୁଁ ପରସ୍ପର
ଗୋଟେ ଅଜଣା ପିଞ୍ଜରାରେ ଆବଦ୍ଧ।
ଦୂର ଦିଗବଳୟରେ ଥିଲା ଅଭିଶପ୍ତ ଇନ୍ଦ୍ରଧନୁ
ସାତରଙ୍ଗରେ ଯେମିତି ଏକ କଳଙ୍କର ଆବରଣ
ଇନ୍ଦ୍ରଧନୁରୁ ଛୁଟୁଥିଲା ତୁହାକୁ ତୁହା
ହୃଦୟ ବିଦାରକ ସ୍ମୃତିର ବିକିରଣ।
ଛିଡ଼ା ହେବା ପାଇଁ ନଥିଲା ଚେନାଏ ଶକ୍ତି
ମଥାରେ ଯେମିତି ଏକ ଅଦୃଶ୍ୟ ବୋଝର ଯନ୍ତ୍ରଣା
ଭାରଟିରେ ଭରପୁର ଥିଲା ଆଦର୍ଶ, କର୍ତ୍ତବ୍ୟ
ଆଉ କିଛି ଆତ୍ମୀୟ ଲୋକଙ୍କ ପ୍ରତାରଣା।