ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କଥା କହିଲେ ବେଶି ବେଶି
ପବନେ ଯାଏ ସବୁ ମିଶି
କଥା ଶୁଣିଲେ ବେଶି ବେଶି
ମନ ମଧ୍ୟରେ ରହେ ଆସି
କହିଲେ, ପାଏ ଯେ ଆନଂଦ
ତା’ ମନେ ରହିଥାଏ ଦ୍ବଂଦ୍ବ
ନିଜର ବାଣୀ ନିଜେ ଶୁଣି
ନିଜକୁ କହେ ‘ ମହାଜ୍ଞାନୀ ‘
ଅନ୍ୟମାନଂକ ସହ କଳି
କରି ବି, ଯାଉଥାଏ ଚଳି
କେହି ନୁହଂତି କାହା ଭଳି
କିଏ ପିଠା ତ କିଏ ଖଳି
କହିଲେ କଥା ଅନର୍ଗଳ
କମିଲେ ମାନସିକ ବଳ
ଗୋଟିଏ କଥା ବାରଂବାର
କହିବା ଅଭ୍ୟାସ ତାହାର
ପରଚର୍ଚାରେ ରହି ରତ
ଅନ୍ୟକୁ କରେ ସେ ବିଖ୍ଯାତ
ଅନ୍ୟ ବ୍ୟକ୍ତିର ପଛେ ପଡ଼ି
ସର୍ବଦା ଫିଂଗୁଥାଏ ଗୋଡ଼ି
ଶୁଣିବା ଲୋକ ପାଇ ଜ୍ଞାନ
ହୁଏ ଅଧିକ ସାବଧାନ
ଏମିତି ନାନା କଥା ଶୁଣି
ହୋଇଥାଏ ସେ ଆତ୍ମଜ୍ଞାନୀ
ଭାଷା କହୁଁ ଅଥବା ଶୁଣୁ
ମନ ଭିତରେ ଗୁଣୁଗୁଣୁ
ହୋଇ ବି ରହିଲେ ନିରବ
ବଢ଼ିବ ଭାଷାର ଗୌରବ